ଭୁବନେଶ୍ୱର : ସମଗ୍ର ଦେଶରେ ହାତୀ ଆକ୍ରମଣରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ଓଡିଶାରେ ସର୍ବାଧିକ । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନାରୁ ଏହା ଜଣାଯାଇଛି ।
ଏହି ସୂଚନା ଅନୁଯାୟୀ ଦେଶର ୧୪ଟି ରାଜ୍ୟରେ ହାତୀ ସହିତ ମୁହାଁମୁହିଁ ହେବା ଫଳରେ ଲୋକମାନେ ମୃତ୍ୟୁମୁଖରେ ପଡୁଛନ୍ତି । ଏଥିରେ ଓଡିଶା ସବୁଠାରୁ ଆଗରେ ରହିଛି । ୨୦୧୯-୨୦ ବର୍ଷରେ ହାତୀ-ମଣିଷ ଲଢେଇରେ ଓଡିଶାରେ ୧୧୭ଜଣ ମୃତ୍ୟୁ କରିଥିଲେ ଯାହାକି ଦେଶର ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ । ସେହିବର୍ଷ ପଶ୍ଚିମବଙ୍ଗରେ ଦ୍ୱିତୀୟ ସର୍ବାଧିକ ୧୧୬ଜଣ ବ୍ୟକ୍ତି ହାତୀ ହାବୁଡରେ ପଡି ମୃତ୍ୟୁବରଣ କରିଥିବାବେଳେ ଝାଡଖଣ୍ଡରେ ଏହି ସଂଖ୍ୟା ୮୪, ଛତିଶଗଡରେ ୭୭, ଆସାମରେ ୭୫ ଓ ତାମିଲନାଡୁରେ ୫୮ରହିଥିଲା ।
ସେହିଭଳି ୨୦୨୦-୨୧ ବର୍ଷରେ ଓଡିଶାରେ ୯୩ଜଣ ବ୍ୟକ୍ତି ହାବୁଡରେ ପଡି ମୃତ୍ୟୁବରଣ କରିଥିଲେ ଯାହାକି ୧୪ଟି ରାଜ୍ୟରେ ସର୍ବାଧିକ ଥିଲା । ସେହିବର୍ଷ ଆସାମରେ ହାତୀ ସହ ମୁହାଁମୁହିଁ ହୋଇ ୯୧ଜଣ ମରିଥିବାବେଳେ ଝାଡଖଣ୍ଡରେ ୭୪ ଜଣ ମୃତ୍ୟୁବରଣ କରିଥିଲେ । ଏହିବର୍ଷ ପଶ୍ଚିମବଙ୍ଗରେ ମାତ୍ର ୪୭ଜଣ ମୃତ୍ୟୁବରଣ କରିଥିଲେ ।
ତେବେ ୨୦୨୧-୨୨ ବର୍ଷରେ ହାତୀ ହାବୁଡରେ ପଡି ସର୍ବାଧିକ ୧୩୩ଜଣ ଝାଡଖଣ୍ଡରେ ମୃତ୍ୟୁବରଣ କରିଥିବାବେଳେ ଓଡିଶାରେ ଦ୍ୱିତୀୟ ସର୍ବାଧିକ ୧୧୨ ଜଣ ମରିଥିଲେ । ପଶ୍ଚିମବଙ୍ଗରେ ମୃତ୍ୟୁସଂଖ୍ୟା ୭୭ ରହିଥିଲା ।
ତେବେ ୨୦୨୦ ରୁ ୨୦୨୨ ବର୍ଷ ମଧ୍ୟରେ ଓଡିଶାରୁ ଜଣେ ହେଲେ କେହି ବାଘ ହାବୁଡରେ ପଡି ମୃତ୍ୟୁବରଣ କରିନଥିବା ଜଣାଯାଇଛି । ବାଘ ଆକ୍ରମଣରେ ସର୍ବାଧିକ ମୃତ୍ୟୁ ମହାରାଷ୍ଟ୍ରରେ ହେଉଥିବା ଏହି ସୂଚନାରୁ ଜଣାଯାଇଛି । ଏହି ତିିନିବର୍ଷରେ ମହାରାଷ୍ଟ୍ରରେ ୧୪୧ ଜଣ ମୃତ୍ୟୁବରଣ କରିଛନ୍ତି । କେବଳ ୨୦୨୨ରେ ମହାରାଷ୍ଟ୍ରରେ ବାଘ ଆକ୍ରମଣରେ ୮୪ଜଣ ମରିଛନ୍ତି । ଏଥି ସହିତ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ବିହାର, କର୍ଣ୍ଣାଟକ ଆଦି ରାଜ୍ୟରେ ଲୋକେ ବି ବାଘ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି ।
ଓଡିଶା ସରକାର ଇତି ମଧ୍ୟରେ ବନ୍ୟପ୍ରାଣୀଙ୍କ ସହିତ ଲଢେଇରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ପାଇଁ କ୍ଷତିପୂରଣ ରାଶିକୁ ୬ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ପୂର୍ବରୁ ଏହା ୪ଲକ୍ଷ ଟଙ୍କା ରହିଥିଲା । କେବଳ ହାତୀ ନୁହେଁ ଓଡିଶାରେ ବାର୍ହା, ଭାଲୁ ଆଦି ବନ୍ୟପ୍ରାଣୀଙ୍କ ଆକ୍ରମଣରେ ବି ଲୋକେ ମରୁଥିବାର ନଜିର ରହିଛି । (ତଥ୍ୟ)