Home Environment ହୁ ହୁ ହୋଇ ବଢୁଛି ପ୍ଲାଷ୍ଟିକ ବର୍ଜ୍ୟ

ହୁ ହୁ ହୋଇ ବଢୁଛି ପ୍ଲାଷ୍ଟିକ ବର୍ଜ୍ୟ

ଭୁବନେଶ୍ୱର : ପ୍ଲାଷ୍ଟିକ ବ୍ୟବହାର କଟକଣାକୁ ପ୍ରାୟତଃ କେହି ମାନୁ ନଥିବାରୁ ଏବେ ରାଜ୍ୟରେ ପ୍ଲାଷ୍ଟିକ ବର୍ଜ୍ୟର ପରିମାଣ ବଢିବାରେ ଲାଗିଛି । କେବଳ ୨୦୨୦-୨୧ ବର୍ଷରେ ରାଜ୍ୟରୁ ୫୧ହଜାର ଟନ୍‍ରୁ ଅଧିକ ପ୍ଲାଷ୍ଟିକ ବର୍ଜ୍ୟ ବାହାରିଛି ।

ମିଳିଥିବା ସୂଚନା ଅନୁଯାୟୀ ୨୦୧୬-୧୭ ବର୍ଷରେ ରାଜ୍ୟରୁ ମାତ୍ର ୬୮୯୦ ଟନ୍‍ ପ୍ଲାଷ୍ଟିକ ବର୍ଜ୍ୟ ବାହାରି ଥିବାବେଳେ ୨୦୨୦-୨୧ରେ ଏହି ପରିମାଣ ୫୧,୨୬୯ ଟନ୍‍କୁ ବୃଦ୍ଧି ପାଇଛି । ଏହି ବର୍ଷ ଆନ୍ଧ୍ରପ୍ରଦେଶରୁ ୩୯,୬୨୬ ଟନ୍‍ ପ୍ଲାଷ୍ଟିକ ବର୍ଜ୍ୟ ବାହାରି ଥିବାବେଳେ ଛତିଶଗଡରୁ ୪୭,୪୫୦ ଟନ୍‍, ଝାଡଖଣ୍ଡରୁ ୨୦,୨୬୩ ଟନ୍‍ ବାହାରିଛି ।

ଅନ୍ୟ ପକ୍ଷରେ ସମଗ୍ର ଦେଶରେ ବି ପ୍ଲାଷ୍ଟିକ ବର୍ଜ୍ୟର ପରିମାଣ ବଢିବାରେ ଲାଗିଛି । ୨୦୧୬-୧୭ବର୍ଷରେ ଦେଶରୁ ୧୫,୬୮,୭୧୪ ଟନ୍‍ ପ୍ଲାଷ୍ଟିକ ବର୍ଜ୍ୟ ବାହାରିଥିବାବେଳେ ୨୦୨୦-୨୧ ବର୍ଷରେ ତାହା ୪୧,୨୬,୯୯୭ ମେଟ୍ରିକ ଟନ୍‍ରେ ପହଞ୍ଚିଛି । ଏହିବର୍ଷ ସର୍ବାଧିକ ୪,୭୨,୬୭୫ ଟନ୍‍ର ପ୍ଲାଷ୍ଟିକ ବର୍ଜ୍ୟ ତେଲେଙ୍ଗାନାରୁ ବାହାରିଥିବାବେଳେ ପଶ୍ଚିମବଙ୍ଗ, ତାମିଲନାଡୁ ଆଦି ରାଜ୍ୟରୁ ୪ଲକ୍ଷ ଟନରୁ ଅଧିକ ପ୍ଲାଷ୍ଟିକ ବର୍ଜ୍ୟ ବାହାରିଛି । ଗୁଜୁରାଟରୁ ୩ଲକ୍ଷ ଟନରୁ ଅଧିକ ପ୍ଲାଷ୍ଟିକ ବର୍ଜ୍ୟ ବାହାରିଥିବାବେଳେ ମଧ୍ୟପ୍ରଦେଶ ଓ କେରଳରୁ ବାହାରିଥିବା ପ୍ଲାଷ୍ଟିକ ବର୍ଜ୍ୟର ପରିମାଣ ୧ଲକ୍ଷ ଟନ୍‍ରୁ ଅଧିକ ରହିଛି ।

ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ୨୦୧୬ ମସିହାରେ ଆଇନ୍‍ ପ୍ରସ୍ତୁତ ହୋଇଥିବାବେଳେ ୨୦୨୧ ମସିହାରେ ଏଥିରେ ସଂଶୋଧନ କରାଯାଇଛି । ତଦନୁଯାୟୀ ଚିହ୍ନିତ ଏକକ ବ୍ୟବହୃତ ପ୍ଲାଷ୍ଟିକ ଉପରେ ନିଷେଧାଦେଶ ଜାରି ହୋଇଛି । ଏହାର ଉତ୍ପାଦନ, ବିକ୍ରି ଓ ବ୍ୟବହାର ଉପରେ କଟକଣା ଲଗାଯାଇଥିଲା । କେନ୍ଦ୍ର ସରକାର ୨୦୨୨ ମସିହାରେ ଏହି ଅଧିନରେ ପୁର୍ନବାର ସଂଶୋଧନ କରିବା ସହିତ ୨୦୨୨ ମସିହା ଫେବୃୟାରୀ ୧୬ତାରିଖରୁ ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା ପାଇଁ ମାର୍ଗଦଶିକା ଜାରି କରିଛନ୍ତି ।

ସମଗ୍ର ଦେଶରେ ପଞ୍ଜିକୃତ ଉତ୍ପାଦନକାରୀ, ଆମଦାନୀକାରୀ ଏବଂ ପ୍ଲାଷ୍ଟିକ ସାମଗ୍ରୀରେ ପ୍ୟାକେଜିଂ କରୁଥିବା ମାଲିକମାନେ ୨୦୨୨-୨୩ ବର୍ଷରେ ପ୍ରାୟ ୩ ନିୟୁତ ଟନ୍‍ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର କରିଥିବାବେଳେ ପ୍ଲାଷ୍ଟିକ ବର୍ଜ୍ୟ ପ୍ରକ୍ରିୟାକରଣ ସଂସ୍ଥାଗୁଡିକ ପ୍ରାୟ ୨.୫ ନିୟୁତ ଟନ୍‍ ସାମଗ୍ରୀର ପ୍ରକ୍ରିୟାକରଣ ଏବଂ ରିସାଇକ୍ଲିଂ କରିଥିବା ଜଣାଯାଇଛି ।

ତେବେ ଆମ ରାଜ୍ୟରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ଉପରେ କଟକଣା ବହୁ ଆଡମ୍ବରରେ ଆରମ୍ଭ ହୋଇଥିବାବେଳେ ଏବେ ତାହା ଏକ ପ୍ରକାର ଲଘୁକ୍ରିୟାରେ ପରିଣତ ହୋଇଛି । ପୂର୍ବାପେକ୍ଷା ଅଧିକ ପରିମାଣରେ ଏକକ ବ୍ୟବହୃତ ସାମଗ୍ରୀ ରାସ୍ତାଘାଟରେ ଗଦା ହେଉଥିବା ଦେଖିବାକୁ ମିଳୁଛି । ପ୍ରଶାସନର ସମସ୍ତ ଉଦ୍ୟମ ସତ୍ୱେ ନିମ୍ନମାନର ଜରି ମୁଣା (ପଲିଥିନ୍‍) କୁ ନିଷିଦ୍ଧ କରାଯାଇ ପାରୁନାହିଁ । ବରଂ ସହରାଞ୍ଚଳରେ ମଝିରେ ମଝିରେ ପ୍ରଶାସନ ଏଭଳି ପଲିଥିନ୍‍ ବିରୁଦ୍ଧରେ ଅଭିଯାନ ଚଳାଉଥିବାରୁ ପଲିଥିନ୍‍ ବ୍ୟବସାୟୀମାନେ ଗାଁ ଗହଳରେ ସେମାନଙ୍କ କାରବାର ବଢାଇବାରେ ଲାଗିଛନ୍ତି ।

ରାଜ୍ୟରେ ପ୍ଲାଷ୍ଟିକ ବର୍ଜ୍ୟର ପରିମାଣ ଯେଭଳି ଭାବେ ବଢି ବଢି ଚାଲିଛି ତାହା ଆଗାମୀ ଦିନରେ ମୃତ୍ତିକା, ଜଳ ଓ ବାୟୁ ଆଦିକୁ ଭୟଙ୍କର ଭାବେ ବିଷାକ୍ତ କରିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । (ତଥ୍ୟ)