Home Administration ସ୍ମାର୍ଟସିଟିରେ ଅଭିଯୋଗ ନିବାରଣ ଶୂନ

ସ୍ମାର୍ଟସିଟିରେ ଅଭିଯୋଗ ନିବାରଣ ଶୂନ

ଭୁବନେଶ୍ୱର : ଅଭିଯୋଗ ନିବାରଣ ଲାଗି ରାଜଧାନୀବାସୀ ସ୍ମାର୍ଟସିଟି ଅଭିଯୋଗ ପ୍ରକୋଷ୍ଠର ଦ୍ୱାରସ୍ଥ ହେଉଥିବାବେଳେ ସେଠାରୁ ଫଳ ଶୂନ ମିଳୁଛି । ଅଭିଯୋଗ ପ୍ରକୋଷ୍ଠର ନିଶୁଳ୍କ ଫୋନ ନମ୍ବର ୧୮୦୦୩୪୫୦୦୬୧ ଟି ପ୍ରାୟତଃ ବ୍ୟସ୍ତ ରହୁଥିବାବେଳେ ଯେତେବେଳେ ବି କାର୍ଯ୍ୟନିର୍ବାହୀ ବାବୁମାନେ ଫୋନ୍‍ଧରି ଅଭିଯୋଗ ରଖୁଛନ୍ତି ତାହାର ସମାଧାନ ନାହିଁ କହିଲେ ଚଳେ ।

ଅବସ୍ଥା ଏଭଳି ହୋଇଛି ଯେ ଗୋଟିଏ କାମ ପାଇଁ ଅଭିଯୋଗ କଲେ ଆଉ ଗୋଟିଏ କାମର ସମାଧାନ ଦର୍ଶାଇ ସ୍ମାର୍ଟସିଟି କର୍ତ୍ତୃପକ୍ଷ ବିଏମ୍‍ସିକୁ ଅଭିଯୋଗ ପଠାଇ ଦେଉଛନ୍ତି । ଫଳରେ ଯେଉଁ ଉଦ୍ଦେଶ୍ୟ ନେଇ ନାଗରିକମାନେ ଅଭିଯୋଗ କରୁଛନ୍ତି ତାହା ସମାଧାନ ହେବା ବଦଳରେ ଅଧିକ ଜଟିଳ ହେଉଛି । ତେବେ ଅଭିଯୋଗର ସମାଧାନ ନହେବା ଓ ବିଳମ୍ବର କାରଣ ପଚାରିଲେ ସ୍ମାର୍ଟସିଟି କର୍ତ୍ତୃପକ୍ଷ ସବୁଦୋଷ ବିଏମ୍‍ସି ଉପରେ ଲଦିବା ସହିତ କାହିଁକି ଅଭିଯୋଗ ସମାଧାନ ହୋଇପାରୁନାହିଁ ସେ ସଂକ୍ରାନ୍ତରେ ବିଏମ୍‍ସି କମିଶନରଙ୍କୁ ପଚାରିବାକୁ ପରାମର୍ଶ ଦେଉଛନ୍ତି ।

ତେବେ ସ୍ମାର୍ଟସିଟି ଅଭିଯୋଗ ପ୍ରକୋଷ୍ଠର ସବୁଠାରୁ ବଡ ସମସ୍ୟାଟି ହେଉଛି ଏଠାକୁ ବାରମ୍ବାର ଫୋନ୍‍ ଲଗାଇଲେ ମଧ୍ୟ କେହି ଉଠାନ୍ତି ନାହିଁ । ସ୍ୱୟଂଚାଳିତ ବ୍ୟବସ୍ଥାରେ ଅପେକ୍ଷା କରିବାକୁ କହିବା ସହିତ ୬ମିନିଟ୍‍ ସମୟ ଅତିକ୍ରାନ୍ତ ହେଲେ ଫୋନ୍‍ କଲ ଛାଏଁ ଛାଏଁ କଟିଯାଉଛି । ଏହାକୁ ଏବେ ଅନେକ ସମୟର ସ୍ମାର୍ଟ ଅପଚୟ ବୋଲି କହୁଛନ୍ତି ।

ସେହିଭଳି ସ୍ମାର୍ଟସିଟି କର୍ତ୍ତୃପକ୍ଷ ‘ଭୁବନେଶ୍ୱର ୱାନ’ ନାମରେ ପୋର୍ଟାଲ ପ୍ରସ୍ତୁତ କରିବା ସହିତ ଏହା ଜରିଆରେ ଅଭିଯୋଗ ଲାଗି ସ୍ମାର୍ଟସିଟିବାସୀଙ୍କୁ କହୁଛନ୍ତି । ହେଲେ ଏଠାରେ ବି ଫଳ ଶୂନ । ପୋର୍ଟାଲ ହେଉ କିମ୍ବା ଟେଲିଫୋନ୍‍ ମାଧ୍ୟମରେ ଅଭିଯୋଗ କଲେ କାର୍ଯ୍ୟର ଅଗ୍ରଗତି ସଂକ୍ରାନ୍ତରେ ମେସେଜ୍‍ଟିଏ କିମ୍ବା ଫୋନ୍‍ କଲଟିଏ ଅଭିଯୋଗକାରୀଙ୍କ ନିକଟକୁ ଆସେ ନାହିଁ । କେଉଁ ଅଭିଯୋଗ କେତେଦିନ ମଧ୍ୟରେ ସମାଧାନ ହେବ ତାହାର ମଧ୍ୟ କୌଣସି ନିୟମ ନାହିଁ । ଅଭିଯୋଗ ପାଇଲା ମାତ୍ରେ ସ୍ମାର୍ଟସିଟି କର୍ତ୍ତୃପକ୍ଷ ତୁରନ୍ତ ବିଏମ୍‍ସିକୁ ଅଭିଯୋଗ ପଠାଇ ତାଙ୍କ କାମ ସାରି ଦେଉଛନ୍ତି । ଏପରିକି ବିନା କାମରେ ଅଭିଯୋଗ ସମାଧାନ ହୋଇଗଲା ବୋଲି ସ୍ମାର୍ଟସିଟି କର୍ତ୍ତୃପକ୍ଷ ମେସେଜ ପଠାଇବାର ନଜିର ରହିଛି ।

ସ୍ମାର୍ଟସିଟିକୁ ଅଧିକ ସ୍ମାର୍ଟ କରିବାଲାଗି ସ୍ମାର୍ଟସିଟି ଦାୟିତ୍ୱରେ ଥିବା ବିଏମ୍‍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏବେ ରାଜଧାନୀର ବିଭିନ୍ନ ୱାର୍ଡ ପରିଦର୍ଶନରେ ଯାଉଛନ୍ତି । ହେଲେ ନାଗରିକମାନଙ୍କ ଅଭିଯୋଗର ସ୍ମାଟ ସମାଧାନ ହୋଇପାରୁ ନାହିଁ । ଉଭୟ ସ୍ମାର୍ଟସିଟି ଓ ବିଏମ୍‍ସି ଜଣେ ବରିଷ୍ଠ ଅଧିକାରୀଙ୍କ ଅଧିନରେ ଥିବାବେଳେ ସ୍ମାର୍ଟସିଟିର ଅଭିଯୋଗ ପ୍ରକୋଷ୍ଠ ବିଏମ୍‍ସି ମୁଣ୍ଡରେ ଦୋଷ ଲଦି ହାତ ଟେକିଦେବା ଓ ଅଭିଯୋଗ ପାଇବାର ମାସ ମାସ ପରେ ବିଏମ୍‍ସି ସମସ୍ୟାର ସମାଧାନ କରିନପାରିବା ଏବେ ରାଜଧାନୀବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି । ଯଦି ସବୁକାମ ବିଏମ୍‍ସି କରିବ ତେବେ ସ୍ମାର୍ଟସିଟି ନାଁ କାହିଁକି ନିଆଯାଉଛି ବୋଲି ଅନେକ ପ୍ରଶ୍ନ କରୁଛନ୍ତି ।