ଭୁବନେଶ୍ୱର : ଭୁବନେଶ୍ୱର ଏମ୍ସକୁ ଚିକିତ୍ସାପାଇଁ ଆସୁଥିବା ରୋଗୀ ଓ ସେମାନଙ୍କ ଶହ ଶହ ସମ୍ପର୍କୀୟ ଖରା ବର୍ଷାରେ ସିଝୁଥିବାବେଳେ ଏମାନଙ୍କ ରହଣୀପାଇଁ ନାଲ୍କୋ ଅନୁଦାନରେ ବହୁ କୋଟି ଟଙ୍କା ବ୍ୟୟରେ ନିର୍ମିତ ସୁଉଚ୍ଚ ଧର୍ମଶାଳା ଭୂତକୋଠି ଭଳି ପଡିଛି । ଏହି ଧର୍ମଶାଳାର ନିର୍ମାଣକାମ ସରି ଏଠାରେ ଆସବାବପତ୍ର, ବିଦ୍ୟୁତ୍ ଓ ପାଣି ବ୍ୟବସ୍ଥା ଆଦି ସରିଥିଲେ ମଧ୍ୟ ନୂତନ ସୌଧଟି ଉଦଘାଟିତ ହୋଇପାରୁ ନଥିବାରୁ ତାହା ଦୀର୍ଘଦିନ ଧରି ଅବ୍ୟବହୃତ ହୋଇ ପଡିରହିଛି ।
ଏଠାରେ ଉଲ୍ଲେଖନୀୟ ଯେ ଏମ୍ସରେ ଉନ୍ନତମାନର ଚିକିତ୍ସା ଏକ ପ୍ରକାର ମାଗଣାରେ ଉପଲବ୍ଧ ହେଉଥିବା ଏବଂ ସାରା ଦେଶରେ ଏବେ ଭୁବନେଶ୍ୱର ଏମ୍ସର ଭଲ ରାଙ୍କିଙ୍ଗ୍ ରହୁଥିବାରୁ କେବଳ ଓଡିଶାର ନୁହେଁ, ପଡୋଶୀ ପଶ୍ଚିମବଙ୍ଗ, ଛତିଶଗଡ, ଝାଡଖଣ୍ଡ ଓ ଆନ୍ଧ୍ରପ୍ରଦେଶର ବହୁ ରୋଗୀ ଏହି ଜାତୀୟ ଅନୁଷ୍ଠାନ ଉପରେ ନିର୍ଭର କରୁଛନ୍ତି ।
ଏମ୍ସରେ ଭର୍ତ୍ତି ହେବାପାଇଁ ଦୂର ଦୂରାନ୍ତରୁ ଆସି ରୋଗୀ ଓ ସମ୍ପର୍କୀୟମାନେ ଦୀର୍ଘଦିନ ଧରି ଏମ୍ସ ପରିସର ଭିତରେ ଓ ବାହାରେ ରାସ୍ତାକଡରେ ପଡି ରହୁଛନ୍ତି । ଏମାନଙ୍କ ଉପରେ ଅନେକ ଦାଦାଗିରି ବି ହେଉଛି । ଏମିତିକି ଏହି ଲୋକମାନେ ଦଲାଲମାନଙ୍କ ଶୋଷଣର ଶିକାର ମଧ୍ୟ ହେଉଛନ୍ତି । ଅସାମାଜିକ ବ୍ୟକ୍ତିମାନେ ବାରମ୍ବାର ସମସ୍ୟା ମଧ୍ୟ ସୃଷ୍ଟି କରୁଛନ୍ତି । ଏ ସବୁ ସମସ୍ୟାର ସମାଧାନ ପାଇଁ ଏମ୍ସ ପରିସର ମଧ୍ୟରେ ଏକ ବହୁତଳ ବିଶିଷ୍ଟ ଧର୍ମଶାଳା ନିର୍ମାଣର ପରିକଳ୍ପନା କରାଯାଇଥିଲା । ଏଥିପାଇଁ ନାଲ୍କୋ ତାହାର ସିଏସ୍ଆର ପାଣ୍ଠିରୁ ମଧ୍ୟ ପର୍ଯ୍ୟାପ୍ତ ଅର୍ଥ ଯୋଗାଇ ଦେଇଛି ।
ଏମ୍ସ ପରିସରରେ ପ୍ରବେଶ କରିବାପରେ ବାମପଟକୁ ଏହି ସୁଉଚ୍ଚ ଧର୍ମଶାଳାଟି ଦେଖାଯାଏ । ଏହି ଧର୍ମଶାଳା କାର୍ଯ୍ୟକ୍ଷମ ହେଲେ ଏମ୍ସ ପରିସର ମଧ୍ୟରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଖରା ବର୍ଷାର ଯମ ଯନ୍ତ୍ରଣାରୁ ମୁକ୍ତି ପାଆନ୍ତେ । କେବଳ ସେତିକି ନୁହେଁ, ଆଖପାଖରେ ଯେଉଁମାନେ ଘରଭଡା ବ୍ୟବସାୟ କରୁଛନ୍ତି ସେମାନଙ୍କ ଶୋଷଣରୁ ବି ଏମାନେ ବଞ୍ଚି ଯାଆନ୍ତେ ।
ଏହି ଧର୍ମଶାଳା ଅଟ୍ଟାଳିକାରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । କିନ୍ତୁ ନିର୍ମାଣ ସରିବା ପରଠାରୁ ଏହା ଏଯାବତ୍ ଦିନକ ପାଇଁ କାର୍ଯ୍ୟକ୍ଷମ ହୋଇନାହିଁ । ନିକଟ ଅତୀତରେ ବାହାନଗା ରେଳ ଦୁର୍ଘଟଣାର ମୃତ ବ୍ୟକ୍ତିମାନଙ୍କ ଶବ ଏମ୍ସ ଶବାଗାର ନିକଟରେ କଣ୍ଟେନରରେ ରଖାଯାଇଛି । ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିମାନଙ୍କ ଶହ ଶହ ସମ୍ପର୍କୀୟ ଏମ୍ସ ପରିସରରେ ଭିଡ ଜମାଉଛନ୍ତି । ସେମାନଙ୍କ ପାଇଁ ରହିବା ଖାଇବାର କିଛି ବ୍ୟବସ୍ଥା ନଥିବାରୁ ନିମ୍ନ ଓ ମଧ୍ୟବିତ୍ତ ବର୍ଗର ବ୍ୟକ୍ତିମାନେ ଶୋକାକୂଳ ପରିବେଶରେ ଏମ୍ସ ରାସ୍ତାକଡରେ ଦିନ ରାତି ବିତାଉଛନ୍ତି ।
କୁହାଯାଉଛି ଯେ ଖୁବ୍ଶୀଘ୍ର ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କ ଲାଗି ନିର୍ମିତ ହୋଇଥିବା ଏହି ଅତ୍ୟାଧୁନିକ ଧର୍ମଶାଳା କାର୍ଯ୍ୟକ୍ଷମ ହେବା ତେବେ କେଉଁ ତାରଖରୁ ଏହା କାର୍ଯ୍ୟକ୍ଷମ ହେବ ସେ ସମ୍ପର୍କରେ କେହି କିଛି ଷୋଷଣା କରୁନାହାନ୍ତି । ତେବେ ନିଜ ନାମ ପ୍ରକାଶ ନକରିବା ସର୍ତ୍ତରେ ଜଣେ ଅଧିକାରୀ କହିଛନ୍ତି ଯେ ଏମ୍ସ ଧର୍ମଶାଳା ଉଦଘାଟନ ପାଇଁ ଅତିଥି ଚୟନରେ ବିଳମ୍ବ ଘଟୁଥିବାରୁ ଏହି ସୌଧ ରୋଗୀ ଓ ସେମାନଙକ ସମ୍ପର୍କୀୟମାନଙ୍କ ସେବାରେ ଲାଗିବା କ୍ଷେତ୍ରରେ ମଧ୍ୟ ବିଳମ୍ବ ହେଉଛି । (ତଥ୍ୟ)