Home Administration ସବୁ ପଞ୍ଜିକରଣ ଦପ୍ତରରେ ସିସିଟିଭି

ସବୁ ପଞ୍ଜିକରଣ ଦପ୍ତରରେ ସିସିଟିଭି

ଭୁବନେଶ୍ୱର : ଜମିଜମା ପଞ୍ଜିକରଣକୁ ଅଧିକ ସ୍ୱଚ୍ଛ ଓ ସହଜ କରିବାପାଇଁ ରାଜ୍ୟ ସରକାର କଟକ ସ୍ଥିତ ଆଇଜିଆର ଦପ୍ତର ଠାରୁ ଆରମ୍ଭ କରି ସବରେଜିଷ୍ଟ୍ରାର ଦପ୍ତର, ଜିଲ୍ଲା ପଞ୍ଜିକରଣ ଦପ୍ତର ଆଦିରେ ସିସିଟିଭି ଖଞ୍ଜିବାପାଇଁ ସ୍ଥିର କରିଛନ୍ତି । ଇ-ପଞ୍ଜିକରଣ ପ୍ରକଳ୍ପ ଅଧିନରେ ଓକାକ ସହାୟତାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ କାର୍ଯ୍ୟକାରୀ କରିବ ।

ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ୫-ଟି ବ୍ୟବସ୍ଥା ଆଧାରରେ ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଏବେ ଇ-ପଞ୍ଜିକରଣ କାର୍ଯ୍ୟ ପିପିପି ମୋଡ୍‍ରେ ହେଉଛି । ଲୋକଙ୍କ ପାଇଁ ତ୍ୱରିତ ଏବଂ ସ୍ୱଳ୍ପ ବ୍ୟୟରେ ୩୦ଟି ଜିଲ୍ଲାର ୨୫୦ଟି ପଞ୍ଜିକରଣ ଦପ୍ତରରେ ଚାଲିଥିବା ଇ-ପଞ୍ଜିକରଣ କାର୍ଯ୍ୟରେ ଆହୁରି ଦକ୍ଷତା ଆଣିବାପାଇଁ ଏଭଳି ପଦକ୍ଷେପ ନିଆଯାଇଛି ।

ଏହି ପ୍ରକଳ୍ପ ଅଧିନରେ ୨୦୫ ସବ ରେଜିଷ୍ଟ୍ରାର ଦପ୍ତର, ୩୦ଟି ଜିଲ୍ଲା ପଞ୍ଜିକରଣ ଦପ୍ତର ଏବଂ ଆଇଜିଆରରେ ସିସିଟିଭି ଖଞ୍ଜାଯିବ । ସବରେଜିଷ୍ଟ୍ରାର ଦପ୍ତରକୁ ଜିଲ୍ଲାରେ ରେଜିଷ୍ଟ୍ରାର ଦପ୍ତର ସହିତ ସଂଯୋଗ କରାଯିବ । ଏହାଦ୍ୱାରା ରାଜ୍ୟର ସମସ୍ତ ଦପ୍ତରରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ ହୋଇପାରିବ । ଏଥି ସହିତ ସିସିଟିଭି ଜରିଆରେ ବେଆଇନ୍‍ ଜମି କାରବାର ଉପରେ କେନ୍ଦ୍ରୀୟ ସ୍ତରରୁ ନଜର ରଖାଯାଇ ପାରିବ ।

ସବରେଜିଷ୍ଟ୍ରାର ଦପ୍ତରରେ ରେକର୍ଡିଂ ସୁବିଧା ଥିବା ୬ଟି ହାଇ ଡେଫିନେସନ କ୍ୟାମେରା, ୪ଟି ପାଞ୍ଚ ମେଗାପିକ୍ସେଲ ଏବଂ ୨ଟି ଦୁଇ ମେଗାପିକ୍ସେଲ କ୍ୟାମେରା ଲାଗିବ । ଏଥିରେ ଅଗ୍ନି ସୁରକ୍ଷା ପାଇଁ ଆର୍ଲାମ ବ୍ୟବସ୍ଥା ରହିବ । ଏଥି ସହିତ ଇମର୍ଜେନ୍ସି ଆଇପି କମ୍ୟୁନିକେସନ, ମୁଖ ଚିହ୍ନଟରୁ ଉପସ୍ଥାନ ଓ ରିପୋର୍ଟ ପାଇଁ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଆଧାରିତ ଭିଡିଓ ଅନୁଶୀଳନ ବ୍ୟବସ୍ଥା ରହିବ ।

ରାଜ୍ୟ ସ୍ତରୀୟ କଣ୍ଟ୍ରୋଲ ରୁମ୍‍ କଟକ ସ୍ଥିତ ଆଇଜିଆରରେ ପ୍ରତିଷ୍ଠା ହେବ । ଏଠାରୁ ସମସ୍ତ ରାଜ୍ୟରେ ଲାଗିଥିବା ସିସିଟିଭିକୁ ନିରୀକ୍ଷଣ କରିହେବ । ତେବେ ସବ ରେଜିଷ୍ଟ୍ରାର ଦପ୍ତରରେ ଅଗ୍ନି ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ତେଣୁ ସେଠାରେ ଫାୟାର ଆର୍ଲାମ ଲାଗିବା ସହିତ କେନ୍ଦ୍ରୀୟ କଣ୍ଟ୍ରୋଲ ରୁମ୍‍ରୁ ଏହାର ତଦାରଖ କରାଯାଇ ପାରିବ । ଜରୁରୀକାଳୀନ ଏବଂ ସହଜ ଯୋଗାଯୋଗ ପାଇଁ ସବରେଜିଷ୍ଟ୍ରାର ଅଫିସରରେ ଗୋଟିଏ ଆଇପି ଫୋନ୍‍ ରହିବ ।

୩୦ଟି ଜିଲ୍ଲା ପଞ୍ଜିକରଣ ଦପ୍ତର ଜିଲ୍ଲା ସ୍ତରୀୟ କଣ୍ଟ୍ରୋଲରୁମ୍‍ ଭାବେ କାର୍ଯ୍ୟକରିବ ଏହାକୁ ରାଜ୍ୟସ୍ତରୀୟ କଣ୍ଟ୍ରୋଲରୁମ୍‍ ସହିତ ସଂଯୋଗ କରାଯିବ । ଜିଲ୍ଲା ସ୍ତରୀୟ ପଞ୍ଜିକରଣ ଦପ୍ତରରେ ଅଗ୍ନି ନିରାପତ୍ତା ଓ ଆଇପି ଯୋଗାଯୋଗ ଏବଂ ରେକର୍ଡିଂ ସୁବିଧା ଥିବା ୪ଟି ହାଇ ଡେଫିନେସନ ସର୍ଭିଲାନ୍ସ କ୍ୟାମେରା ରହିବ । ସେଠାରେ ଗୋଟିଏ ବଡ ଏଲ୍‍ଇଡି ମନିଟର ରହିବ ସେଠାରୁ ସବରେଜିଷ୍ଟ୍ରାର ଦପ୍ତରରେ ଲାଗିଥିବା ସିଟିଟିଭି ଭିଡିଓକୁ ଅନୁଧ୍ୟାନ କରାଯାଇପାରିବ । (ତଥ୍ୟ)