Home Administration ସରକାରଙ୍କ ନିଷ୍ପତ୍ତିକୁ ମାନୁ ନାହିଁ ନିର୍ଦ୍ଦେଶାଳୟ

ସରକାରଙ୍କ ନିଷ୍ପତ୍ତିକୁ ମାନୁ ନାହିଁ ନିର୍ଦ୍ଦେଶାଳୟ

ଭୁବନେଶ୍ୱର : ଜିଲ୍ଲା ଓ ବିଭାଗୀୟ ମୁଖ୍ୟ ଦପ୍ତରଗୁଡିକରେ କନିଷ୍ଠ କିରାଣୀ, ବରିଷ୍ଠ କିରାଣୀ ଓ ମୁଖ୍ୟ କିରାଣୀ ପଦବୀଗୁଡିକର ନାମ ଯଥାକ୍ରମେ କନିଷ୍ଠ ସହାୟକ, ବରିଷ୍ଠ ସହାୟକ ଓ ସେକ୍ସନ ଅଫିସର ହେବ ବୋଲି ରାଜ୍ୟ ସରକାରଙ୍କ ନୀତିଗତ ନିଷ୍ପତ୍ତିକୁ କେତେକ ଦପ୍ତର କାର୍ଯ୍ୟକାରୀ କରୁନଥିବାରୁ ପଦୋନ୍ନତି ଓ ଅନ୍ୟାନ୍ୟ ପ୍ରସଙ୍ଗରେ ସମସ୍ୟା ଉପୁଜୁଥିବା ଘେନି ଅଭିଯୋଗ ହେଉଛି ।

ଏଠାରେ ଉଲ୍ଲେଖନୀୟ ଯେ ଚାରି ବର୍ଷ ତଳେ ରାଜ୍ୟ ସରକାର ଏ ସଂକ୍ରାନ୍ତରେ ନୀତିଗତ ନିଷ୍ପତ୍ତି ନେଇଥିଲେ ଏବଂ ତଦନୁଯାୟୀ ଓଏମଏସ୍‍ ରୁଲ୍‍ର ସଂଶୋଧନ ସହିତ ସାଧାରଣ ପ୍ରଶାସନ ବିଭାଗ ଏକାଧିକ ନିର୍ଦ୍ଦେଶନାମା ଜାରି କରିଥିଲେ । ତଦନୁଯାୟୀ ଜିଲ୍ଲା ସ୍ତରରେ ଥିବା ବିଭିନ୍ନ ଦପ୍ତର ଏବଂ ରାଜ୍ୟ ସ୍ତରରେ ଥିବା ବିଭାଗୀୟ ମୁଖ୍ୟ ଦପ୍ତରଗୁଡିକରେ କାର୍ଯ୍ୟରତ କନିଷ୍ଠ କିରାଣୀ, ବରିଷ୍ଠ କିରାଣୀ ଓ ମୁଖ୍ୟ କିରାଣୀଙ୍କ ପଦବୀର ନାମ ଯଥାକ୍ରମେ ଜୁନିଅର ଆସିଷ୍ଟାଣ୍ଟ, ସିନିଅର ଆସିଷ୍ଟାଣ୍ଟ ଓ ସେକ୍ସନ ଅଫିସର ଭାବେ ନାମିତ ହୋଇଥିଲା । ଏହି ଆଧାରରେ ଜିଲ୍ଲା ସ୍ତରୀୟ ବିଭିନ୍ନ ଦପ୍ତରରେ ପୂର୍ବରୁ ନିୟୋଜିତ ଥିବା ହେଡକ୍ଲର୍କମାନଙ୍କର ଏକ କମନ ସିନିୟରଟି ଲିଷ୍ଟ ପ୍ରସ୍ତୁତ କରାଯାଇ ସେମାନଙ୍କ ମଧ୍ୟରୁ ଯୋଗ୍ୟ ବ୍ୟକ୍ତିଙ୍କୁ ଏଷ୍ଟାବ୍ଲିଶମେଣ୍ଟ ଅଫିସର ପଦବୀକୁ ପଦୋନ୍ନତି ଦିଆଯାଉଛି ।

ମତ୍ସ୍ୟ ବିଭାଗ ଅଧିନରେ ଥିବା ମତ୍ସ୍ୟ ନିର୍ଦ୍ଦେଶାଳୟରେ ଏହି ନିୟମର ଅନୁପାଳନ କରାଯିବା ସହ ଭିନ୍ନ ଦପ୍ତରରେ କାର୍ଯ୍ୟ କରୁଥିବା ମୁଖ୍ୟ କିରାଣୀଙ୍କୁ ପଦୋନ୍ନତି ଦେଇ ଏଠାରେ ଏଷ୍ଟାବ୍ଲିଶମେଣ୍ଟ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି । ଅଥଚ ଏହି ବିଭାଗର ଜିଲ୍ଲାସ୍ତରୀୟ ଦପ୍ତରଗୁଡିକରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଜୁନିଅର ଆସିଷ୍ଟାଣ୍ଟ, ସିନିଅର ଆସିଷ୍ଟାଣ୍ଟ ଓ ସେକ୍ସନ ଅଫିସର ଭାବେ ଘୋଷଣା କରାଯିବାର କିଛିଦିନ ପରେ ବିଭାଗୀୟ ନିର୍ଦ୍ଦେଶାଳୟ ପୁଣି ସେମାନଙ୍କୁ କନିଷ୍ଠ କିରାଣୀ, ବରିଷ୍ଠ କିରାଣୀ ଓ ହେଡକ୍ଲର୍କ ବୋଲି ଦର୍ଶାଉଛି ।

ଇତି ମଧ୍ୟରେ ମତ୍ସ୍ୟ ବିଭାଗର ଜିଲ୍ଲା କାର୍ଯ୍ୟାଳୟରେ ଅବସ୍ଥାପିତ କେତେଜଣ ହେଡକ୍ଲର୍କ (ସେକ୍ସନ ଅଫିସର)ଙ୍କୁ ବରିଷ୍ଠତା ଓ ଯୋଗ୍ୟତା ଆଧାରରେ ଖୋରଧା ଜିଲ୍ଲା ପ୍ରଶାସନ ଏଷ୍ଟାବ୍ଲିଶମେଣ୍ଟ ଅଫିସର ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି । ଅନ୍ୟ ଦପ୍ତରରୁ ପଦୋନ୍ନତି ପାଇଥିବା ବ୍ୟକ୍ତିମାନେ ଜିଲ୍ଲାପାଳଙ୍କ ଆଦେଶ ମୁତାବକ ନୂଆ ନିଯୁକ୍ତି ସ୍ଥାନରେ ଯୋଗ ଦେଇଥିବାବେଳେ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ଅଧିନରେ କାର୍ଯ୍ୟ କରୁଥିବା ଜଣେ ହେଡକ୍ଲର୍କ କିନ୍ତୁ ପଦୋନ୍ନତି ପାଇଥିଲେ ବି ବ୍ଲକ ଶିକ୍ଷା ଅଧିକାରୀଙ୍କ ଦପ୍ତରରେ ଏଷ୍ଟାବ୍ଲିଶମେଣ୍ଟ ଅଫିସର ଭାବେ ଯୋଗଦେଇ ପାରୁନାହାନ୍ତି ।

କର୍ମଚାରୀ ସଂଘମାନେ ଅଭିଯୋଗ କରୁଛନ୍ତି ଯେ ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶନାମା, ସଂଶୋଧିତ ଆଇନ୍‍ ଏବଂ ମତ୍ସ୍ୟ ବିଭାଗର ନିର୍ଦ୍ଦେଶ ସତ୍ୱେ ମତ୍ସ୍ୟ ନିର୍ଦ୍ଦେଶାଳୟ ସମ୍ପୃକ୍ତ ହେଡକ୍ଲର୍କଙ୍କୁ ଭାରମୁକ୍ତ କରୁନଥିବାରୁ ସେ ପଦୋନ୍ନତି ସ୍ଥାନରେ ଯୋଗଦେଇ ପାରୁନାହାନ୍ତି । ଅଭିଯୋଗ ହେଉଛି ଯେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଉପରେ ନିର୍ଦ୍ଦେଶାଳୟ ଏକପ୍ରକାର ରହିତାଦେଶ ଜାରି କରିଥିବାରୁ ଏଭଳି ବିଚିତ୍ର ସମସ୍ୟା ଉପୁଜୁଛି ।

ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଏ ସମସ୍ୟାରେ ହସ୍ତକ୍ଷେପ କରି ସମାଧାନ ନକଲେ କର୍ମଚାରୀ ସଂଘ ପକ୍ଷରୁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ପ୍ରଶାସନ କଳରେ ଶୃଙ୍ଖଳା ରକ୍ଷାପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ପ୍ରଥମେ କାର୍ଯ୍ୟକାରୀ କରି ପରେ ତାହାକୁ ପ୍ରତ୍ୟାହାର କରିବାର ଅଧିକାର ନିର୍ଦ୍ଦେଶାଳୟର ନାହିଁ ବୋଲି ଆଇନ୍‍ ବିଶେଷଜ୍ଞମାନେ ମତ ଦେବା ସହ ଏଭଳି କାର୍ଯ୍ୟାନୁଷ୍ଠାନ ଯୋଗୁଁ ଅଯଥାରେ ସରକାରଙ୍କ ବିରୁଦ୍ଧରେ ଗୁଡିଏ ମାମଲା ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରିଛନ୍ତି । (ତଥ୍ୟ)