ଭୁବନେଶ୍ୱର : ରାଜ୍ୟରେ ଖାଦ୍ୟ ଅପମିଶ୍ରଣ ମାମଲା ସଂଖ୍ୟା ବର୍ଷକୁ ବର୍ଷ ବଢୁଥିବାବେଳେ ଦଣ୍ଡବିଧାନ ହାର ଏକ ପ୍ରକାର ଶୂନ ରହିଛି । ଫଳରେ ଅପମିଶ୍ରଣକାରୀମାନେ ଭୟଶୂନ୍ୟ ହୋଇ ଏଭଳି ବେଆଇନ୍ କାର୍ଯ୍ୟରେ ମାତୁଥିବା ଲକ୍ଷ୍ୟ କରାଯାଉଛି ।
ସୂଚନା ଅନୁଯାୟୀ ୨୦୧୮-୧୯ ବର୍ଷରେ ରାଜ୍ୟରେ ୩୨୭ଟି ଖାଦ୍ୟ ନମୂନା ସଂଗ୍ରହ ହୋଇଥିବାବେଳେ ସେଥିରୁ ୯୧ଟିରେ ଅପମିଶ୍ରିତ ଥିବା ଜଣାପଡିଥିଲା । ଏହି ଘଟଣାରେ ୩୮ଟି ଫୌଜଦାରୀ ମାମଲା ରୁଜୁ ହୋଇଥିବାବେଳେ ଜଣେ ହେଲେ କେହି ଦୋଷୀ ସାବ୍ୟସ୍ତ ହେଲେ ନାହିଁ । ତେବେ ରୁଜୁ ହୋଇଥିବା ଦେୱାନୀ ମାମଲାରେ ମାତ୍ର ୩ ଜଣଙ୍କ ଠାରୁ ଜୋରିମାନା ଅର୍ଥ ଆଦାୟ ହୋଇଥିଲା ।
ଏହାର ପରବର୍ଷ ଅର୍ଥାତ୍ ୨୦୧୯-୨୦ ବର୍ଷରେ ୭୦୨ଟି ଖାଦ୍ୟ ନମୂନାରୁ ପରୀକ୍ଷା ହୋଇଥିବାବେଳେ ଏଥିରୁ ୧୮୩ଟିରେ ଅସଙ୍ଗତି ଥିବା ନଜରକୁ ଆସିଥିଲା । ଏହି ଘଟଣାରେ ଫୌଜଦାରୀ ମାମଲା ବି ରୁଜୁ ହୋଇଥିଲା ହେଲେ ଏଥିରେ ଦଣ୍ଡବିଧାନ ଶୂନ ରହିଥିଲା । ୨୦୨୦-୨୧ ବର୍ଷରେ ୧୦୩୭ଟି ନମୂନାରୁ ୨୭୨ରେ ଅପମିଶ୍ରଣ ନଜରକୁ ଆସିଥିବାବେଳେ ୩୩ଟି ଫୌଜଦାରୀ ମାମଲା ରୁଜୁ ହୋଇଥିଲା । ହେଲେ ସେହିବର୍ଷରେ ବି ଜଣେ ହେଲେ କେହି ଦୋଷୀ ସାବ୍ୟସ୍ତ ହୋଇ ନାହାନ୍ତି ।
୨୦୨୧-୨୨ ବର୍ଷରେ ସଂଗ୍ରହ ନମୂନା ପରିମାଣ ବୃଦ୍ଧି ପାଇ ୧୧୬୮ରେ ପହଞ୍ଚିଥିବାବେଳେ ପରୀକ୍ଷା ପରେ ଏଥିରୁ ୨୬୦ଟିରେ ଗୋଳମାଳ ଥିବା ନଜରକୁ ଆସିଥିଲା । ତଦନୁଯାୟୀ କର୍ତ୍ତୃପକ୍ଷ ୪୩ଟି ଫୌଜଦାରୀ ମାମଲା ରୁଜୁ କରିଥିଲେ । ହେଲେ ଏହିସବୁ ମାମଲାରେ ଜଣେ ହେଲେ କେହି ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି ।
ଖାଦ୍ୟ ନମୂନା ସଂଗ୍ରହ କରିବା ସହିତ ତାହାକୁ ପରୀକ୍ଷାଗାରରେ ପରୀକ୍ଷା କରିବା ହେଉଛି ରାଜ୍ୟ ସରକାରଙ୍କ ଦାୟିତ୍ୱ । ଏହି କାର୍ଯ୍ୟ ଜିଲ୍ଲା ସ୍ତରରେ ଥିବା ଖାଦ୍ୟ ନିରୀକ୍ଷକମାନେ କରିଥାନ୍ତି । ହେଲେ ଯେଉଁ ପରିମାଣରେ ନମୂନା ସଂଗ୍ରହ ହେଉଛି ତାହା ଅତି ନଗଣ୍ୟ ବୋଲି କୁହାଯାଉଛି । ସଂଗୃହୀତ ନମୂନା ମଧ୍ୟରୁ ଅଧିକାଂଶ ବିଭିନ୍ନ କମ୍ପାନୀର ପ୍ୟାକେଜିଂ ସାମଗ୍ରୀ ହୋଇଥିବାରୁ ସେଥିରୁ ସେଭଳି ସଫଳତା ମିଳୁନାହିଁ । ତେବେ ଯେତିକି ମାମଲା ବି ଧରାପଡୁଛି ଓ ଅପମିଶ୍ରଣ ଚିହ୍ନଟ ପରେ ମାମଲା ରୁଜୁ ହେଉଛି ସେଥିରେ ଜଣେ ହେଲେ କେହି ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଯାଉନାହାନ୍ତି କି ସେମାନଙ୍କ ପ୍ରତି ଆଖିଦୃଶିଆ ଦଣ୍ଡବିଧାନ ହେଉନାହିଁ ।
ଏହା ଫଳରେ ରାଜ୍ୟରେ ବିଶେଷକରି ସହରାଞ୍ଚଳରେ ନକଲି ଓ ଅପମିଶ୍ରିତ ଖାଦ୍ୟ ପ୍ରସ୍ତୁତକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟ ରାଜଧାନୀର ଅନତି ଦୂରରେ ଥିବା ପୁରୁଣା ରାଜଧାନୀ କଟକରୁ ପୁଳା ପୁଳା ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ଜବତ ହେଉଛି । ଏଥି ମଧ୍ୟରେ ନିତ୍ୟ ବ୍ୟବହାର୍ଯ୍ୟ ଟମାଟୋ ସସ୍ ଠାରୁ ଆରମ୍ଭ କରି ଘିଅ ଓ ମସଲାଗୁଣ୍ଡ ପର୍ଯ୍ୟନ୍ତ ରହୁଛି । ଧରାପଡୁଥିବା ଦୋଷୀମାନଙ୍କ ପ୍ରତି କଠୋର ଦଣ୍ଡବିଧାନ ହେଉନଥିବାରୁ ରାଜ୍ୟରେ ଅପମିଶ୍ରଣକାରୀଙ୍କ ଉତ୍ପାତ ବଢି ଚାଲିଥିବା କୁହାଯାଉଛି । (ତଥ୍ୟ)