ଭୁବନେଶ୍ୱର : ରାଜ୍ୟରେ ଏବେ ମୁଗ ଓ ବିରିକୁ ଚାଷୀମାନେ ବ୍ୟବସାୟୀଙ୍କ ହାତରେ କମ୍ ଦରରେ ଟେକି ଦେଉଛନ୍ତି । ମୁଗ କିଲୋ ପ୍ରତି ଦର ସରକାର ୭୭.୫୫ ଟଙ୍କାରେ କିଣିବେ ବୋଲି ଧାର୍ଯ୍ୟ କରିଥିବାବେଳେ ଗାଁ ଗହଳର ଚାଷୀମାନେ କିଲୋପ୍ରତି ୫୮ ରୁ ୬୧ ଟଙ୍କା ଦରରେ ବିକ୍ରି କରୁଛନ୍ତି ।
ଅନୁରୂପ ଅବସ୍ଥା ବିରିର । ତେବେ ବିରି ପାଇଁ ସରକାର ଯେତିକି ଦର ଧାର୍ଯ୍ୟ କରିଛନ୍ତି ବେପାରୀମାନେ ତାହାଠାରୁ ଅଧିକ ଦରରେ ପୂର୍ବରୁ ଖରିଦ ଆରମ୍ଭ କରିଛନ୍ତି । ସରକାର ବିରି କିଲୋପ୍ରତି ୬୬ ଟଙ୍କାରେ ଖରିଦ କରିବେ ବୋଲି ବିଜ୍ଞାପନ ଦେଇଛନ୍ତି । ହେଲେ ଗାଁ ଗହଳରେ ବ୍ୟବସାୟୀମାନେ ବିରି କିଲୋପ୍ରତି ୭୦ ଟଙ୍କା ଦରରେ ଉଠାଉଛନ୍ତି ।
ଚାଷୀମାନେ ଅମଳ କରିଥିବା ମୁଗ ବିରି ଆଦି ଡାଲି ଜାତୀୟ ଶସ୍ୟକୁ ବ୍ୟବସାୟୀଙ୍କ ହାତରେ ଟେକି ଦେବାପରେ ସରକାର ଏହାକୁ ଖରିଦ କରିବେ ବୋଲି ବିଜ୍ଞାପନ ଦେଇଛନ୍ତି । ଏଥିରେ ଯେଉଁ ଦର ଧାର୍ଯ୍ୟ ହୋଇଛି ତାହା ଏଫଏକ୍ୟୁ ମାନ ପାଇଁ ଉଦ୍ଦିଷ୍ଟ ବୋଲି ସ୍ପଷ୍ଟଭାବେ ଦର୍ଶାଯାଇଛି । ଏହାକୁ ଦେଖି ଅନେକ ଚାଷୀ ଡରି ଯାଉଛନ୍ତି । ଚାଷୀଙ୍କ କହିବାକଥା ଯଦି ମୁଗ କିମ୍ବା ବିରିରୁ ମାଟି ଟିକେ ବାହାରିବ ତେବେ କୁଇଣ୍ଟାଲ ପ୍ରତି ୪/୫ କିଲୋ କାଟିଦେବାର ଭୟ ରହିଛି । ଏହାପରେ ପଇସା ବି ନଗଦ ମିଳିବାର ନାହିଁ ।
ହେଲେ ଗାଁ ଗହଳରୁ ବିରି ଓ ମୁଗ ସଂଗ୍ରହ କରୁଥିବା ବ୍ୟବସାୟୀମାନେ ଚାଷୀମାନେ ଯାହା ଦେଉଛନ୍ତି ତାକୁ ନେବା ସହିତ ତତ୍କାଳ ଅର୍ଥ ପ୍ରଦାନ କରୁଛନ୍ତି । ଓଡିଶାରୁ ବିଶେଷକରି ଉପକୂଳ ଓଡିଶାରୁ ବିରି ଓ ମୁଗ ସଂଗ୍ରହ ଲାଗି ବ୍ୟବସାୟୀମାନେ ଡେରା ପକାଉଛନ୍ତି ଓ ଏହିସବୁ ଡାଲିଜାତୀୟ ଶସ୍ୟ ରାଜ୍ୟ ବାହାରକୁ ଚାଲାଣ ହୋଇଯାଉଛି । ଏହି ଡାଲି ରାଜ୍ୟ ବାହାରେ ପ୍ରକ୍ରିୟାକରଣ ହୋଇ ପୁଣିଥରେ ଓଡିଶା ବଜାରକୁ ଫେରୁଛି ଓ ରାଜ୍ୟବାସୀ ତାହାକୁ ଦୁଇଗୁଣ ଦରରେ ଖରିଦ କରୁଛନ୍ତି ।
ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ଡାଲି ଜାତୀୟ ଶସ୍ୟ ବିଶେଷକରି ମୁଗ, ବିରି ଆଦି ଉତ୍ପାଦିତ ହେଉଥିବାବେଳେ ପ୍ରକ୍ରିୟାକରଣ ଶିଳ୍ପର ଅଭାବ ଯୋଗୁଁ ଏହା ରାଜ୍ୟ ବାହାକୁ ଚାଲାଣ ହୋଇଯାଉଛି । ସେହଭଳି ଯେଉଁମାନେ ହରଡ ଉତ୍ପାଦନ କରୁଛନ୍ତି ତାହାର ପ୍ରକ୍ରିୟାକରଣ ବ୍ୟବସ୍ଥା ନଥିବାରୁ ଅଳ୍ପ ଦରରେ ବ୍ୟବସାୟୀଙ୍କୁ ଦେଇ ଦେଉଛନ୍ତି ।
ବଜାରରେ ଏବେ ଖୋଲା ହରଡ ଡାଲି ଦରର କିଲୋ ୧୩୦ ଟଙ୍କାରେ ପହଞ୍ଚି ଥିବାବେଳେ ମୁଗ ଡାଲି କିଲୋ ଶହେ ଟପିଲାଣି । ବିରି ଡାଲି ଦର ବି ହୁ ହୁ ହୋଇ ବଢୁଛି । ଏଭଳି ସ୍ଥିତିରେ କିନ୍ତୁ ଓଡିଶାର ଚାଷୀମାନେ କିନ୍ତୁ ଉତ୍ପାଦନ କରିଥିବା ମୁଗ, ବିରି ଆଦିରୁ ଭଲ ଦୁଇ ପଇସା ପାଇପାରୁ ନାହାନ୍ତି । ତେବେ ରାଜ୍ୟ ସରକାର ଏବେ ଚାଷୀଙ୍କ ଠାରୁ ମୁଗ, ବିରି ଆଦି ଖରିଦ ପାଇଁ ଯେଉଁ ସର୍ତ୍ତ ଭିତ୍ତିକ ବିଜ୍ଞାପନ ଜାରି କରିଛନ୍ତି ସେଥିପ୍ରତି ଚାଷୀମାନେ ଆଗ୍ରହ ଦେଖାଉନଥିବା ଲକ୍ଷ୍ୟ କରାଯାଇଛି । (ତଥ୍ୟ)