Home Health ଜନ ଔଷଧିର ବିକ୍ରି ବଢୁଛି

ଜନ ଔଷଧିର ବିକ୍ରି ବଢୁଛି

ଭୁବନେଶ୍ୱର : ଲୋକଙ୍କୁ ସୁଲଭ ଦରରେ ଔଷଧ ଯୋଗାଣ ପାଇଁ କେନ୍ଦ୍ର ସରକାର ଜନ ଔଷଧି ଉପରେ ଅଧିକ ଗୁରୁତ୍ୱ ଦେଉଥିବାବେଳେ ଓଡିଶାରେ ଏହାର ବିକ୍ରି ବଢି ବଢି ଚାଲିଛି । ରାଜ୍ୟରେ ଜନ ଔଷଧି କାରବାର ୨୦୨୧-୨୨ରେ ୩୧ କୋଟି ଟଙ୍କା ଅତିକ୍ରମ କରିଥିବା ଜଣାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ୨୦୧୯-୨୦ରେ ଓଡିଶାରେ ୧୮.୬୬ କୋଟି ଟଙ୍କାର ଜନ ଔଷଧି କାରବାର ହୋଇଥିବାବେଳେ ୨୦୨୦-୨୧ ଏହା ୨୬.୩୦ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା । ତେବେ ୨୦୨୧-୨୨ ବର୍ଷରେ ରାଜ୍ୟରେ ଜନ ଔଷଧି ବିକ୍ରି ପରିମାଣ ୩୧.୧୭ କୋଟି ଟଙ୍କାରେ ପହଞ୍ଚିଛି । ଉଲ୍ଲେଖନୀୟ ଯେ ସମଗ୍ର ଦେଶରେ ୯୪୦୦ ଜନ ଔଷଧି କେନ୍ଦ୍ର ଖୋଲିଥିବାବେଳେ ରାଜ୍ୟରେ ଏବେ ୩୩୯ଟି ଖୋଲିଥିବା କେନ୍ଦ୍ର ସରକାରଙ୍କ ସୂଚନାରୁ ଜଣାପଡିଛି ।

ଅନ୍ୟ ପକ୍ଷରେ ସମଗ୍ର ଦେଶରେ କିଭଳି ଅଧିକରୁ ଅଧିକ ଜନଔଷଧି କେନ୍ଦ୍ର ଖୋଲିବ ତାହା ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେବା ସହିତ ଏବେ ପ୍ରାଥମିକ କୃଷି ଋଣ ସମବାୟ ସମିତି (ପାକ୍‍ସ)ଜରିଆରେ ଦୁଇ ହଜାର ଜନ ଔଷଧି କେନ୍ଦ୍ର ଖୋଲିବାକୁ ଯୋଜନା କରିଛନ୍ତି । ଏଥିପାଇଁ ମାନଦଣ୍ଡ ଧାର୍ଯ୍ୟ ସହିତ ଏନଜିଓମାନଙ୍କୁ ସାମିଲ କରାଯାଇଛି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ସମଗ୍ର ଦେଶରେ ଜନ ଔଷଧି ବିକ୍ରି ପରିମାଣ ତିନି ବର୍ଷ ମଧ୍ୟରେ ପ୍ରାୟ ଦୁଇଗୁଣରୁ ଅଧିକ ହୋଇଛି । ୨୦୧୯-୨୦ ବର୍ଷରେ ଦେଶରେ ୪୩୩.୬୧ କୋଟି ଟଙ୍କାର ଜନ ଔଷଧି ବିକ୍ରି ହୋଇଥିବାବେଳେ ୨୦୨୦-୨୧ ବର୍ଷରେ ଏହି ପରିମାଣ ୬୬୫.୮୩ କୋଟି ଟଙ୍କାରେ ପହଞ୍ଚିଥିଲା । ସେହିଭଳି ୨୦୨୧-୨୨ ବର୍ଷରେ ଜନ ଔଷଧ ବିକ୍ରି ପରିମାଣ ସମଗ୍ର ଦେଶରେ ୮୯୩.୫୭ କୋଟି ଟଙ୍କାରେ ପହଞ୍ଚିଛି ।

ବଜାରରେ ମିଳୁଥିବା ବିଭିନ୍ନ କମ୍ପାନୀର ଔଷଧ ତୁଳନାରେ କେନ୍ଦ୍ର ସରକାର ଛାଡୁଥିବା ଏହି ଜନ ଔଷଧିର ୫୦ରୁ ୯୦ପ୍ରତିଶତ କମ୍‍ ରହୁଥିବାରୁ ରୋଗୀମାନେ ଏହାକୁ ଖରିଦ କରିବାପାଇଁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମଧ୍ୟ ଜନଔଷଧି କେନ୍ଦ୍ର ଜରିଆରେ ଅଧିକରୁ ଅଧିକ ପ୍ରାୟ ୧୮୦୦ ପ୍ରକାରର ଔଷଧ ଏବଂ ୨୮୫ ପ୍ରକାରର ଡାକ୍ତରୀ ଉପକରଣ ଉପଲବ୍ଧ କରାଇଛନ୍ତି ।

ସେହିଭଳି ସରକାରୀ ଚିକିତ୍ସକମାନେ ଯେଭଳି ଅଧିକରୁ ଅଧିକ ଭାବେ ଜନଔଷଧି କେନ୍ଦ୍ରରେ ଉପଲବ୍ଧ ଔଷଧ ରୋଗୀମାନଙ୍କ ଚିଠାରେ ଲେଖିବେ ତାହା ଉପରେ ଗୁରୁତ୍ୱ ଦିଆଯାଉଛି । ରାଜ୍ୟ ସରକାର ମଧ୍ୟ ଜନଔଷଧି ଉପରେ ଗୁରୁତ୍ୱ ଆରୋପ କରୁଛନ୍ତି । ଏହାଦ୍ୱାରା ଲୋକଙ୍କର ଔଷଧ ଜନିତ ଖର୍ଚ୍ଚ ଢେର ହ୍ରାସପାଉଛି । (ତଥ୍ୟ)