ଭୁବନେଶ୍ୱର : ରାଜ୍ୟର ୬୯୭୪ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ‘ସ୍ମାର୍ଟ’ ହେବ । ହାଇସ୍କୁଲ ରୂପାନ୍ତରଣ ପରେ ପ୍ରାଥମିକ ବିଦ୍ୟାଳୟର ରୂପାନ୍ତରଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।
ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟର (ଓକାକ) ସହାୟତାରେ ୬୯୭୪ ବିଦ୍ୟାଳୟର ୧୩,୯୪୮ଟି ଶ୍ରେଣୀଗୃହକୁ ସ୍ମାର୍ଟ କରିବାକୁ ସ୍ଥିର କରିଛନ୍ତି । ଏଥିପାଇଁ ସ୍ମାର୍ଟ ଶ୍ରେଣୀଗୃହ ଲାଗି ଫ୍ଲାଟ ପ୍ୟାନେଲ ଓ କଣ୍ଟେଟ ଷ୍ଟୋରେଜ ସହିତ ସଫ୍ଟୱେର ବିତରଣ ପାଇଁ ଓକାକ୍ ପକ୍ଷରୁ ପ୍ରତିଷ୍ଠିତ କେନ୍ଦ୍ର ଓ ରାଜ୍ୟ ସ୍ତରୀୟ ରାଷ୍ଟ୍ରାୟତ ସଂସ୍ଥାଠାରୁ ଟେଣ୍ଡର ଆହ୍ୱାନ କରାଯାଇଛି । ସମ୍ପୃକ୍ତ ସଂସ୍ଥା ଆଗାମୀ ତିନିବର୍ଷ ପାଇଁ ସ୍ମାର୍ଟ ଶ୍ରେଣୀଗୃହ ପ୍ରତିଷ୍ଠା ସହିତ ଏହାର ରକ୍ଷଣା ବେକ୍ଷଣ କରିବ ।
ପ୍ରତ୍ୟେକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ଅତି କମ୍ରେ ଦୁଇଟି ଶ୍ରେଣୀଗୃହକୁ ସ୍ମାର୍ଟ କରାଯିବ । ସ୍ମାର୍ଟ ଶ୍ରେଣୀଗୃହରେ ମଲ୍ଟିମିଡିଆ ଓ ସୂଚନା ଯୋଗାଯୋଗ ଜ୍ଞାନକୌଶଳ (ଆଇସିଟି) ବ୍ୟବସ୍ଥା ରହିବ । ଏହି ଶ୍ରେଣୀଗୃହରେ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିବ ଯାହା ପାଠପଢା ଓ ଶୈଖିକ ପ୍ରଣାଣୀକୁ ଜ୍ଞାନକୌଶଳ ଜରିଆରେ ସମାଧାନ କରିବ ଏବଂ ଛାତ୍ରଛାତ୍ରୀମାନଙ୍କୁ ସଶକ୍ତ କରିବ ।
ଛାତ୍ରଛାତ୍ରୀମାନଙ୍କୁ ଅତ୍ୟାଧୁନିକ ଭିତ୍ତିଭୂମି ଯୋଗାଣ ଲାଗି ରାଜ୍ୟ ସରକାର ୬୧୩୨ଟି ସରକାରୀ ହାଇସ୍କୁଲର ରୂପାନ୍ତରଣ କରିଛନ୍ତି । ଦୁଇଟି ପର୍ଯ୍ୟାୟରେ ୩୯୮୧ଟି ହାଇସ୍କୁଲର ରୂପାନ୍ତରଣ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ୨୧୫୧ଟି ରୂପାନ୍ତରଣ ହାଇସ୍କୁଲର ଲୋକାର୍ପଣ କରିଛନ୍ତି । ତୃତୀୟ ପର୍ଯ୍ୟାୟ ସମାପ୍ତ ହେବାପରେ ମୋଟ୍ ରୂପାନ୍ତରିତ ହାଇସ୍କୁଲ ସଂଖ୍ୟା ୬୧୩୨ରେ ପହଞ୍ଚଛି । ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟରେ ୧୫୦୦ ହାଇସ୍କୁଲର ରୂପାନ୍ତରଣ କରାଯିବ ।
ଛାତ୍ରଛାତ୍ରୀମାନଙ୍କ ଆଧୁନିକ ବିଦ୍ୟାଳୟ ମାନର ଭିତ୍ତିଭୂମି ଯୋଗାଣ ପାଇଁ ରାଜ୍ୟ ସରକାର ୨୦୨୩ ଡିସେମ୍ବର ଶେଷ ସୁଦ୍ଧା ସମସ୍ତ ହାଇସ୍କୁଲକୁ ୫ଟି ଆଧାରରେ ରୂପାନ୍ତରିତ କରିବାପାଇଁ ଲକ୍ଷ୍ୟ ରଖିଛନ୍ତି । ଆସନ୍ତା ବର୍ଷ ଠାରୁ ରୂପାନ୍ତରଣ ପ୍ରାଥମିକ ବିଦ୍ୟାଳୟଗୁଡିକର ଉଦ୍ଘାଟନ ଆରମ୍ଭ କରାଯିବ ବୋଲି ଏହି ସୂତ୍ରରୁ ଜଣାପଡିଛି । (ତଥ୍ୟ)