ଭୁବନେଶ୍ୱର : ଓଡ଼ିଶାରେ ସରକାରଙ୍କ ନିୟନ୍ତ୍ରଣରେ ୧୮ଟି ବିଶ୍ୱ ବିଦ୍ୟାଳୟ ଥିବାବେଳେ ଏଥିରେ ପାଖାପାଖି ଦେଢ ହଜାର ଶିକ୍ଷକ ଓ ୨ହଜାର ଅଣଶିକ୍ଷକ ପଦବୀ ଖାଲି ପଡିଛି । ବିଶ୍ୱ ବିଦ୍ୟାଳୟ ଆଇନରେ ଅଣାଯାଇଥିବା ସଂଶୋଧନ ଓ ଏ ସଂକ୍ରାନ୍ତରେ ମାମଲା ସୁପ୍ରିମ୍କୋର୍ଟରେ ଗଡୁଥିବାରୁ ନୂଆ ଆଇନ ଆଧାରରେ ନିଯୁକ୍ତି ଦିଆଯାଇପାରୁନାହିଁ । ଏହି ସମସ୍ୟାର ଅନ୍ତ କେବେ ହେବ ସେ ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ ଭାବେ କେହି କିଛି କହିପାରୁନାହାନ୍ତି ।
ବିଶ୍ୱବିଦ୍ୟାଳୟ ଲାଗି ଥିବା ପୁରୁଣା ଆଇନ ଆଧାରରେ ପୂର୍ବରୁ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟମାନେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ମାନଦଣ୍ଡ ଆଧାରରେ ଶିକ୍ଷକ ପଦବୀରେ ନିଯୁକ୍ତି ଓ ପଦୋନ୍ନତି ଦେଉଥିଲେ । ତେବେ ସଂଶୋଧିତ ନୂଆ ଆଇନ ଅଣାଯିବା ପରେ ରାଜ୍ୟର ବିଶ୍ୱ ବିଦ୍ୟାଳୟ ଗୁଡିକରେ ନିଯୁକ୍ତି ପାଇଁ ଚୟନ ପ୍ରକ୍ରିୟା ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ କରିବାକୁ ବ୍ୟବସ୍ଥା ଅଛି । ଏହି ନୂଆ ଆଇନର ବୈଧତା ଘେନି ଆଇନ ଅଦାଲତରେ ମାମଲା ଗଡୁଛି । ଏମିତିକି ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗ ଓଡ଼ିଶାର ଏହି ପ୍ରସଙ୍ଗକୁ ସୁପ୍ରିମ୍କୋର୍ଟ ପର୍ଯ୍ୟନ୍ତ ନେଇଛି ।
୨୦୧୪ ମସିହା ବେଳକୁ ସରକାରୀ ତଥ୍ୟ ମୁତାବକ ଉତ୍କଳ ବିଶ୍ୱବିଦ୍ୟାଳୟରେ ୧୨୭ଟି, ସମ୍ବଲପୁରରେ ୫୬ଟି, ବ୍ରହ୍ମପୁରରେ ୫୪ଟି, ରେଭେନ୍ସାରେ ୩୨ଟି, ଉତ୍ତର ଓଡ଼ିଶାରେ ୧୦ଟି, ଫକୀରମୋହନରେ ୧୬ଟି ଓ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ୨୨ଟି ଶିକ୍ଷକ ପଦବୀ ଖାଲି ପଡିଥିଲା । ଏହି ପଦବୀ ଗୁଡ଼ିକ ପୂରଣ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେତେବେଳେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ଅବଶ୍ୟ ଏହି ବିଶ୍ୱ ବିଦ୍ୟାଳୟ ଗୁଡିକ ସମେତ ଅନ୍ୟ ବିଶ୍ୱବିଦ୍ୟାଳୟ ମାନଙ୍କରେ ପୁରୁଣା ଆଇନ ଆଧାରରେ ନିଯୁକ୍ତି ଧିମା ଗତିରେ ଦିଆଯାଉଥିଲା । ୨୦୦୩ ମାର୍ଚ୍ଚ ୧୫ ତାରିଖରେ ଓଡ଼ିଶା ସରକାର ବିଧାନସଭାରେ ଯେଉଁ ତଥ୍ୟ ଦେଇଛନ୍ତି ସେଥିରୁ ଉତ୍କଳ ବିଶ୍ୱ ବିଦ୍ୟାଳୟରେ ୧୨୯ଟି, ରେଭେନ୍ସାରେ ୧୫୩ଟି, ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ୬୨ଟି, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ୮୦ଟି, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ୧୯ଟି ଶିକ୍ଷକ ପଦବୀ ଖାଲି ପଡିଥିଲା ।
ବାରିପଦାର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବ ବିଶ୍ୱବିଦ୍ୟାଳୟରେ ୭୬ଟି, ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ୭୦ଟି, ଭୁବନେଶ୍ୱରର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ୭୯ଟି, ବାଲେଶ୍ୱରର ଫକୀରମୋହନ ବିଶ୍ୱବିଦ୍ୟାଳୟରେ ୪୩ଟି, କଟକର ମଧୁସୁଦନ ଆଇନ ବିଶ୍ୱବିଦ୍ୟାଳୟରେ ୫୦ଟି ଶିକ୍ଷକ ପଦବୀ ଏହି ସମୟ ସୁଦ୍ଧା ଖାଲି ଥିଲା । ଏବେ ଉକ୍ତ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଥିବା ପ୍ରଫେସର, ସହଯୋଗୀ ପ୍ରଫେସର ଓ ସହକାରୀ ପ୍ରଫେସର ସଂଖ୍ୟା ଢେର୍ ବୃଦ୍ଧି ପାଇଛି । କେବଳ ଉତ୍କଳ ବିଶ୍ୱବିଦ୍ୟାଳୟରେ ୩୭ଟି, ସମ୍ବଲପୁରରେ ୧୫ଟି, ବ୍ରହ୍ମପୁରରେ ୧୪ଟି ଓ ରମାଦେବୀରେ ୮ଟି ପ୍ରଫେସର ପଦବୀ ଖାଲି ପଡିଛି । ରାଜ୍ୟର ଅନେକ ବିଶ୍ୱ ବିଦ୍ୟାଳୟରେ ୧୦ଜଣ କରି ପ୍ରଫେସର ନାହାନ୍ତି ।
ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଓୟୁଟିଆର୍ ବିଶ୍ୱବିଦ୍ୟାଳୟ, ଧରଣୀଧର ବିଶ୍ୱବିଦ୍ୟାଳୟ, ବିକ୍ରିମ ଦେବ ବିଶ୍ୱବିଦ୍ୟାଳୟ, ଓଡ଼ିଶା ସଂସ୍କୃତି ବିଶ୍ୱବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, କଳାହାଣ୍ଡି ବିଶ୍ୱବିଦ୍ୟାଳୟ, ରାଜେନ୍ଦ୍ର ନାରାୟଣ ବିଶ୍ୱବିଦ୍ୟାଳୟ, କୋରାପୁଟର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ ଆଦିରେ ମାଳ ମାଳ ଶିକ୍ଷକ ପଦବୀ ଖାଲି । ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଥିବା ଅଣଶିକ୍ଷକ ପଦବୀ ସଂଖ୍ୟା ୨ହଜାରରୁ ଅଧିକ ବୋଲି କୁହାଯାଉଛି । ନୂଆ ଆଇନ ଆଧାରରେ ବିଶ୍ୱବିଦ୍ୟାଳୟ ଗୁଡିକ ସିଧାସଳଖ ଭାବେ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଲାଗି ପ୍ରାର୍ଥୀ ଚୟନ କରିପାରିବେ ନାହିଁ । କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ କେନ୍ଦ୍ର ସରକାରଙ୍କ ଦ୍ୱାରା ଚାଲୁଥିବାବେଳେ ତାହା ପ୍ରତି ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ ଲାଗୁ ନଥିଲେ ବି କେନ୍ଦ୍ର ସରକାରଙ୍କ ମନ୍ଥରତା ଯୋଗୁ ଏଠାରେ ଶିକ୍ଷକ ମରୁଡି ସାଂଘାତିକ ଅବସ୍ଥାରେ ପହଞ୍ôଚଛି ।
ଓଡ଼ିଶା ବିଶ୍ୱ ବିଦ୍ୟାଳୟ ପାଇଁ ପ୍ରଣୀତ ନୂଆ ଆଇନ ପ୍ରତ୍ୟାହୃତ କିମ୍ବା ରଦ୍ଦ ନହେବା ପର୍ଯ୍ୟନ୍ତ ପୁରୁଣା ଆଇନ ଆଧାରରେ ନିଯୁକ୍ତି ଦିଆଯାଇପାରିବନାହିଁ ବୋଲି ପଦାଧିକାରୀମାନେ କହୁଛନ୍ତି । ତେବେ ଆଇନ ବିଶେଷଜ୍ଞମାନେ କହୁଛନ୍ତି ଯେ ସୁପ୍ରିମ୍କୋର୍ଟଙ୍କ ରହିତାଦେଶ ଯୋଗୁ ନୂଆ ଆଇନ ଆଧାରରେ ନିଯୁକ୍ତି ଦିଆଯାଇପାରିବନାହିଁ । ଏସ୍ଇବିସିଙ୍କ ପାଇଁ ରାଜ୍ୟ ସରକାର ନିଯୁକ୍ତି କ୍ଷେତ୍ରରେ ୨୭ପ୍ରତିଶତ ସଂରକ୍ଷଣ ରଖିବା ଲାଗି କରିଥିବା ଆଇନର ବୈଧତା ଘେନି ଏବେବି ସୁପ୍ରିମ୍କୋର୍ଟରେ ମାମଲା ବିଚାରାଧୀନ ଥିବାବେଳେ ରାଜ୍ୟ ସରକାର ୨୦୧୪ ମସିହାରେ ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି କରି ଏହିବର୍ଗଙ୍କ ଲାଗି ୧୧.୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିବା ଭଳି ବର୍ତ୍ତମାନ ପରିପ୍ରେକ୍ଷୀରେ ପୁରୁଣା ଆଇନକୁ ସାମୟିକ ଭାବେ ଲାଗୁ କରି ଖାଲି ପଡିଥିବା ପଦବୀ ଗୁଡିକ ପୂରଣ କରିପାରିବେ ବୋଲି ଆଇନ ବିଶେଷଜ୍ଞମାନେ କହୁଛନ୍ତି । (ତଥ୍ୟ)