Home Forest ଜଙ୍ଗଲ ପଦା କରୁଛନ୍ତି କରତକଳ

ଜଙ୍ଗଲ ପଦା କରୁଛନ୍ତି କରତକଳ

ଭୁବନେଶ୍ୱର : ରାଜ୍ୟରେ ଲୁଚା ଛପାରେ ଚାଲୁଥିବା ବେଆଇନ୍‍ କରତକଳଗୁଡିକ ଜଙ୍ଗଲ ପଦା କରିବାରେ ଲାଗିଛନ୍ତି । ସକାରଙ୍କ ଠାରୁ ଅନୁମତି ନେଇ ରାଜ୍ୟରେ ଯେତିକି କରତକଳ ପ୍ରତିଷ୍ଠା ହୋଇଛି ତାହାଠାରୁ ବହୁଗୁଣ ବେଆଇନ୍‍ କରତକଳ ଚାଲୁଛି ।

ଲୋକେ ନିଜ ନିଜର ଆବଶ୍ୟକତା ଅନୁଯାୟୀ କିଭଳି କାଠ କାଟିବେ ସେଥିପାଇଁ ରାଜ୍ୟ ସରକାର କରତକଳ ପ୍ରତିଷ୍ଠା ପାଇଁ ଅନୁମତି ଦେଉଛନ୍ତି । ପୂର୍ବରୁ ଯେଭଳି କରତକଳଗୁଡିକ ବିକ୍ଷିପ୍ତ ଭାବେ ଥିଲେ ଓ ଲୁଚାଛପାରେ ଗଛ କାଟୁଥିଲେ ସେଥିରେ ପ୍ରତିବନ୍ଧକ ଲଗାଇବାପାଇଁ କରତକଳ ପାଇଁ ସରକାର ସ୍ଥାନ ଚିହ୍ନଟ ସହିତ ସେହିଠାରେ ହିଁ ଅନୁମତି ଦେଇଛନ୍ତି । ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ଅନୁମତିପ୍ରାପ୍ତ କରତକଳଗୁଡିକରେ ଲୋକେ କାଠ ଚିରଟ କରୁଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ମୋଟ୍‍ ୧୫୪ଟି ଅନୁମତିପ୍ରାପ୍ତ କରତକଳ ରହିଛି । ଏମାନଙ୍କ ମଧ୍ୟରେ ଅବିଭକ୍ତ କଟକ ଯଥା କଟକ, ଜଗତସିଂହପୁର, ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ସର୍ବାଧିକ ୭୩ଟି କରତକଳ ଥିବାବେଳେ ଖୋରଧା ଜିଲ୍ଲାର ଖୋର୍ଦ୍ଧା ଜଙ୍ଗଲ ଡିଭିଜନ ଅଧିନରେ ୧୪ଟି, ସୁନ୍ଦରଗଡ ଜିଲ୍ଲାର ରାଉରକେଲା ଜଙ୍ଗଲ ଡିଭିଜନ ଅଧିନରେ ୧୦ଟି, ବାଲେଶ୍ୱର ବନ୍ୟପ୍ରାଣୀ ଡିଭିଜନ ଅଧିନରେ ୮ଟି, ଭଦ୍ରକ ବନ୍ୟପ୍ରାଣୀ ଡିଭିଜନ ଓ ଢେଙ୍କାନାଳ ବନଖଣ୍ଡ ଅଞ୍ଚଳରେ ୭ଟିକରି କରତକଳ ପାଇଁ ସରକାର ଅନୁମତି ଦେଇଛନ୍ତି । ସେହିଭଳି ଖୋରଧା ଜିଲ୍ଲା ସିଟି ଫରେଷ୍ଟ ଡିଭିଜନ ଇଲାକାରେ ୫ଟି, ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବନଖଣ୍ଡ ଅଞ୍ଚଳରେ ୪ଟି କରତକଳ ରହିଛି । ସେହିଭଳି ଆଉ କେତେକ ବନଖଣ୍ଡ ଅଞ୍ଚଳରେ ଗୋଟିଏ ଦୁଇଟି କରି କରତକଳ ପ୍ରତିଷ୍ଠା ପାଇଁ ଅନୁମତି ଦିଆଯାଇଛି ।

ତେବେ ରାଜ୍ୟରେ ମାତ୍ର ୧୫୪ ଅନୁମତିପ୍ରାପ୍ତ କରତକଳ ଥିବାବେଳେ ଗତ ୫ବର୍ଷରେ ୩୮୭ ବେଆଇନ୍‍ କରତକଳ ଧରାପଡିଲେଣି । ଏମାନେ ବେଆଇନ୍‍ ଭାବେ ମୂଲ୍ୟବାନ କାଠ କାଟି ଜଙ୍ଗଲ ପଦା କରିବାରେ ଲାଗିଛନ୍ତି । ଏପରିକି ସରକାର ନିଷେଧ କରିଥିବା ଚନ୍ଦନ ଓ ରକ୍ତଚନ୍ଦନ ଭଳି ଗଛକୁ ରାତାରାତି କାଟି ଚାଲାଣ କରୁଛନ୍ତି ।

ବେଆଇନ୍‍ ଭାବେ ଧରାପଡିଥିବା କରତକଳ ମଧ୍ୟରେ ସର୍ବାଧିକ ୨୨୧ଟି ରହିଛି ବାଲେଶ୍ୱର ବନ୍ୟପ୍ରାଣୀ ଡିଭିଜନରେ । ଏଠାରେ ସରକାର ମାତ୍ର ୮ଟି କରତକଳକୁ କାଠ କାଟିବାଲାଗି ଅନୁମତି ଦେଇଛନ୍ତି । ସେହିଭଳି ପୁରୀ ବନ୍ୟପ୍ରାଣୀ ଡିଭିଜନରେ ୫୩ଟି ବେଆଇନ୍‍ କରତକଳ ଧରା ପଡିଥିବାବେଳେ ଖୋରଧା ବନଖଣ୍ଡରେ ୩୨ଟି, ସମ୍ବଲପୁର ଓ ବରଗଡ ବନଖଣ୍ଡରେ ୩୧ଟି କରି ବେଆଇନ୍‍ କରତକଳ ଜବତ ହୋଇଛି । ଭଦ୍ରକ ବନ୍ୟପ୍ରାଣୀ ଡିଭିଜନରେ ୨୪ ଓ ଖୋରଧା ଜିଲ୍ଲାର ସିଟି ଫରେଷ୍ଟ ଅଞ୍ଚଳରେ ୨୧ଟି ବେଆଇନ୍‍ କରତକଳ ଧରାପଡିଛି ।

ତେବେ ରାଜ୍ୟ ସରକାର ଯେଉଁସବୁ ବନଖଣ୍ଡ ଅଞ୍ଚଳରେ କରତକଳ ବସାଇବାକୁ ଅନୁମତି ଦେଇନାହାନ୍ତି ସେଠାରୁ ଚୋରାରେ ଛୋଟ ଛୋଟ କାଠଗଣ୍ଡି ଆସି ଉପକୂଳ ଜିଲ୍ଲା ଓ ଅନ୍ୟାନ୍ୟ ସ୍ଥାନରେ ଥିବା କରତକଳଗୁଡିକରେ ଚିରଟ ହୋଇ ପଟା ଆକାରରେ ବିକ୍ରି ହେଉଛି । ଏହି କାରବାର ପଛରେ ବଡ ବଡ କାଠ ମାଫିଆ ଥିବାରୁ ଏମାନଙ୍କୁ ସହଜରେ ରୋକାଯାଇ ପାରୁନାହିଁ । ତେବେ ଯେଉଁସବୁ ଅଞ୍ଚଳରେ ଅନୁମତିପ୍ରାପ୍ତ କରତକଳ ରହିଛି ସେଠାକାର ଜଙ୍ଗଲ ଅଧିକାରୀ ଓ ପୁଲିସ୍‍ ବାବୁମାନଙ୍କ ଜ୍ଞାତସାରରେ ଅନ୍ୟ ଜିଲ୍ଲାର କାଠ ଆସି ଚିରଟ ହେଉଥିବା କୁହାଯାଉଛି । ମୋଟାମୋଟି ଭାବେ ଜଙ୍ଗଲ ହ୍ରାସକୁ ରୋକିବାପାଇଁ ରାଜ୍ୟ ସରକାର ସ୍ୱଳ୍ପ ସଂଖ୍ୟକ କରତକଳକୁ ଅନୁମତି ଦେଇଥିବାବେଳେ ବେଆଇନ୍‍ ଓ ଚୋରାରେ ଚାଲୁଥିବା ଶହ ଶହ କରତକଳ ଏବେ ଜଙ୍ଗଲ ସମ୍ପଦ ପାଇଁ ବଡ ବିପଦ ସାଜିଛନ୍ତି । (ତଥ୍ୟ)