ଭୁବନେଶ୍ୱର : ଦୀର୍ଘ ଦିନର ଦାବି ପୂରଣ ହେଉନଥିବାରୁ ଓଡିଶା ରାଜ୍ୟ ଅଣଗେଜେଟେଡ୍ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି । ସେମାନଙ୍କ ଦାବି ପ୍ରତି ସରକାର କର୍ଣ୍ଣାପାତ ନକଲେ ଆସନ୍ତା ୨୮ରୁ ସେମାନେ ପ୍ରାଣୀ ଚିକିତ୍ସା ଜାରି ସହିତ ଡିଜିଟାଲ ଅସହଯୋଗ କରିବେ ବୋଲି ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ସାମ୍ବାଦିକମାନଙ୍କୁ ସୂଚନା ଦେଇ ସଂଘର କର୍ମକର୍ତ୍ତାମାନେ କହିଛନ୍ତି ଯେ ରାଜ୍ୟରେ ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀଙ୍କର ୪୭୦୦ ପଦବୀ ଥିବାବେଳେ ଏବେ ସେଥିରେ ପାଖାପାଖି ୨୪୦୦ କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ଦୀର୍ଘଦିନ ହେଲା ଏହିକର୍ମଚାରୀମାନେ ସେମାନଙ୍କ କ୍ୟାଡର ପୁର୍ନଗଠନ ପାଇଁ ଦାବି କରୁଛନ୍ତି । ଏଥିପାଇଁ ସରକାରଙ୍କ ଉପରେ ପ୍ରାୟତଃ କୌଣସି ଆର୍ଥିକ ବୋଝ ପଡିବାର ନାହିଁ । ଏହା କେବଳ କର୍ମଚାରୀମାନଙ୍କୁ ଏକ ମାନତ୍ୟା । ତଥାପି ସରକାରୀକଳ ଏଥିପ୍ରତି ଉଦାସୀନ । ପ୍ରାଣୀଧନ ଚିକିତ୍ସକ ଭାବେ ଚାକିରି ଆରମ୍ଭ କରୁଥିବା କର୍ମଚାରୀମାନେ ସେହି ପଦବୀରେ ଅବସର ନେଇ ଯାଉଛନ୍ତି ।
ସେହିଭଳି ପ୍ରାଣୀଧନ ଚିକିତ୍ସକମାନେ ଅତି କମ୍ରେ ୨ବର୍ଷର ତାଲିମ ନେବା ପରେ ଚାକିରିରେ ଭର୍ତ୍ତି ହେବାପାଇଁ ସଂଘ ଦାବି କରୁଛି । ଏ ସଂକ୍ରାନ୍ତରେ କ୍ୟାବିନେଟ୍ରେ ବି ନିଷ୍ପତ୍ତି ହୋଇଥିଲା । ହେଲେ କୌଣସି କାରଣୁ ଏବେ ସରକାର ପୁଣିଥରେ ବର୍ଷିକିଆ ତାଲିମପ୍ରାପ୍ତଙ୍କୁ ନିଯୁକ୍ତି ଦେବାପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ତେବେ ସଂଘ କର୍ମକର୍ତ୍ତାଙ୍କୁ କହିବାକଥା ଯେ ସେମାନେ ଇଣ୍ଡିଆନ ଭେଟେନାରୀ କାଉନ୍ସିଲର ନିୟମ ଅନୁଯାୟୀ ନିଯୁକ୍ତି ପାଇଲେ ସେମାନଙ୍କୁ ଆଉ ମାଲିମୋକଦ୍ଦମାରେ ଛନ୍ଦି ହେବାକୁ ପଡିବନାହିଁ । ଏଥିପ୍ରତି ଅତି କମ୍ରେ ଦୁଇବର୍ଷିଆ ତାଲିମ ଆବଶ୍ୟକ ।
ସେହିଭଳି ୨୦୦୮ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପ୍ରାଣୀଧନ ନିରୀକ୍ଷକମାନଙ୍କ ଚୁକ୍ତିଭିତ୍ତିକ କାର୍ଯ୍ୟକାଳକୁ ନିୟମିତ କରିବାପାଇଁ ବି ସେମାନେ ଦାବିକରି ଆସୁଛନ୍ତି । ସଂଘର ନେତାମାନେ ସୂଚନା ଦେଇଛନ୍ତି ଯେ ବିଭାଗ ପକ୍ଷରୁ ବର୍ଷକୁ ପ୍ରାୟ ୩୫ କୋଟି ଟଙ୍କାର ୟୁଜର୍ସ ଫି ଆଦାୟ ହେଉଥିବାବେଳେ ସେଥିରେ ପ୍ରାଣୀଧନ ନିରୀକ୍ଷକମାନଙ୍କର ଯୋଗଦାନ ୩୦କୋଟିରୁ ଅଧିକ ରହୁଛନ୍ତି । ଏଭଳି ସ୍ଥଳେ ବିନା ଆର୍ଥିକ ବୋଝରେ ସେମାନଙ୍କ କ୍ୟାଡର ପୁର୍ନଗଠନ ଦାବି ପୂରଣ ନହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।
ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ଦାବି ଉପସ୍ଥାପନ ସତ୍ୱେ ଏହା ପୂରଣ ହେଉନାହିଁ । ତେଣୁ ଚଳିତ ମାସ ୧୦ତାରିଖରୁ ପ୍ରାଣିଧନ ନିରୀକ୍ଷକମାନେ ପ୍ରତିକାତ୍ମକ ଆନ୍ଦେଳନ ଚଳାଇ ଆସୁଛନ୍ତି । ଏଥିରେ ରାଜ୍ୟରେ ପ୍ରାଣୀ ଚିକିତ୍ସା ଉପରେ କୌଣସି ପ୍ରଭାବ ପଡିନାହିଁ । ଆଜି ସଂଘର ୩୦ଟି ଜିଲ୍ଲାର ପ୍ରତିନିଧମାନେ ସଭାପତି ଉପେନ୍ଦ୍ରନାଥ ରଣାଙ୍କ ଅଧ୍ୟକ୍ଷତାରେ ବୈଠକ ଆୟୋଜିତ କରିବା ସହିତ ୨୭ତାରିଖ ସୁଦ୍ଧା ସେମାନଙ୍କ ଦାବି ପୂରଣ ପାଇଁ ସରକାର ପଦକ୍ଷେପ ନନେଲେ ୨୮ତାରିଖରୁ ଡିଜିଟାଲ ଅସଯୋଗର ଚେତାବାନୀ ଦେଇଛନ୍ତି ।
ଏହାଦ୍ୱାରା ଗାଁ ଗହଳରେ ସରକାରଙ୍କ ଯୋଜନାଗୁଡିକ ପ୍ରଭାବିତ ହେବ ବୋଲି ଜଣାଯାଇଛି । କାରଣ ପ୍ରାଣୀଧନ କ୍ଷେତରେ ଯେତେସବୁ ଯୋଜନା କାର୍ଯ୍ୟକାରୀ ହେଉଛି ତାହାର ସମସ୍ତ ସୂଚନା ପ୍ରାଣୀଧନ ନିରୀକ୍ଷକମାନେ ଡଜିଟାଲ ଭାବେ ଅପଲୋଡ୍ କରିଥାନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ସାଧାରଣ ସମ୍ପାଦକ ବସନ୍ତ କୁମାର ସାହୁ, ରାମଚନ୍ଦ୍ର ନାୟକ, ପ୍ରଶାନ୍ତ କୁମାର ମିଶ୍ର, ଲଳିଟେନ୍ଦୁ ଦଳାଇ, ଶୁଭେନ୍ଦୁ କୁମାର ମାଝି, ପ୍ରଭାତ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।