ଭୁବନେଶ୍ୱର : ପ୍ରତିବର୍ଷ ଭଳି ଏଥର ମଧ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓର୍ମାସ ତରଫରୁ ଆୟୋଜନ କରାଯାଇଛି ଗାଁ ଆମ୍ବ ପସରା କାର୍ଯ୍ୟକ୍ରମ । ଜୁନ୍ ୮ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଏହି ଆମ୍ବ ବଜାର ଚାଲିବ ।
ଏସ.ଆଇ.ଆର.ଡି କ୍ୟାମ୍ପସ ସମ୍ମୁଖରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ଏହି ଆମ୍ବ ବଜାର ଉଦ୍ଘାଟନ କରିଥିଲେ । ମେଳା ଉଦ୍ଘାଟନ ଅବସରରେ ମନ୍ତ୍ରୀ ଶ୍ରୀ ଅମାତ ଓଡ଼ିଶା ଆମ୍ବ ଲୋଗୋର ଉନ୍ମୋଚନ କରିଥିଲେ ।
ଏଥିସହ ରାଜଧାନୀବାସୀଙ୍କୁ ଚାଷୀ ବଗିଚାର ତାଜା ଆମ୍ବ ଯୋଗାଇ ଦେବା ପାଇଁ ଓରମାସ ଦ୍ୱାରା ପ୍ରସ୍ତୁତ ‘ମ୍ୟାଙ୍ଗୋ ଅନ୍ ହ୍ୱିିଲ୍କୁ ପତାକା ଦେଖାଇ ସେ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁହା ପୁନମ ତାପସ କୁମାର ଓ ଅନ୍ୟ ବରିଷ୍ଠ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଓରମାସ ଆମ୍ବ ପସରା ବଜାରରେ ବିକ୍ରି ହେଉଛି ୭ଟି ଜିଲ୍ଲାର ଚାଷୀଙ୍କ ବଗିଚାର ତାଜା ସ୍ୱାଦିଷ୍ଟ ଓଡ଼ିଶା ଆମ୍ବ । ଏଥର ମେଳାରେ ଅନୁଗୋଳ, ବଲାଙ୍ଗିର, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମୟୂରଭଞ୍ଜ ଓ ସମ୍ବଲପୁର ଜିଲ୍ଲାର ଚାଷୀମାନଙ୍କ ବଗିଚାର ଗଛ ପାକଳ ଆମ୍ବ ବିକ୍ରି କରାଯାଉଛି ।
ଏଥିସହ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଗ୍ରାହକଙ୍କୁ ଏହି ଆମ୍ବ ଯୋଗାଇ ଦେବା ପାଇଁ, ଓରମାସ ତରଫରୁ ସ୍ୱତନ୍ତ୍ର ମୋବାଇଲ ଭ୍ୟାନ ବା ‘ମ୍ୟାଙ୍ଗୋ ଅନ୍ ହ୍ୱିଲ’ର ବ୍ୟବସ୍ଥା ମଧ୍ୟ କରାଯାଇଛି । ସେହିପରି ଘରେ ବସି ଅନ୍ଲାଇନରେ ସ୍କୁପି ଏବଂ ଏଭରଗ୍ରୋ ନାଓ ଜରିଆରେ ମଧ୍ୟ ଓର୍ମାସ ଆମ୍ବ କିଣିବାର ସୁବିଧା କରାଯାଇଛି ।
ଚଳିତ ବର୍ଷ ମେଳାରେ ଆମ୍ରପଲ୍ଲୀ, ଦଶେରୀ, ବେଗନପଲ୍ଲୀ, ସୁନ୍ଦରୀ, ତୋଟାପୁରୀ, ମଲ୍ଲିକା ଓ ଲେଙ୍ଗଡ଼ା ଭଳି ସ୍ୱାଦିଷ୍ଟ ଆମ୍ବ ବିକ୍ରି କରାଯାଉଛି । ଗାଁ ଆମ୍ବ ପସରା କାର୍ଯ୍ୟକ୍ରମରେ ଗଛ ପାକଳ ସ୍ୱାଦିଷ୍ଟ ଆମ୍ବ ବିକ୍ରି କରାଯାଉଥିବାବେଳେ ରାଜଧାନୀବାସୀଙ୍କ ମଧ୍ୟରେ ଏହି ଆମ୍ବ କିଣିବା ପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥାଏ ।
ପରିବେଶ ସୁରକ୍ଷା ସହ ପଲିଥିନ ବ୍ୟାଗର ବ୍ୟବହାର ନ କରିବା ପାଇଁ ଓର୍ମାସ ତରଫରୁ ଗାଁ ଆମ୍ବ ପସରା ବଜାରରେ ଗ୍ରାହକମାନେ ଆମ୍ବ ନେବା ପାଇଁ ଝୋଟରୁ ପ୍ରସ୍ତୁତ କପଡ଼ା ବ୍ୟାଗ୍ ଏବଂ କାର୍ଟୁନ ବାକ୍ସ ମଧ୍ୟ ଉପଲବ୍ଧ ରହିଛି ।
ଗ୍ରାମାଞ୍ଚଳର ଆମ୍ବ ଚାଷୀମାନଙ୍କୁ ସଠିକ ବଜାର ସୁବିଧା ସହ, ଉପଯୁକ୍ତ ଦରରେ ଆମ୍ବ ବିକ୍ରି କରିବା ପାଇଁ ଓର୍ମାସ ତରଫରୁ ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଗାଁ ଆମ୍ବ ପସରା କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବାବେଳେ ରାଜଧାନୀରେ ମଧ୍ୟ ପ୍ରତିବର୍ଷ ଗାଁ ଆମ୍ବ ପସରା କାର୍ଯ୍ୟକ୍ରମ କରାଯାଉଛି । ଏହା ଫଳରେ ଚାଷୀମାନେ ସେମାନଙ୍କ ବଗିଚାର ଆମ୍ବ ଉପଯୁକ୍ତ ଦରରେ ବିକ୍ରି କରି ଭଲ କିଛି ରୋଜଗାର କରିପାରୁଛନ୍ତି ।
ଏଥିସହ ଆମ୍ବ ଚାଷ ଏବଂ ଅମଳ ପରବର୍ତ୍ତୀ ବ୍ୟବସାୟ ସମ୍ପର୍କିତ ସୂଚନା ଏବଂ ଜ୍ଞାନ ହାସଲ ପାଇଁ ରାଜ୍ୟର ଆମ୍ବ ଚାଷୀମାନଙ୍କ ଉଦ୍ଦେଶ୍ୟରେ ଓର୍ମାସ ତାଲିମ ଶିବିର ଏବଂ କର୍ମଶାଳାମାନ ମଧ୍ୟ ଆୟୋଜନ କରିଆସୁଛି । ଆମ୍ବ ବଜାରରେ ଅଂଶଗ୍ରହଣ କରିବା ପାଇଁ ଓର୍ମାସ ପକ୍ଷରୁ ସମ୍ପୃକ୍ତ ଚାଷୀମାନଙ୍କୁ ସମସ୍ତ ପ୍ରକାର ସୁବିଧାସୁଯୋଗ ଯୋଗାଇ ଦିଆଯାଇଥିବାବେଳେ, ମେଳାର ପ୍ରଚାରପ୍ରସାର ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।
ଏଥିସହ, ଜାତୀୟ ବଜାରରେ ଓଡ଼ିଶାର ସ୍ୱାଦିଷ୍ଟ ଆମ୍ବ ଉପଲବ୍ଧ କରାଇବା ପାଇଁ ଓର୍ମାସ, ମଦର ଡାଏରୀ, (ସଫଲ), ନାଫେଡ ଓ ରିଲାଏନସ ସଂସ୍ଥା ସହିତ ସ୍ଥାନୀୟ ଆମ୍ବ ଚାଷୀଙ୍କ ଚୁକ୍ତିନାମା କରି ସେମାନଙ୍କୁ ଓଡ଼ିଶା ଆମ୍ବ ଯୋଗାଇ ଦିଆଯାଉଛି । ମୟୂରଭଞ୍ଜ, ଅନୁଗୋଳ, ସମ୍ବଲପୁର ଓ ରାୟଗଡ଼ା ଆଦି ଜିଲ୍ଲାର ଆମ୍ବ ଏହି ସବୁ ସଂସ୍ଥାଗୁଡ଼ିକୁ ବିକ୍ରି କରାଯାଉଛି ।
ଏଥିସହ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ରାଞ୍ଚି, ବୋକାରୋ ଏବଂ ରାୟପୁର ଆଦି ମଣ୍ଡିକୁ ମଧ୍ୟ ବହୁ ପରିମାଣର ଆମ୍ବ ବିକ୍ରୟ ପାଇଁ ପଠାଯାଉଛି । ଓର୍ମାସ ତରଫରୁ ଆୟୋଜିତ ଏହି ଗାଁ ଆମ୍ବ ପସରା ମେଳା ଜୁନ୍ ୮-୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ସକାଳ ୮ଟାରୁ ଦିନ ୧ଟା ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗ୍ରାହକଙ୍କ ପାଇଁ ଏହି ଷ୍ଟଲ ଖୋଲା ରହିବ ।