Home Infrastructure ରାଜପଥ ନିର୍ମାଣରେ ସର୍ବକାଳୀନ ରେକର୍ଡ

ରାଜପଥ ନିର୍ମାଣରେ ସର୍ବକାଳୀନ ରେକର୍ଡ

ଭୁବନେଶ୍ୱର : ରାଜ୍ୟରେ ଜାତୀୟ ରାଜପଥ ପ୍ରକଳ୍ପ ନିମନ୍ତେ ପ୍ରାୟ ୨୦ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ ହୋଇ କାର୍ଯ୍ୟକାରୀ କରାଯାଉଛି । ଏହା ସର୍ବକାଳୀନ ରେକର୍ଡ ବୋଲି ଜଣାଯାଇଛି ।

କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ସଦ୍ୟତମ ସମୀକ୍ଷାରୁ ଏହା ଜଣାଯାଇଛି । ରାଜ୍ୟରେ ନୂତନ ଭାବରେ ୧୫୭୪ କିଲୋମିଟର ଲମ୍ବ ଜାତୀୟ ରାଜପଥ ପାଇଁ ୨୦,୩୯୬ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ କେନ୍ଦ୍ର ସରକାର ଗମନାଗମନ ବ୍ୟବସ୍ଥାକୁ ସୁଗମ କରିବାପାଇଁ ଉଭୟ ରେଳବାଇ ଓ ରାଜପଥ ବ୍ୟବସ୍ଥାର ସୁଦୃଢୀକରଣ ନିମନ୍ତେ ପଦକ୍ଷେପ ନେଉଛନ୍ତି ଏବଂ ରେଳବାଇ ବଜେଟ୍‍ରେ ୧୦ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପୁଞ୍ଜି ବିନିଯୋଗ ପାଇଁ ବ୍ୟବସ୍ଥା ହୋଇଥିବାବେଳେ ଜାତୀୟ ରାଜପଥର ବିକାଶ ନିମନ୍ତେ ଏହାର ଦୁଇଗୁଣ ଅର୍ଥର ବରାଦ କରାଯାଇଛି ।

ରାଜ୍ୟ ସରକାର ଜାତୀୟ ରାଜପଥଗୁଡିକର ମରାମତି ଓ ରକ୍ଷଣା ବେକ୍ଷଣକୁ ତ୍ୱରାନ୍ୱିତ କରିବା ସଂଗେ ସଂଗେ ବର୍ଷ ବର୍ଷ ଧରି ସମ୍ପୂର୍ଣର୍ ହୋଇପାରୁନଥିବା ଜାତୀୟ ରାଜପଥ ପ୍ରକଳ୍ପଗୁଡିକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିବାବେଳେ ସମ୍ପ୍ରତି କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଏହାର ସମୀକ୍ଷା କରିଛନ୍ତି ।

ବିଳମ୍ବିତ ହୋଇ ପଡି ରହିଥିବା ଜାତୀୟ ରାଜପଥ ପ୍ରକଳ୍ପଗୁଡିକୁ କାର୍ଯ୍ୟକାରୀ କରିବାପାଇଁ ଶ୍ରୀ ଗଡକରୀ ନିର୍ଦ୍ଦେଶ ଦେଇଥିବାବେଳେ ଏ କ୍ଷେତ୍ରରେ କାହିଁକି ବିଳମ୍ବ ହେଉଛି ସେ ସଂକ୍ରାନ୍ତରେ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବାକୁ ସେ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି । ସମ୍ବଲପୁର-କଟକକୁ ଯୋଗାଯୋଗ କରୁଥିବା ଜାତୀୟ ରଜପଥ ଅତ୍ୟନ୍ତ ବିପଦସଙ୍କୁଳ ହୋଇପଡିଛି । କାରଣ ପ୍ରକଳ୍ପ କାର୍ଯ୍ୟ ଅତ୍ୟନ୍ତ ଧିମାଗତିରେ ଚାଲୁଥିବାବେଳେ ପୁରାତନ ରାଜପଥ ଖାଲଖମାରେ ଭରି ରହିଛି । ପ୍ରାୟ ୨୭୦ କିଲୋମିଟର ଦୀର୍ଘ ଏହି ରାଜପଥ ମଧ୍ୟରୁ ୧୦୦ ଉର୍ଦ୍ଧ୍ୱ କିଲୋମିଟରର କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଆହୁରି ସମୟ ଲାଗିଯିବ । ତେଣୁ ଏହା କିଭଳି ତ୍ୱରାନ୍ୱିତ ଭାବରେ କାର୍ଯ୍ୟକାରୀ କରାଯିବ ସେଥିପାଇଁ ଦୃଷ୍ଟିଦେବା ସକାଶେ ଲୋକପ୍ରତିନିଧିମାନେ କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି ଉପସ୍ଥାପନ କରିଥିବା ଜଣାଯାଇଛି ।

ବର୍ଷାଦିନରେ ଏହି ରାଜପଥଗୁଡିକ ଅତ୍ୟନ୍ତ ବିପଦସଙ୍କୁଳ ହୋଇପଡିଥିବା ଯୋଗୁଁ ଦୁର୍ଘଟଣା ହାର ବଢିବାରେ ଲାଗିଛି । ସେଥିପାଇଁ ରାଜ୍ୟ ସରକାର ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ସମଗ୍ର ଦେଶରେ ୩୮,୨୧୮ କିଲୋମିଟର ଦୀର୍ଘ ଜାତୀୟ ରାଜପଥ ପାଇଁ ୮,୨୪,୧୩୮ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ସବୁଠାରୁ ଅଧିକ ମହାରାଷ୍ଟ୍ର ଏକ ଲକ୍ଷ କୋଟିରୁ ଅଧିକ ଅର୍ଥ ପାଇଥିବାବେଳେ ଉତ୍ତରପ୍ରଦେଶ ପ୍ରାୟ ୬୬ହଜାର କୋଟି ଟଙ୍କା ପାଇଥିବା ଜଣାଯାଇଛି । (ତଥ୍ୟ)