ଭୂବନେଶ୍ୱର : ବର୍ତମାନର ସମୟ ଯୁଦ୍ଧର ନୁହେଁ; ପ୍ରେମର । ପ୍ରେମ ହିଁ ପୃଥିବୀକୁ ଆହୁରି ସୁନ୍ଦର କରିପାରିବ । ଜୀବନ ଆହୁରି ମଧୁମୟ ହୋଇପାରିବ । ରକ୍ତର କୌଣସି ସୀମାସରହଦ ନାହିଁ । ସେହିଭଳି ରକ୍ତଦାତାମାନେ ଅସୀମତାର ପ୍ରତୀକ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି ।
ଆଜି ରାଜଭବନରେ ନୂଆ ଅଭିଷେକ ହଲ୍ରେ ଓଡିଶା ପ୍ରାନ୍ତୀୟ ମାରୱାଡି ଯୁବ ମଂଚ ପକ୍ଷରୁ ଆୟୋଜିତ ରକ୍ତଦାନ ଅଭିଯାନକୁ ଉଦ୍ଘାଟନ କରି ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ଆମ ଗୁଣସୂତ୍ରେରେ ଅଛନ୍ତି ଶ୍ରୀଜଗନ୍ନାଥ, ଯେ ଅନନ୍ତ ପ୍ରେମ ଓ ଆନନ୍ଦର ସୃଜକ । ରକ୍ତ ହିଁ ଅମୃତ ଯାହା ଅନ୍ୟ ଏକ ଜୀବନକୁ ଆୟୁଷରେ ଭରିଦିଏ । ରକ୍ତଦାନ ହିଁ ଈଶ୍ୱରୀୟ ଉପାସନା ।
ମାରୱାଡି ଯୁବ ମଂଚର ଅଧ୍ୟକ୍ଷ ବିକାଶ କୁମାର ବଥୁଆଲ, ରକ୍ତଦାନ ଶିବିରର ଅଧ୍ୟକ୍ଷ ରମାଶଙ୍କର ରୁଂଗ୍ଟା, ଆବାହକ ଅନୀଲ କୁମାର ଅଗ୍ରୱାଲ, ନେହା ପଟୱାରୀ ପ୍ରମୁଖ ଯୁବ ମଂଚର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ ।
ଉଲ୍ଲେଖଯୋଗ୍ୟ ଯେ ମଂଚ ପକ୍ଷରୁ ଜୁନ ୧୧ରୁ ୧୮ ତାରିଖ ପର୍ଯ୍ୟନ୍ତ ୧୦୬ ଶାଖା ଜରିଆରେ ୨୫୦ରୁ ଉର୍ଦ୍ଧ୍ୱ ଶିବିର ମାଧ୍ୟମରେ ୧୧,୧୧୧ ୟୁନିଟ୍ ରକ୍ତ ସଂଗ୍ରହର ଲକ୍ଷ୍ୟ ରଖାଯାଇଛି ।