Home Finance ଋଣ ବୋଝ ଏକ ଲକ୍ଷ କୋଟି

ଋଣ ବୋଝ ଏକ ଲକ୍ଷ କୋଟି

ଭୁବନେଶ୍ୱର : ଓଡ଼ିଶାର ଋଣ ବୋଝ ଗତ ଜାନୁଆରୀ ମାସ ଶେଷ ସୁଦ୍ଧା ୮୭,୬୨୬ କୋଟି ୬୧ଲକ୍ଷ ଟଙ୍କା ଥିବାବେଳେ ଏବେ ଏହାର ପରିମାଣ ପ୍ରାୟ ୧ଲକ୍ଷ କୋଟି ଟଙ୍କା ହେବ ବୋଲି ଆଶଙ୍କା କରାଯାଉଛି । ତେବେ ରାଜ୍ୟ ବିତ୍ତିୟ ଉତ୍ତରଦାୟୀ ଓ ବଜେଟ୍‍ ପରିଚାଳନା ଅଧିନିୟମରେ ଋଣ ବୋଝ ଜିଏସ୍‍ଡିପିର ୨୫ ପ୍ରତିଶତରୁ କମ୍‍ ରଖିବା ପାଇଁ ଯେଉଁ ବ୍ୟବସ୍ଥା ରହିଛି ତାହା ଓଡ଼ିଶା ପାଳନ କରୁଥିବାବେଳେ ଭାରତ ସରକାରଙ୍କ ଋଣବୋଝ କିନ୍ତୁ ଜିଏସ୍‍ଡିପିର ପ୍ରାୟ ୫୦ ପ୍ରତିଶତକୁ ଟପିଗଲାଣି ।

୧୯୯୦ ମାର୍ଚ୍ଚ ବେଳକୁ ଓଡ଼ିଶାର ଋଣ ଭାର ୩୮୭୦କୋଟି ୮୪ଲକ୍ଷ ଟଙ୍କା ଥିବାବେଳେ ୧୯୯୫ ମାର୍ଚ୍ଚ ବେଳକୁ ତାହା ୭୯୫୭ କୋଟି ୮୬ଲକ୍ଷ ଟଙ୍କାରେ ପହଞ୍ôଚଥିଲା । ୨୦୦୦ ମାର୍ଚ୍ଚ ବେଳକୁ ଓଡ଼ିଶାର ଋଣବୋଝ ବଢି ବଢି ୧୮,୧୦୦ କୋଟି ୭୮ଲକ୍ଷ ଟଙ୍କାରେ ପହଞ୍ôଚଥିବାବେଳେ ୨୦୧୧ ମାର୍ଚ୍ଚରେ ଏହା ୩୯ହଜାର ୧୩୬କୋଟି ୯୧ଲକ୍ଷ ଟଙ୍କାରେ ଥିଲା ।

୨୦୧୪-୧୫ ବର୍ଷରେ ଏହା ୪୬ହଜାର ୭୪୬ କୋଟି ୪୫ଲକ୍ଷ ଟଙ୍କାକୁ ବଢିଥିବାବେଳେ ବିଧାନସଭାର ଗତ ବଜେଟ୍‍ ଅଧିବେଶନ କାଳରେ ଅର୍ଥମନ୍ତ୍ରୀ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟର ଋଣ ଭାର ୨୦୨୩ ଜାନୁୟାରୀ ଶେଷ ସୁଦ୍ଧା ୮୭ହଜାର ୬୨୬କୋଟି ୬୧ଲକ୍ଷ ଟଙ୍କା ଥିଲା ବୋଲି ମହାଲେଖାଗାରଙ୍କ ପ୍ରାରମ୍ଭିକ ଆକଳନ ଆଧାରରେ ସୂଚନା ଦିଆଯାଇଥିଲା । ଏହି ହିସାବ ମୁତାବକ ରାଜ୍ୟର ମୁଣ୍ଡପିଛା ଋଣ ଭାର ୧୯ହଜାର ୮୨୫କୋଟି ଟଙ୍କାରୁ ଅଧିକ ରହିଛି ।

ଅନ୍ୟପକ୍ଷରେ କେନ୍ଦ୍ର ଅର୍ଥମନ୍ତ୍ରୀ ସଂସଦରେ ରଖିଥିବା ତଥ୍ୟ ମୁତାବକ ଗତ ମାର୍ଚ୍ଚ ଶେଷ ସୁଦ୍ଧା ଭାରତ ସରକାରଙ୍କ ଋଣ ବୋଝ ୧୫୫ଲକ୍ଷ କୋଟି ଟଙ୍କାରୁ ଅଧିକ । ୨୦୨୪ ମାର୍ଚ୍ଚ ବେଳକୁ ଦେଶର ଋଣ ପରିମାଣ, ୧୭୨ଲକ୍ଷ କୋଟି ଟଙ୍କାକୁ ଟପି ପାରେ ବୋଲି ଆଶଙ୍କା କରାଯାଉଛି । ଦେଶର ଜନସଂଖ୍ୟା ଏବେ ପ୍ରାୟ ୧୪୦ କୋଟି ବୋଲି ଅନୁମାନ କରାଯାଉଥିବାବେଳେ ଋଣ ବୋଝକୁ ହିସାବକୁ ନେଲେ କେନ୍ଦ୍ର ସରକାରଙ୍କ ଋଣବୋଝ ୧ଲକ୍ଷ ଟଙ୍କାକୁ ଟପି ସାରିଲାଣି ।

ଓଡ଼ିଶାର ବିତ୍ତୀୟ ପରିଚାଳନା ଜାତୀୟ ସ୍ତରରେ ପ୍ରଶଂସିତ ହେଉଥିବା କୁହାଯାଉଛି । ରାଜ୍ୟର ଋଣଭାର ହ୍ରାସ କରିବା ପାଇଁ ସରକାର କେତେଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜସ୍ୱ ବଳକା ସୃଷ୍ଟି କରି ଋଣ ଉପରେ ନିର୍ଭରଶୀଳତାକୁ କମାଯିବା ସହିତ ଦୀର୍ଘବର୍ଷ ଧରି ରାଜ୍ୟ ସରକାର ଖୋଲା ବଜାରରୁ ଋଣ ନେଉନାହାନ୍ତି । ଏହାଛଡ଼ା ଉଚ୍ଚହାର ବିଶିଷ୍ଟ ଋଣକୁ ଆଗୁଆ ପୈଠ କରି ସୁଧର ବୋଝ କମାଉଛନ୍ତି । ଜାତୀୟ ସ୍ୱଳ୍ପ ସଞ୍ଚୟ ପାଣ୍ଠିରୁ ବି ୨୦୧୬-୧୭ରୁ ଏପର୍ଯ୍ୟନ୍ତ ଓଡ଼ିଶା ସରକାର କୌଣସି ଋଣ ନେଇ ନାହାନ୍ତି । ସଫଳ ବିତ୍ତୀୟ ପରିଚାଳନା ଯୋଗୁ ଗତ ପ୍ରାୟ ୧୨ବର୍ଷ ମଧ୍ୟରେ କେନ୍ଦ୍ରୀୟ ଋଣ ଉପରୁ ପ୍ରାୟ ୨ହଜାର କୋଟି ଟଙ୍କା ପରିଶୋଧରୁ ଛାଡ ପାଇଥିବା କୁହାଯାଉଛି ।

ଅର୍ଥ ବିଭାଗର ତଥ୍ୟ ମୁତାବକ ୧୯୯୯-୨୦୦୦ବର୍ଷରେ ରାଜ୍ୟର ମୁଣ୍ଡପିଛା ଋଣ ପରିମାଣ ୪,୯୧୮ଟଙ୍କା ଥିବାବେଳେ ମୁଣ୍ଡପିଛା ଆୟ ଥିଲା ୧୩,୦୧୨ଟଙ୍କା । ତେବେ ୨୦୨୨ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟର ମୁଣ୍ଡପିଛା ଋଣ ପରିମାଣ ୨୨,୦୪୨ଟଙ୍କା ଥିବାବେଳେ ମୁଣ୍ଡ ପିଛା ଆୟ ୧,୨୮,୮୭୩ଟଙ୍କା ଥିଲା । ଅର୍ଥାତ୍‍ ୧୯୯୯-୨୦୦୦ରୁ ୨୦୨୧-୨୨ ମଧ୍ୟରେ ଓଡ଼ିଶାର ଋଣ ତୁଳନାରେ ମୁଣ୍ଡ ପିଛା ଆୟ ଢେର ବଢିଛି । (ତଥ୍ୟ)