ଭୁବନେଶ୍ୱର : ରାଜଧାନୀରେ ଥିବା ବିଭିନ୍ନ କନଜରଭେନ୍ସିଂକୁ ସଫାସୁତୁରା ରଖିବାପାଇଁ ବିଏମ୍ସି ଏଠାରେ ଫେବରବ୍ଲକ ବିଛାଇବା ଲାଗି ଯୋଜନା କରିଥିବାବେଳେ ଅନେକ ସ୍ଥାନରେ ଜବରଦଖଲ ଏଥିରେ ବାଧକ ହୋଇଛି । ଫଳରେ ଏବେଠାରୁ କନଜରଭେନ୍ସିଂଗୁଡିକ ଯେଭଳି ଅରମା ପାଲଟିଲାଣି ଆଗାମୀ ବର୍ଷାଦିନରେ ସେଠାରେ ଜଙ୍ଗଲ ଭଳି ପରିବେଶ ସୃଷ୍ଟି ହେବ ବୋଲି କୁହାଯାଉଛି ।
ସହରର ବିଭିନ୍ନ ୟୁନିଟ୍ରେ ସରକାରୀ କ୍ୱାର୍ଟର ପଛପଟେ ଥିବା ଖାଲି ସ୍ଥାନ ବା କନଜରଭେନ୍ସି ଏବେ ଆବର୍ଜନାର ପାହାଡରେ ପରିଣତ ହେଲାଣି । ଲୋକେ ଏଠାରେ ନିଜ ନିଜର ଘରର ଆବର୍ଜନା ଫୋପାଡିବା ସହିତ ଠିକାଦାରମାନେ ମଧ୍ୟ ନିଜର ନିର୍ମାଣ ବର୍ଜ୍ୟକୁ ଏଠାରେ ଗଦାଇ ଦେଉଛନ୍ତି । ବିଏମ୍ସି ସରକାରୀ କ୍ୱାଟର୍ସ ସାମ୍ନାକୁ ଯେତେ ଚକାଚକ୍ କଲେ ବି କନଜରଭେନ୍ସି ଗୁଡିକ ଏବେ ମଶାମାନଙ୍କ ପ୍ରଜନନର କେନ୍ଦ୍ରସ୍ଥଳ ପାଲଟିଛି ।
ଅନେକ ଆପତ୍ତି ଅଭିଯୋଗ ପରେ ବିଏମ୍ସି ଏହି କନଜରଭେନ୍ସିଂଗୁଡିକୁ ସଫା ସୁତୁରା ରଖିବାପାଇଁ ଯୋଜନା କରିବା ସହିତ ଏଠାରେ ଫେବରବ୍ଲକ ବିଛାଇବା ପାଇଁ ଟେଣ୍ଡର କରିଛି । ହେଲେ ଜବରଦଖଲ ଯୋଗୁଁ ବହୁ ସ୍ଥାନରେ କାର୍ଯ୍ୟ ଆରମ୍ଭ ହୋଇପାରୁ ନାହିଁ । ଅନେକ ସ୍ଥାନରେ କନଜରଭେନ୍ସିରେ ଲୋକେ ଘର କରି ରହିଥିବା ଓ ଗାଈଗୋରୁ ରଖିଥିବାରୁ ସେମାନଙ୍କୁ ହଟାଇବା ସହଜ ହେଉନାହିଁ ।
ପୂର୍ତ୍ତ ବିଭାଗର ଏହି ଜମିରେ ରାତାରାତି ଲୋକେ ଘର କରି ରହୁଛନ୍ତି ନହେଲେ ଭଡା ଲଗାଇଛନ୍ତି । ବିଦ୍ୟୁତ୍ ଓ ଜଳଯୋଗାଣ ବି ସମସ୍ତ ଆଇନ୍କୁ ଜଳାଞ୍ଜଳି ଦେଇ ସେଠାରେ ପାଣି ଓ ବିଦ୍ୟୁତ୍ ସଂଯୋଗ ଦେଇଛନ୍ତି । ତେଣୁ କନଜରଭେନ୍ସି ଏବେ ଜବରଦଖଲକାରୀଙ୍କ ପ୍ରଥମ ପସନ୍ଦ ପାଲଟିଛି । ଲୋକେ କନଜରଭେନ୍ସିରେ ଘର କରିବା ସହିତ ତାହାକୁ ଭଡା ଦେଇ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ।
ଭୁବନେଶ୍ୱରରୁ ଜବରଦଖଲ ରୋକିବା କିମ୍ବା ହଟାଇବାପାଇଁ ସରକାରଙ୍କର ତିନି ତିନି ସ୍କ୍ୱାଡ୍ ରହିଛି । ବିଏମ୍ସି, ସାଧାରଣ ପ୍ରଶାସନ ବିଭାଗ ଓ ବିଡିଏର ସ୍କ୍ୱାଡ୍ ଥିବାବେଳେ ପ୍ରତ୍ୟେକ ୱାର୍ଡରେ ୱାର୍ଡ ଅଫିସର ଅଛନ୍ତି । ହେଲେ ଏଭଳି ଜବରଦଖଲକୁ କେହି ରୋକିଲେ ନାହିଁ କି ଏବେ ହଟାଇବାକୁ ବି ପଦକ୍ଷେପ ନେଉନାହାନ୍ତି । ଫଳରେ ବିଏମ୍ସିର କନଜରଭେନ୍ସିକୁ ସଫା ସୁତୁରା ରଖିବା ଯୋଜନା ଏବେ ଏକ ପ୍ରକାର ଅଧାପନ୍ତରିଆ ହୋଇଗଲାଣି ।
କାଳେ ବିଏମ୍ସି ଏହି ଜବରଦଖଲଗୁଡିକୁ ହଟାଇବ ତେଣୁ ଏଠାରେ ଆସ୍ଥାନ ଜମାଇଥିବା ମାଫିଆମାନେ ଏବେ ବିଭିନ୍ନ ସ୍ତରରେ ଲବି ଆରମ୍ଭ କରିଦେଇଛନ୍ତି । ସ୍ଥାନୀୟ କର୍ପୋରେଟରଙ୍କ ଠାରୁ ଆରମ୍ଭ କରି ବିଧାୟକଙ୍କୁ ଗୁହାରି କରୁଥିବା ଜଣାଯାଇଛି । ତେବେ ବର୍ଷାଦିନ ପୂର୍ବରୁ ଯଦି ଫେବର ବ୍ଲକ ବିଛା କାର୍ଯ୍ୟ ନହେଉଛି ତେବେ ଅନ୍ତତଃ ପକ୍ଷେ କନଜରଭେନ୍ସିଗୁଡିକୁ ସଫାସୁତରା କରିବାପାଇଁ ସ୍ଥାନୀୟ ଲୋକେ ମତ ଦେଉଛନ୍ତି । କାରଣ ପ୍ରତିବର୍ଷ ଯେଭଳି ଖରାଦିନରେ ବିଏମ୍ସି ଏହାକୁ ସଫା କରେ ଚଳିତବର୍ଷ ଅଧିକାଂଶ ସ୍ଥାନରେ ତାହା ଦେଖିବାକୁ ମିଳୁନାହିଁ । (ତଥ୍ୟ)