ଭୁବନେଶ୍ୱର : ପରିପୂରକ ପୁଷ୍ଟି ଯୋଜନାରେ ବର୍ଷକୁ ବର୍ଷ ଖର୍ଚ୍ଚ ବଢି ଚାଲିଥିବାବେଳେ ଅପପୁଷ୍ଟି ଆକ୍ରାନ୍ତ ଶିଶୁଙ୍କ ହାର ଏବେ ବି ରାଜ୍ୟରେ ଉଦବେଗଜନକ ରହିଛି । ଗତ ତିନି ବର୍ଷ ଧରି ପରିପୂରକ ପୁଷ୍ଟି ଯୋଜନାରେ ବାର୍ଷିକ ହଜାରେ କୋଟି ଟଙ୍କାରୁ ଅଧିକ ବ୍ୟୟ ହେଉଛି ।
ମିଳିଥିବା ସୂଚନା ଅନୁଯାୟୀ ପରିପୂରକ ପୁଷ୍ଟିକର ଯୋଜନାରେ ରାଜ୍ୟରେ ୨୦୧୯-୨୦ ବର୍ଷରେ ୧୦୨୦ କୋଟିରୁ ଅଧିକ ଟଙ୍କା ବ୍ୟୟ ହୋଇଥିବାବେଳେ ୨୦୨୦-୨୧ ବର୍ଷରେ ଏହା ୧୦୦୮ କୋଟି ଟଙ୍କାରୁ ଅଧିକ ରହିଥିଲା । ୨୦୨୨-୨୩ ବର୍ଷର ଡିସେମ୍ବର ସୁଦ୍ଧା ଏହି ଯୋଜନାରେ ରାଜ୍ୟରେ ୭୧୧ କୋଟି ଟଙ୍କାରୁ ଅଧିକ ବ୍ୟୟ ହୋଇଥିଲା । ବ୍ୟୟ ହୋଇଥିବା ଅର୍ଥର ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଂଶଧନ ରହିଛି । ତେବେ ଏହି ତିନିବର୍ଷରେ ରାଜ୍ୟରେ ବଜେଟ୍ ବ୍ୟୟବରାଦ ହଜାରେ କୋଟି ଟଙ୍କାରୁ ଅଧିକ ରହିଥିଲା ।
ଏତେ ବିପୁଳ ଅର୍ଥ ବ୍ୟୟ ସତ୍ୱେ ମଧ୍ୟ ୫ବର୍ଷରୁ କମ୍ ବୟସର ପିଲାଙ୍କର ବୟସ ଅନୁଯାୟୀ ଉଚ୍ଚତା ଢେର କମ୍ ରହିଛି । ନବରଙ୍ଗପୁର ଜିଲ୍ଲାରେ ଏହି ବୟସର ୪୪ ପ୍ରତିଶତ ପିଲାଙ୍କର ବୟସ ତୁଳନାରେ ଏଭଳି କମ୍ ଉଚ୍ଚତା ରହିଥିବାବେଳେ ରାୟଗଡା, ନୂଆପଡା, ସମ୍ବଲପୁର, ଗଜପତି, କୋରାପୁଟ ଆଦି ଜିଲ୍ଲାରେ ଏହା ୪୦ ପ୍ରତିଶତରୁ ଅଧିକ ରହିଛି । ତେବେ ସର୍ବଭାରତୀୟ ସ୍ତରରେ ଏହା ୩୫.୫ ପ୍ରତିଶତ ରହିଥିବା ଜଣାଯାଇଛି ।
ସେହିଭଳି ୫ବର୍ଷ ବୟସରୁ କମ୍ ବୟସର ପିଲାଙ୍କର ବୟସର ତୁଳନାରେ କମ୍ ଓଜନ ସଂଖ୍ୟା ବି କିଛି କମ୍ ନୁହେଁ । ମୟୁରଭଞ୍ଜ ଜିଲ୍ଲାରେ ଏହି ହାର ୨୮.୫ ପ୍ରତିଶତ ରହିଥିବାବେଳେ ସମ୍ବଲପୁରରେ ୨୫.୫ ପ୍ରତିଶତ ରହିଛି । ଖୋରଧା ଜିଲ୍ଲାରେ ବୟସ ତୁଳନାରେ କମ୍ ଓଜନର ଶିଶୁଙ୍କ ସଂଖ୍ୟା ୧୩ ପ୍ରତିଶତରୁ ଅଧିକ ରହିଥିବାବେଳେ ସର୍ବଭାରତୀୟ ସ୍ତରରେ ଏହା ୧୮ ପ୍ରତିାତରୁ ଅଧିକ ରହିଛି ।
ପାଞ୍ଚ ବର୍ଷରୁ କମ୍ ବୟସର ଶିଶୁଙ୍କ କ୍ଷେତ୍ରରେ କମ୍ ଓଜନ ଓ ଉଚ୍ଚତାର ଏଭଳି ସ୍ଥିତି ଥିବାବେଳେ ୬ମାସରୁ ୫ବର୍ଷ ବୟସର ଶିଶୁଙ୍କ କ୍ଷେତ୍ରରେ ହିମୋଗ୍ଲୋମିନର ସ୍ତର ମଧ୍ୟ ଢେର କମ୍ ରହିଛି । ସାଧାରଣ ହିମୋଗ୍ଲୋବିନର ସ୍ତର ୧୧ ପ୍ରତିଶତ ଧରା ଯାଉଥିବାବେଳେ ମାଲକାନଗିରିର ୭୮ ପ୍ରତିଶତ ଶିଶୁଙ୍କ ଦେହରେ ଏହି ସ୍ତରର ହିମୋଗ୍ଲୋବିନ ନାହିଁ । ଅନ୍ୟ ଜିଲ୍ଲା ମଧ୍ୟରେ ସୁନ୍ଦରଗଡରେ ୭୭ ପ୍ରତିଶତ, ନୂଆପଡାରେ ୭୩.୫, କଟକରେ ୬୩.୮, ଖୋରଧାରେ ୫୬.୧, ଜଗତ୍ସିଂହପୁରରେ ୫୮.୨ ପ୍ରତିଶତ ଶିଶୁଙ୍କ ଶରୀରରେ ଧାର୍ଯ୍ୟ ମାତ୍ରା ଠାରୁ କମ୍ ହିମୋଗ୍ଲୋବିନ ରହିଛି । ତେବେ ସର୍ବଭାରତୀୟ ସ୍ତରରେ ହାରାହାରି ୬୭ ପ୍ରତିଶତ ଶିଶୁଙ୍କ ଶରୀରରେ ଏହି ପରିମାଣର ହିମୋଗ୍ଲୋମିନ ନଥିବାବେଳେ ଓଡିଶାରେ ଏହା ହାରାହାରି ୬୪.୨ ପ୍ରତିଶତ ରହିଛି ।
ମା’ ଓ ଶିଶୁ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଇ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ପରିପୂରକ ପୁଷ୍ଟି ଯୋଜନା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ଓ ଏ ବାବଦରେ କୋଟି କୋଟି ଟଙ୍କା ବ୍ୟୟ ହେଉଥିବାବେଳେ ପିଲାମାନେ ବୟସ ତୁଳନାରେ କମ୍ ଉଚ୍ଚତା ଓ କମ୍ ଓଜନ ରହିବା ଏବଂ ସେମାନଙ୍କ ଶରୀରରେ କମ୍ ପରିମାଣ ହିମୋଗ୍ଲୋବିନ ରହିବା ଏବେ ବିଶେଷଜ୍ଞଙ୍କ ପାଇଁ ଚିନ୍ତାର କାରଣ ହୋଇଛି । (ତଥ୍ୟ)