Home Education କଳାରେ ପାସହାର ୭୮.୮୮%

କଳାରେ ପାସହାର ୭୮.୮୮%

ଭୁବନେଶ୍ୱର : ଆଜି ଯୁକ୍ତ-୨ କଳା ପରୀକ୍ଷାଫଳ ପ୍ରକାଶ ପାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି କୃତୀ ପରୀକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

ବାର୍ଷିକ ଯୁକ୍ତ-୨ କଳାର ପରୀକ୍ଷାଫଳକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ୱଥୀ ଏସ୍‌ ପରୀକ୍ଷାର ଉପଯୁକ୍ତ ପରିଚାଳନା ଏବଂ ଉଚିତ ସମୟ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ ନିମନ୍ତେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କର୍ମକର୍ତ୍ତା ଓ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଛନ୍ତି ।

ଚଳିତ ବର୍ଷ ରାଜ୍ୟରେ କଳା ସ୍ରୋତରେ ୨ ଲକ୍ଷ ୩୦ ହଜାର ୫୪୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲାବେଳେ ଏକ ଲକ୍ଷ ୮୧ ହଜାର ୮୬୯ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏହି ପରୀକ୍ଷାରେ ପାସହାର ୭୮.୮୮ ପ୍ରତିଶତ ରହିଛି । କଳା ସ୍ରୋତରେ ପ୍ରଥମ ଶ୍ରେଣୀରେ ୩୨ ହଜାର ୭୮୨ ଜଣ, ଦ୍ୱିତୀୟ ଶ୍ରେଣୀରେ ୩୨ ହଜାର ୪୬୧ ଜଣ, ତୃତୀୟ ଶ୍ରେଣୀରେ ଏକ ଲକ୍ଷ ୧୬ ହଜାର ୧୭୯ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ରାଜ୍ୟରେ ୯୦ ପ୍ରତିଶତରୁ ଊଦ୍ଧ୍ୱର୍ ମାର୍କ ରଖି ୨୪ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାରେ ପାସହାର ସର୍ବାଧିକ ୮୪.୯୭ ପ୍ରତିଶତ ହୋଇଛି ।

ସେହିପରି ଧନ୍ଦାମୂଳକ ଶିକ୍ଷାରେ ୫୭୨୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୮୬୦ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୮୪୩ ଜଣ ପ୍ରଥମ ଶ୍ରେଣୀରେ, ୧୭୫୧ ଜଣ ଦ୍ୱିତୀୟ ଶ୍ରେଣୀରେ ଏବଂ ୧୧୧୫ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି । କନ୍ଧମାଳ ଜିଲ୍ଲାରେ ପାସ୍‌ ହାର ସର୍ବାଧିକ ୮୯.୪୩ ପ୍ରତିଶତ ରହିଛି ।

 ଏହି ଅବସରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଶ୍ରୀ ଅଶ୍ୱିନୀ କୁମାର ମିଶ୍ର, ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶକ ଶ୍ରୀ ରଘୁରାମ୍‌ ଆର୍‌. ଆୟାର, ପରୀକ୍ଷା ନିୟନ୍ତ୍ରକ ଶ୍ରୀ ଅଶୋକ କୁମାର ନାୟକଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲେ ।