ଭୁବନେଶ୍ୱର : ଓଡ଼ିଶାରେ ପ୍ରଚୁର କପା ଉତ୍ପାଦନ ହେଉଥିବାବେଳେ ରାଜ୍ୟ ଭିତରେ ଏହାର ବିନିଯୋଗ କରାଯାଇ ପାରୁନଥିବାରୁ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ଓଡ଼ିଶାରୁ କପା ସଂଗ୍ରହ କରି ଚଢା ଦରରେ ସୂତାକଳମାନଙ୍କୁ ବିକି ପ୍ରଚୁର ମୁନାଫା ଉଠାଉଛନ୍ତି । ଅଥଚ କପାର ଅଭାବୀ ବିକ୍ରି ରୋକିବା ପାଇଁ ଯେଭଳି ପଦକ୍ଷେପ ନିଆଯିବା କଥା ତାହା ହୋଇପାରୁନଥିବାରୁ ଧୀରେ ଧୀରେ ଚାଷୀମାନେ କପା ଚାଷରୁ ମୁହଁ ଫେରାଉଛନ୍ତି ।
ଓଡ଼ିଶାରେ ଉତ୍ପାଦିତ କପାର ମୁଖ୍ୟାଶଂ ଗୋଟିଏ ସମୟରେ ରାଜ୍ୟର ସୂତାକଳ ଗୁଡିକରେ ବ୍ୟବହୃତ ହେଉଥିଲା । ତେବେ ୧୩ଟି ଯାକ ସୂତାକଳ ବିଭିନ୍ନ କାରଣରୁ ବନ୍ଦ ହୋଇଯିବା ଫଳରେ ଓଡ଼ିଶାରେ କପା ବ୍ୟବହାର କମିଛି । ଖଦୀ ଉତ୍ପାଦନ ପାଇଁ କପା ବଳଣା ଓ ସୂତା ଅନ୍ୟ ରାଜ୍ୟରୁ ଆଣିବାକୁ ପଡୁଛି ।
ରାଜ୍ୟରେ ଏବେ ୬ଟି ଯାକ ସମବାୟ ସୂତାକଳ ଦୀର୍ଘବର୍ଷ ଧରି ବନ୍ଦ ହୋଇପଡିଛି । ଖୋର୍ଦ୍ଧା, ଜଗତ୍ସିଂହପୁର ଓ ବରଗଡ଼ ଜିଲ୍ଲାରେ ଥିବା ୩ଟି ସମବାୟ ସୂତାକଳ ୨୦୦୦ ମସିହା ପୂର୍ବରୁ ବନ୍ଦ ହୋଇଥିବାବେଳେ ଢେଙ୍କାନାଳ, ବାଲେଶ୍ୱର ଓ କଟକ ଜିଲ୍ଲାରେ ଥିବା ଆଉ ୩ଟି ସମବାୟ ସୂତାକଳ ୨୦୦୨ରୁ ୨୦୦୮ ମଧ୍ୟରେ ବନ୍ଦ ହୋଇଯାଇଛି । ଏହାଛଡା ସରକାରଙ୍କ ଦ୍ୱାରା ପରିଚାଳିତ କଟକ ଜିଲ୍ଲାର ଓଡ଼ିଶା କଟନ୍ ମିଲ୍ସ ଓ ଝାରସୁଗୁଡାର ଭାସ୍କର ଟେକ୍ସଟାଇଲ୍ ମିଲ୍ସ ବହୁବର୍ଷ ଧରି ବନ୍ଦ ହୋଇଯାଇଛି ।
ଘରୋଇ ଉଦ୍ୟମରେ ପ୍ରତିଷ୍ଠିତ ସୁନ୍ଦରଗଡ଼ର ଅଶୋକା ସିନ୍ଥେଟିକ୍ସ, ବାରିପଦାର କ୍ରିଷ୍ଣା କ୍ଲୋରେଟ୍, ଆସିକାର ଜର୍ଜ ଡିଷ୍ଟ୍ରିବ୍ୟୁଟର, ସୋନପୁରର ବାଲାଜୀ ସ୍ପିନର୍ ଓ ରାଇରଙ୍ଗପୁରର ଓଡ଼ିଶା ସ୍ପିନିଂ ମିଲ ବହୁ ପୂର୍ବରୁ ବନ୍ଦ ହୋଇସାରିଲାଣି ।
୯୦ ଦଶକରେ ରାଜ୍ୟର ଅନ୍ୟୁନ ୧୦ଟି ସମବାୟ ଲୁଗାକଳ ବନ୍ଦ ହୋଇଥିବାବେଳେ ୨୦୦୦-୨୦୦୧ରେ ଯଥାକ୍ରମେ ଚୌଦ୍ୱାରର ଓଟିଏମ୍ ଓ ଢେଙ୍କାନାଳର ସିମିନୋଇ ଲୁଗାକଳ ବନ୍ଦ ହେଲା । ମୋଟାମୋଟି ଭାବେ ରାଜ୍ୟର ପ୍ରାୟ ସମସ୍ତ ସମବାୟ ଲୁଗାକଳ ବନ୍ଦ ହୋଇସାରିଛି । ଏହି ସୂତାକଳ ଓ ଲୁଗାକଳ ଗୁଡିକ ବନ୍ଦ ହୋଇଯିବା ଫଳରେ ଏଥିରେ ନିୟୋଜିତ ଥିବା ବହୁ କୁଶଳୀ କର୍ମୀ ଓ କର୍ମଚାରୀ କାମଧନ୍ଦା ହରାଇ ଅନ୍ୟ ରାଜ୍ୟର ଲୁଗାକଳ ଓ ସୂତାକଳ ଗୁଡିକରେ କାମ କରିବା ପାଇଁ ରାଜ୍ୟ ବାହାରକୁ ପଳାଇଛନ୍ତି ।
ଏହି ସୂତାକଳ ଓ ଲୁଗାକଳ ଗୁଡିକ ମଧ୍ୟରୁ ଅଧିକାଂଶଙ୍କ ଉପରେ ବ୍ୟାଙ୍କ ଋଣ ବୋଝ ରହିଛି । ଗୋଟିଏ ପଟେ ସୂତାକଳ ଓ ଲୁଗାକଳ ଗୁଡିକ ବନ୍ଦ ହୋଇଯାଇଥିବାବେଳେ ଅନ୍ୟପଟେ ଏମାନେ ଆଣିଥିବା ଋଣର ସୁଧ ଚକ୍ରବୃଦ୍ଧି ହାରରେ ବଢିଚାଲିଥିବାବେଳେ ପରିଶୋଧ ହୋଇପାରୁନାହିଁ । ଏ ପରିପ୍ରେକ୍ଷୀରେ କେତେକ ବ୍ୟାଙ୍କ ଏହି କାରଖାନା ଗୁଡିକର ଭୂସମ୍ପତି, ଘରଦ୍ୱାର ଓ ଜମିଜମା ନିଲାମ କରିବାକୁ ପଦକ୍ଷେପ ଗ୍ରହଣ କରୁଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ ଓଡ଼ିଶାର ବ୍ୟବହାର ପାଇଁ ବାର୍ଷିକ ପ୍ରାୟ ୩୦ହଜାର କୋଟି ଟଙ୍କାର କପଡ଼ା ଆବଶ୍ୟକ ହେଉଥିବାବେଳେ ରାଜ୍ୟରେ ହଜାରେ କୋଟି ଟଙ୍କାର କପଡ଼ା ବି ହସ୍ତତନ୍ତ ଓ ଖଦୀରୁ ଆସିପାରୁନାହିଁ । ଏଥିଯୋଗୁ ଓଡ଼ିଶାର କପଡ଼ା ବଜାରକୁ ଅନ୍ୟ ରାଜ୍ୟର ବୟନଶିଳ୍ପ ଗୁଡିକ ଦଖଲ କରିନେଇଛନ୍ତି । ଏମିତିକି ରାଜ୍ୟର ହସ୍ତତନ୍ତ ଶିଳ୍ପ ଗୁଡିକ ପାଇଁ ଯେତେ ପରିମାଣର ସୂତା ଆବଶ୍ୟକ ହେଉଛି ତାହା ବି ଅନ୍ୟ ରାଜ୍ୟରୁ ଆଣିବାକୁ ପଡୁଛି ବୋଲି କେତେକ ପ୍ରତିଷ୍ଠିତ ବୁଣାକାର ସଂସ୍ଥା ସ୍ୱୀକାର କରୁଛନ୍ତି ।
ଓଡ଼ିଶା ହସ୍ତତନ୍ତ ସାମଗ୍ରୀ ବେଶ୍ ଉନ୍ନତମାନର ହୋଇଥିଲେ ମଧ୍ୟ ବିଦେଶକୁ ଭାରତ ଯେତେ ପରିମାଣର ହସ୍ତତନ୍ତ ରପ୍ତାନୀ କରୁଛି ତାହାର ୧ ପ୍ରତିଶତ ମଧ୍ୟ ଓଡ଼ିଶାରୁ ହୋଇପାରୁନାହିଁ । ଏ କ୍ଷେତ୍ର ପ୍ରତି ଅଧିକ ଧ୍ୟାନ ଦିଆଗଲେ କପାଚାଷୀ, ସୂତା କଟାଳି, ଲୁଗାବୁଣାଳୀଙ୍କ ଠାରୁ ଆରମ୍ଭ କରି ବୟନ ଶିଳ୍ପରେ ନିୟୋଜିତ ଲକ୍ଷାଧିକ ପରିବାରଙ୍କ ଆର୍ଥିକ ବିକାଶ ହେବା ସହିତ ରାଜ୍ୟ ଅର୍ଥନୀତି ମଧ୍ୟ ସମୃଦ୍ଧ ହୋଇପାରନ୍ତା ବୋଲି ଯୋଜନା ବିଷାରଦମାନେ ମତବ୍ୟକ୍ତ କରୁଛନ୍ତି । (ତଥ୍ୟ)