ଭୁବନେଶ୍ୱର : ଭୂତ ଭୟରେ ୬୫ବର୍ଷର ବାହାନଗା ହାଇସ୍କୁଲକୁ ଭାଙ୍ଗି ଦିଆଯାଇଛି । ସେହି ସ୍ଥାନରେ ୫-ଟି ଉପକ୍ରମରେ ନୂତନ ବିଦ୍ୟାଳୟ ପ୍ରତିଷ୍ଠା ହେବ ।
ଉଲ୍ଲେଖନୀୟ ଗତ ୨ତାରିଖରେ ବାଲେଶ୍ୱରର ବାହାନଗା ଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ପରେ ଶବଗୁଡିକୁ ତୁରନ୍ତ ନିକଟସ୍ଥ ବାହାନଗା ହାଇସ୍କୁଲରେ ରଖାଯାଇଥିଲା । ସେଠାରୁ କିଛି ଶବକୁ ସେମାନଙ୍କ ଆତ୍ମୀୟମାନେ ନେଇଥିବାବେଳେ ପରେ ସମସ୍ତ ମୃତଦେହକୁ ଭୁବନେଶ୍ୱର ଏମ୍ସକୁ ଅଣାଯାଇଥିଲା ।
ତେବେ ଏଠାରେ ମୃତଦେହଗୁଡିକୁ ରଖାଯିବା ସମୟରେ ବିଦ୍ୟାଳୟର ଚଟାଣ ଓ କାନ୍ଥରେ ରକ୍ତଛିଟା ଲାଗିଥିଲା । ଫଳରେ ଛାତ୍ରଛାତ୍ରୀମାନେ ଭୟରେ ଏଠାକୁ ଆଉ ଆସିବା ରାଜି ହୋଇନଥିଲେ । ଅଭିଭାବକମାନେ ମଧ୍ୟ ସମାନ ମତ ପୋଷଣ କରିଥିଲେ ।
ବାଲେଶ୍ୱର ଜିଲ୍ଲାପାଳ କ୍ଷେତ୍ର ପରିଦର୍ଶନ କରିବା ସହିତ ବିଦ୍ୟାଳୟ ପରିଚାଳନା କମିଟି ଚାହିଁଲେ ପୁରୁଣା ବିଦ୍ୟାଳୟକୁ ଭାଙ୍ଗି ସେଠାରେ ନୂତନ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ତେବେ ପରିଚାଳନା କମିଟି ଏଥିପାଇଁ ରାଜି ହେବାପରେ ଆଜି ଠାରୁ ୧୯୫୮ରେ ପ୍ରତିଷ୍ଠା ହୋଇଥିବା ଏହି ପୁରାତନ ବିଦ୍ୟାଳୟର ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ନିଷ୍ପତ୍ତି ଅନୁଯାୟୀ ବାହାନଗା ହାଇସ୍କୁଲ ତଥା ସ୍କୁଲ ପରିସରରେ ଥିବା ପ୍ରାଥମିକ ବିଦ୍ୟାଳୟ ଗୃହର ୫ଟି ରୂପାନ୍ତର କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ନବୀକରଣ କରଯିବ । ଏହାକୁ ଏକ ଆଦର୍ଶ ସ୍କୁଲ ଭାବେ ଗଢି ତୋଳିବାକୁ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟଶାସନ ସଚିବ ପ୍ରଦୀ ଜେନା, ୫ଟି ସଚିବ ଭି.କେ. ପାଣ୍ଡିଆନ, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏସ୍.ଅଶ୍ୱସ୍ତି ଭିଡିଓ କନଫରେନ୍ସିଂ ଯୋଗେ ବାଲେଶ୍ୱର ଜିଲ୍ଲାପାଳ, ସ୍କୁଲ ପରିଚାଳନା କମିଟିର ସଦସ୍ୟବୃନ୍ଦ, ପଞ୍ଚାୟତ ପ୍ରତିନିଧି, ଶିକ୍ଷକ ଶିକ୍ଷୟତ୍ରୀ ଓ ପୁରାତଦ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ ।