Home Mining ଗ୍ରାନାଇଟ୍‍ ଖଣି ନିଲାମ ଆରମ୍ଭ

ଗ୍ରାନାଇଟ୍‍ ଖଣି ନିଲାମ ଆରମ୍ଭ

ଭୁବନେଶ୍ୱର : ସାଜସଜା ପାଇଁ ଗ୍ରାନାଇଟ୍‍ ପଥରର ଚାହିଦା ବୃଦ୍ଧି ସହିତ ମେକ ଇନ୍‍ ଓଡିଶା କନକ୍ଲେଭର ପ୍ରତିଶ୍ରୁତି ଅନୁଯାୟୀ ରାଜ୍ୟ ସରକାର ୧୨ଟି ଗ୍ରାନାଇଟ୍‍ ଖଣିର ନିଲାମ ପାଇଁ ଟେଣ୍ଡର ଆହ୍ୱାନ କରିଛନ୍ତି । ଏହି ନିଲାମ ପ୍ରକ୍ରିୟାରେ ଆର୍ଥିକ ଟେଣ୍ଡର ଡିଜିଟାଲ ଫର୍ମାଟରେ ହେବାକୁ ଥିବାବେଳେ ଟେକ୍ନିକାଲ ଟେଣ୍ଡର ଉଭୟ ଡିଜିଟାଲ ଏବଂ କାଗଜ ଫର୍ମାଟରେ ହେବା

ଇ-ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ ପାଇଁ ଧାର୍ଯ୍ୟ ତାରିଖ ଏବଂ ସମୟ ସକ୍ରାନ୍ତରେ ଟେଣ୍ଡର କାଗଜପତ୍ରରେ ବିସ୍ତୃତ ଭାବେ ଦର୍ଶାଯାଇଛି । ଆଗ୍ରହୀ ନିଲାମ ଆବେଦନକାରୀମାନେ ଏମଏସଟିସି ଲିମିଟେଡ ୱେବସାଇଟ୍‍ରୁ ଏହା ପାଇପାରିବେ । ତେବେ ଆଗ୍ରହୀ ଆବେଦନକାରୀମାନେ ଏହି ୱେବସାଇଟ୍‍ରେ ନିଜକୁ ପଞ୍ଜିକରଣ କରିବେ । ପଞ୍ଜିକରଣରେ ସଫଳତା ପରେ ସେମାନଙ୍କୁ ଇ-ନିଲାମରେ ଅଂଶଗ୍ରହଣ ପାଇଁ ଆଇଡି ଓ ପାସ୍‍ୱାର୍ଡ ମିଳିବ । ଏହି ୱେବସାଇଟ୍‍ରେ ଖଣିଜ ବ୍ଲକ ସଂକ୍ରାନ୍ତରେ ମାଗଣାରେ ସମସ୍ତ ସୂଚନା ମିଳିପାରିବ ।

ଜୁନ୍‍ ୨୯ ତାରିଖ ହେଉଛି ଟେଣ୍ଡର କାଗଜ ଖରିଦର ଶେଷ ତାରିଖ ଏବଂ ଏହାକୁ ଦାଖଲ କରିବାର ଶେଷ ତାରିଖ ହେଉଛି ଜୁଲାଇ ୭ତାରିଖ । ପ୍ରତ୍ୟେକ ଖଣିଜ ବ୍ଲକ ପାଇଁ ଟେଣ୍ଡର କାଗଜର ମୂଲ୍ୟ ହେଉଛି ୫୦ ହଜାର ଟଙ୍କା ଏବଂ ଏହାବାଦ୍‍ ଜିଏସ୍‍ଟି ଦେୟ ଦେବାକୁ ପଡିବ ।

ଯେଉଁସବୁ ଗ୍ରାନାଇଟ୍‍ ଖଣି ଗୁଡିକ ନିଲାମ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ସେଗୁଡିକ ମଧ୍ୟରେ ବାହାରପଡା-ଜାମୁରିହା (ପୂର୍ବ) ଖଣି, ବାହାରପଦା-ଜାମୁରିହା (ପଶ୍ଚିମ), ବେଟାରସିଂହ ବ୍ଲକ-ଏ, ବେଟାରସିଂହ ବ୍ଲକ-ବି, ଡମ୍ବା ଖଣି, ଡେରାବ (ପୂର୍ବ), ଡେରାବ (ପଶ୍ଚିମ), ଝାଡପଡା, ଲୁଆସାହି, ନୂଆଗାଁ ଏବଂ ତେନ୍ତୁଳିଖୁଣ୍ଟି ଗ୍ରାନାଇଟ୍‍ ବ୍ଲକ ।

ଏହିସବୁ ଗ୍ରାନାଇଟ୍‍ ଖଣିଗୁହିକ ମଧ୍ୟରୁ ସର୍ବାଧିକ ପ୍ରାୟ ୯୦ ହେକ୍ଟର ରହିଛି ଡେରାବ (ପୂର୍ବ) ଖଣିରେ । ଏଠାରେ ଜଙ୍ଗଲ ଜମି ପ୍ରାୟ ୮୫ ହେକ୍ଟର ରହିଥିବାବେଳେ ଅତି କମ୍‍ ପରିମାଣର ସରକାରୀ ଜମି ରହିଛି । ଏହା ପଛକୁ ଡେରାବ ଖଣି ଅଞ୍ଚଳର ପରିମାଣ ହେଉଛି ୮୪ ହେକ୍ଟରରୁ ଅଧିକ । ଏଠାରେ ପାଖାପାଖି ସମସ୍ତ ଜମି ହେଉଛି ଜଙ୍ଗଲ କିସମର । ବାହାରପଡା-ଜାମୁରିହା (ପଶ୍ଚିମ) ଖଣି ଅଞ୍ଚଳର ଇଲାକା ରହିଛି ୬୩ ହେକ୍ଟରରୁ ଅଧିକ ଅଞ୍ଚଳ । ଏହି ଖଣି ଅଞ୍ଚଳରେ ଜଙ୍ଗଲ ଜମିର ପରିମାଣ ରହିଛି ୩୮ ହେକ୍ଟରରୁ ଅଧିକ ରହିଛି ।

ଅନ୍ୟାନ୍ୟ ଖଣି ମଧ୍ୟରେ ତେନ୍ତୁଲିଖୁଣ୍ଟି ଗ୍ରାନାଇଟ୍‍ ଖଣି ଅଞ୍ଚଳରେ ୪୪ ହେକ୍ଟରରୁ ଅଧିକ ଜମି ଥିବାବାବେଳେ ବେଟାରସିଂହ-ଏ ଖଣିର ଅଞ୍ଚଳ ୨୩ ହେକ୍ଟରରୁ ଅଧିକ ହୋଇଥିବାବେଳେ ଏହି ଖଣିର ବି ବ୍ଲକର ଅଞ୍ଚଳ ପରିମାଣ ହେଉଛି ୧୫ ହେକ୍ଟରରୁ ଅଧିକ । ଝାଡପଡା ଗ୍ରାନାଇଟ୍‍ ଖଣି ଅଞ୍ଚଳରେ ୮ ହେକ୍ଟରରୁ ଅଧିକ ଅଞ୍ଚଳ ରହିଥିବାବେଳେ ଡମ୍ବା ଖଣିରେ ପାଖାପାଖି ୧୦ ହେକ୍ଟର ଅଞ୍ଚଳ ରହିଛି । ତେବେ ଅଧିକାଂଶ ଖଣି ଅଞ୍ଚଳରେ ଥିବା ଜମିରେ ସର୍ବାଧିକ ପରିମାଣର ଜଙ୍ଗଲ ଜମି ରହିଥିବା ଦେଖିବାକୁ ମିଳିଛି । (ତଥ୍ୟ)