Home General ଲିଙ୍ଗ ଭିତ୍ତିକ ହିଂସା ରୋକିବା ସମସ୍ତଙ୍କ ଦାୟିତ୍ଵ

ଲିଙ୍ଗ ଭିତ୍ତିକ ହିଂସା ରୋକିବା ସମସ୍ତଙ୍କ ଦାୟିତ୍ଵ

କଟକ : ଗୋଷ୍ଠୀ ବେତାରକେନ୍ଦ୍ର ରେଡିଓ ସମ୍ପର୍କ ୮୯.୬ ଓ ପିପୁଲସ୍‍ କଲଚରାଲ୍‍ ସେଣ୍ଟର ପିକକ୍‍ ଦ୍ଵାରା ସ୍ମାର୍ଟର ସହଯୋଗରେ ଆଜି ନିଶ୍ଚିନ୍ତକୋଇଲିରେ ଲିଙ୍ଗ ଭିତ୍ତିକ ହିଂସା ସମ୍ବନ୍ଧୀୟ କର୍ମଶାଳା ଆୟୋଜିତ ହୋଇଯାଇଛି ।

ପିକକ୍‍ର ଅଧକ୍ଷା ଡ. ମୀନାକ୍ଷୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ପିକକ୍‍ ସମ୍ପାଦକ ତଥା ରେଡିଓ ସମ୍ପର୍କର ମୁଖ୍ୟ ରଞ୍ଜନ କୁମାର ମହାନ୍ତି ସ୍ଵାଗତ ଭାଷଣ ଦେଇ ଏହି କର୍ମଶାଳାର ଉଦ୍ଦେଶ୍ୟ ତଥା ଗୋଷ୍ଠୀ ବେତାରକେନ୍ଦ୍ର ରେଡିଓ ସମ୍ପର୍କ ୮୯.୬ ଓ ପିକକ୍‍ର କାର୍ଯ୍ୟ ବିଷୟରେ ସୂଚନାଦେବା ସହିତ ରେଡିଓ ସମ୍ପର୍କ ଦ୍ଵାରା ଚାଲିଥିବା ଲିଙ୍ଗ ଭିତ୍ତିକ ହିଂସା କାର୍ଯ୍ୟକ୍ରମ ସମ୍ବନ୍ଧରେ କହିଥିଲେ।

ଏହି କାର୍ଯ୍ୟକ୍ରମ ମଧ୍ୟମରେ ଲିଙ୍ଗ ଭିତ୍ତିକ ହିଂସା ସମ୍ବନ୍ଧରେ ବିଭିନ୍ନ ସୂଚନା ମୂଳକ କାର୍ଯ୍ୟକ୍ରମ ରେଡିଓ ସମ୍ପର୍କ ରେ ନିୟମିତ ପ୍ରଚାରିତ ହେଉଛି । ଏଥି ସହିତ ମହିଳା ଗ୍ରୁପର ସଦସ୍ୟା ମାନଙ୍କ ମାଧ୍ୟମରେ ବିଭିନ୍ନ ଗ୍ରାମରେ ଏହା ସମ୍ବନ୍ଧରେ ସଚେତନତା ମୂଳକ କାର୍ଯ୍ୟକ୍ରମମାନ କରାଯାଉଅଛି। ପିକକ୍‍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଲିଙ୍ଗ ଭିତ୍ତିକ ହିଂସା କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ । 

ଏହି କର୍ମଶାଳାରେ ଅତିଥି ରୂପେ ବ୍ଲକ ଉନ୍ନୟନ ଅଧିକାରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ ନିଜ ବକ୍ତବ୍ୟ ରେ ପିକକ୍‍ ଓ ରେଡିଓ ସମ୍ପର୍କ ର ଉଦ୍ୟମକୁ ପ୍ରଶଂସା କରିବା ସହିତ ଲିଙ୍ଗ ଭିତ୍ତିକ ହିଂସା କୁ ରୋକିବା ନିମନ୍ତେ ଆମେ ଆମ ପୁଅ ଝିଅଙ୍କ ମଧ୍ୟରେ ଭେଦଭାବ ବନ୍ଦକରିବା ଆବଶ୍ୟକ ବୋଲି ସେ କହିଥିଲେ ।

ପଞ୍ଚାୟତ ସମିତି ଉପାଧକ୍ଷ ଅଶୋକ କୁମାର ଓଝା ମହିଳା ହିଂସାକୁ ରୋକିବା ନିମନ୍ତେ ସମାଜର ପ୍ରତ୍ୟକ ବ୍ୟକ୍ତି ତଥା ପଞ୍ଚାୟତ ପ୍ରତିନିଧି ଓ ସମସ୍ତ ଅଧିକାରୀଙ୍କୁ ତାଙ୍କର ଦାୟିତ୍ଵ ନିର୍ବାହ କରିବାକୁ ପଡିବ ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲା ସୁରକ୍ଷା ଅଧିକାରୀ ସ୍ଵର୍ଣ୍ଣମୟୀ ଦାସ କହିଲେ ମହିଳା ମାନେ ଘରୋଇ ହିଂସା କୁ ରୋକିବା ପାଇଁ ଘରୋଇ ହିଂସା ଆଇନ ର ସାହାର‌୍ୟ୍ୟ ନେବା ଆବଶ୍ୟକ ।

ହିଂସାର ଶିକାର ହେଉଥିବା ମହିଳାମାନଙ୍କୁ ଘରଛାଡି ଯିବାର ଆବଶ୍ୟକତା ନାହିଁ ସେମାନେ ସୁରକ୍ଷା ଅଧିକାରୀଙ୍କ ସାହାର‌୍ୟ୍ୟ ନେଇପାରିବେ।  ନିଶ୍ଚିନ୍ତକୋଇଲି ଥାନା ଅଧିକାରୀ ଚିନ୍ମୟୀ ସାହୁ କହିଲେ ଯଦି ଆଖପାଖରେ ହିଂସା ହେଉଥିବାର ଦେଖିବା ତାହାଲେ ତୁରନ୍ତ ତାଙ୍କୁ ସହାୟତା ଦେବ। ଆମେ ସମସ୍ତ ଜରୁରୀ କାଳୀନ ସେବା ଟେଲିଫୋନେ ନମ୍ବର ଟିପି ରଖିବା, ନିକଟସ୍ତ ପୋଲିସ ଷ୍ଟେସନ, ସେବାପ୍ରଦାନକାରୀ ଓ ପଞ୍ଚାୟତକୁ ଯାଇ ସହାୟତା ଲୋଡିବା ଆବଶ୍ୟକ । ଅନ୍ୟମାନଙ୍କ ମଧ୍ୟରେ କଟକ ସଖି ୱାନ ସ୍ଟପ ସେଣ୍ଟରର ସୌମ୍ୟ ସୁଚରିତା ଦାସ, ବ୍ଲକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଜାପାନୀ ମହାପାତ୍ର, ବ୍ଲକ ପ୍ରକଳ୍ପ ସଂଯୋଜକ ସୁଜାତା ମହାନନ୍ଦିଆ, ସୁଭଦ୍ରା ମହତାବ କଲେଜର ପୂର୍ବତନ ଅଧକ୍ଷ୍ୟ ରମାନାଥ ସାହୁ, ପିକକ୍‍ର କୋଷାଧକ୍ଷା ରତ୍ନା ଦାଶ ଓ ଅବସରପ୍ରାପ୍ତ ଶିକ୍ଷ୍ୟବିତ ଫକିର ଚରଣ ନାୟକ ପ୍ରମୁଖ ଯୋଗଦେଇ ଲିଙ୍ଗ ଭିତ୍ତିକ ହିଂସାର ପ୍ରକାର, ଏହାର କାରଣ ଓ ନିରାକରଣ ପାଇଁ ଆବଶ୍ୟକ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିଷଦ ଭାବେ ଆଲୋଚନା କରିଥିଲେ।

ମହିଳା ମାନଙ୍କ ଆର୍ଥିକ ଉନ୍ନତି ତଥା ସମାଜରେ ସେମାନଙ୍କ ସ୍ଥିତି ସୃଦୁଢ କରିବା ସହିତ ସଚେତନତା ମୂଳକ କାର‌୍ୟ୍ୟକ୍ରମ ଓ ଆଇନ କାନୁନର ଠିକ ରୂପେ କାର୍ଯ୍ୟକାରୀ ହେଲେ ଲିଙ୍ଗ ଭିତ୍ତିକ ହିଂସାକୁ ରୋକାଯାଇପାରିବ ଏବଂ ଏଥିନିମନ୍ତେ  ସବୁସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ସେମାନେ ନିଜର ମତ ରଖିଥିଲେ ।

ଏହି କର୍ମଶାଳାରେ ସରପଞ୍ଚ, ୱାର୍ଡ ମେମ୍ବର, ପଞ୍ଚୟତ ସମିତିର  ସଦସ୍ୟ, ଶିକ୍ଷକ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ସ୍ଵୟଂ ସହାୟତା ଗୋଷ୍ଠୀ ଓ ମହିଳା ଗ୍ରୁପର ସଦସ୍ୟା, ସରକାରୀ ବିଭାଗର କର୍ମକର୍ତ୍ତା ସମେତ ୧୦୦ ରୁ ଉର୍ଦ୍ଧ୍ଵ ପ୍ରତିନିଧି ଭାଗନେଇଥିଲେ । ଶେଷରେ ରେଡିଓ ସମ୍ପର୍କର ଦେବିପ୍ରୀତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ରେଡିଓ ସମ୍ପର୍କର ଗାୟତ୍ରୀ ତ୍ରିପାଠୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ରେଡିଓ ସମ୍ପର୍କର ଭବାନୀଶଙ୍କର ପାତ୍ର, ପ୍ରୀତମ ପ୍ରିୟବର୍ତ୍ତ ଭୂୟାଁ ପ୍ରମୁଖ କାର‌ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।