Home General ରାଜଧାନୀରେ ଜାଇକା ଯନ୍ତ୍ରଣା

ରାଜଧାନୀରେ ଜାଇକା ଯନ୍ତ୍ରଣା

ଭୁବନେଶ୍ୱର : କଟକ ମହାନଗରବାସୀ ଦୀର୍ଘବର୍ଷ ଧରି ଭୋଗୁଥିବା ଜାଇକା ଯନ୍ତ୍ରଣା ରୋଗ ଏବେ ରାଜଧାନୀ ଭୁବନେଶ୍ୱରରେ ସଂକ୍ରମିତ ହେବାରେ ଲାଗିଛି । ଡ୍ରେନେଜ, ସ୍ୱରେଜ ସମସ୍ୟା ସହ ଘନ ଘନ ବିଜୁଳି କାଟ୍‍ ଓ ଲୋ ଭୋଲଟେଜ୍‍ ସମସ୍ୟା ରାଜଧାନୀବାସୀଙ୍କ ଜନଜୀବନକୁ ଦୁର୍ବିସହ କରିଦେଉଛି ।

ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ କହୁଥିଲେ ଯେ ମୌସୁମୀ ଆସିବା ପୂର୍ବରୁ ସମସ୍ତ ନାଳ ନର୍ଦ୍ଦମା କାମ ଶେଷ ହେବ । ଏହା ସତ୍ୱେ ଏବେ ବି ରାଜଧାନୀର ବହୁ ଅଞ୍ଚଳରେ ଡ୍ରେନ ମୁକୁଳା ପଡିଛି ଏବଂ ଆଉ କେତେକ ଅଞ୍ଚଳରେ ଡ୍ରେନ ନିର୍ମାଣ ପାଇଁ ରାସ୍ତାକଡ ଖୋଳି ମାସ ମାସ ଧରି ମାଟି ଉଠାଉନଥିବାରୁ ଯାତାୟତରେ ସମସ୍ୟା ଉପୁଜୁଛି ।

ପ୍ରବଳ ଗୁଳୁଗୁଳି ସହିତ ତାପମାତ୍ରା ବୃଦ୍ଧି ଯୋଗୁଁ ଦିନ ବେଳା ଲୋକେ ଘରୁ ବାହାରିବାକୁ ଡରୁଥିବାବେଳେ ରାତିରେ ବିଜୁଳି ସଙ୍କଟ ସହିତ ମଶାମାନଙ୍କର ବଢି ଚାଲିଥିବା ଆକ୍ରମଣ ଯୋଗୁଁ ଶୋଇବା ମୁସ୍କିଲ ହୋଇପଡୁଛି । ପରିବେଶବିତ୍‍ମାନେ କହୁଛନ୍ତି ଯେ ରାଜଧାନୀରେ ଭୂତଳ ଜଳସ୍ତର ତ୍ରୁଟିପୂର୍ଣ୍ଣ ପ୍ଲାନ ଅନୁମୋଦନ ଓ କଂକ୍ରିଟ ଜଙ୍ଗଲ ବୃଦ୍ଧି ଯୋଗୁଁ ହ୍ରାସ ପାଉଥିବାବେଳେ ରାସ୍ତାଘାଡ ତଡାତଡି ଜନିତ କାରଣରୁ ଉଡୁଥିବା ଧୂଳି ଯୋଗୁଁ ତାପାମାତ୍ରା ଅଧିକ ରହୁଛି । ସାଧାରଣ ଲୋକ ତ ଦୂରରକଥା, ମାନ୍ୟବର ବିଧାୟକମାନଙ୍କ ପାଇଁ ଥିବା ଏମଏଲ୍‍ଏ କଲୋନୀ ଫ୍ଲାଟ କ୍ୱାଟର୍ସରେ ଏବେ ଏହି କାରଣରୁ ଧୂଳି ବାଲି ଭର୍ତ୍ତିହୋଇ ଯାଉଛି ।

ଏମଏଲ୍‍ଏ କଲୋନୀରୁ ୧୨୦ବାଟାଲିୟନ ଆଡକୁ ଯାଇଥିବା ରାସ୍ତାକଡରେ ଅଧା ପନ୍ତରିଆ ଭାବେ ନୂଆ ଡ୍ରେନ ନିର୍ମାଣ ହୋଇଛି ଏବଂ ଏଥିଲାଗି ମାଟି ତାଡି ରାସ୍ତାଉପରେ ମାସ ମାସ ଧରି ଗଦାକରି ରଖାଯାଇଛି । ଏହି ରାସ୍ତାର ଗୋଟିଏ ପାଖ ଦବି ଯାଇଛି । ଫଳରେ ଖରାପାଗରେ ଏମଏଲ୍‍ଏ କଲୋନୀ, ପୋଷ୍ଟାଲ କଲୋନୀ, ରିଜର୍ଭବ୍ୟାଙ୍କ୍‍ କଲୋନୀ ଆଦି ଅଞ୍ଚଳରେ ପ୍ରଚୁର ଧୂଳି ଉଡୁଛି । ଅସରାଏ ବର୍ଷା ହେଲେ ଏହି ରାସ୍ତାରେ ଆଣ୍ଠୁଏ କାଦୁଅ । ଯେଉଁ ରାସ୍ତାରେ ଚାରିମାସ ତଳେ ଏକ ସଙ୍ଗରେ ତିନିଟି ଗାଡି ଯାଇ ପାରୁଥିଲା ଏବେ ସେହି ରାସ୍ତାରେ ଗୋଟିଏ ଗାଡି ଯିବା ବି କଷ୍ଟକର ହେଉଛି । କେତେକ ବିଧାୟକ ଏ ସଂକ୍ରାନ୍ତରେ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କଲେ ବି ଡ୍ରେନ ନିର୍ମାଣ କାମ ସରୁନାହିଁ କିମ୍ବା ରାସ୍ତାରୁ ମାଟି ଉଠାଯାଉ ନାହିଁ କି ଦବି ଯାଇଥିବା ରାସ୍ତାର ମରାମତି ହେଉନାହିଁ ।

ରାଜ୍ୟ ସଚିବାଳୟ ଓ ବିଧାନସଭା ନିକଟରେ ଥିବା ଏମଏଲ୍‍ଏ କଲୋନୀ ନିକଟରେ ଏଭଳି ସମସ୍ୟା ଥିବାବେଳେ ସାରା ଭୁବନେଶ୍ୱରରେ ଏବେ ଡ୍ରେନ ନିର୍ମାଣ ଓ ପୁରୁଣା ସ୍ୱରେଜ ଟାଙ୍କିକୁ ଭାଙ୍ଗି ନୂଆ ସ୍ୱରେଜ ଟାଙ୍କି ଗଢାଯିବାପାଇଁ ବ୍ୟାପକ ଖୋଳାତଡା ଚାଲୁଛି । ଏଥିଯୋଗୁଁ ଅସରାଏ ବର୍ଷା ହେଲେ ଜଳ ନିଷ୍କାସନ ସମସ୍ୟା ଉତ୍କଟତର ହୋଇ ଲୋକଙ୍କ ଘରେ ପାଣି ପଶୁଥିବା ଘେନି ବିଭିନ୍ନ ଅଞ୍ଚଳରୁ ଅଭିଯୋଗ ଆସୁଛି ।

ଡ୍ରେନ, ସ୍ୱରେଜ ଯନ୍ତ୍ରଣାକୁ ଏବେ ବଳି ଯାଇଛି ବିଦ୍ୟୁତ୍‍ ଯନ୍ତ୍ରଣା । ବର୍ଷା ପବନ ଦେଖାଦେବା ମାତ୍ରେ ବହୁ ଅଞ୍ଚଳରେ ବିଦ୍ୟୁତ୍‍ ସରବରାହ ବନ୍ଦ ହୋଇଯାଉଛି । ଏମିତିକି ରାସ୍ତାଘାଟର ଷ୍ଟ୍ରିଟ୍‍ ଲାଇଟ୍‍ ମଧ୍ୟ ଘଣ୍ଟା ଘଣ୍ଟା ଧରି ଜଳୁନାହିଁ । ବର୍ଷା ପବନ ନଥିଲେ ବି ଅଘୋଷିତ ବିଦ୍ୟୁତ୍‍ କାଟ ‘ଟ୍ରିପ୍‍’ ନାମରେ ଚାଲୁଛି । ବିଦ୍ୟୁତ୍‍ ଯୋଗାଉଥିବା ସଂସ୍ଥା ଏ ଦିଗରେ ଅଧିକ ଯତ୍ନଶୀଳ ହେବାପାଇଁ ବିଭିନ୍ନ ମହଲରୁ ଦାବି ହେଉଛି । ତେବେ ରାଜଧାନୀର ଏହି ତିନିଟି ପ୍ରମୁଖ ସମସ୍ୟା ସମ୍ପର୍କରେ ରାଜନୈତିକଦଳ ଓ ଗଣସଂଗଠନମାନେ ଏକ ପ୍ରକାର ନିରବତା ଅବଲମ୍ବନ କରୁଛନ୍ତି । (ତଥ୍ୟ)