ଭୁବନେଶ୍ୱର : ବରିଷ୍ଠ ଆଇଏଏସ ଅଫିସର ରଂଜନ କୁମାର ଦାସଙ୍କୁ ରାଜ୍ୟ ସରକାର ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେଇଛନ୍ତି । ଶ୍ରୀ ଦାସ କେବଳ ଶ୍ରୀମନ୍ଦିର ପ୍ରଶାସକ ଭାବେ କାର୍ଯ୍ୟ କରିବେ । ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଯାଇ ରାଜ୍ୟ ସରକାର ଆଜି ଏହି ନିଷ୍ପତି ନେଇଛନ୍ତି ।
ଉଲ୍ଲେଖନୀୟ ଯେ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ସର୍ବୋଚ୍ଚ ଅଦାଲତ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଭାବେ ଜଣେ ଅଧିକାରୀଙ୍କୁ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେବାକୁ କହିଥିଲେ । ହେଲେ ଅଦାଲତଙ୍କ ରାୟର ଦୀର୍ଘ ଦିନ ବିତିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରିନଥିଲା ।
ଅଦାଲତ ରାୟ ଦେବା ପରେ କରୋନା ମହାମାରୀ ଆସିଯିବାରୁ ରାଜ୍ୟ ସରକାର ମୁଖ୍ୟ ପ୍ରଶାସକଙ୍କୁ ନିଯୁକ୍ତ କରିପାରିନଥିଲେ । ଅତିରିକ୍ତ ଭାବେ ଜଣେ ଅଧିକାରୀ ଏହି ଦାୟିତ୍ୱ ତୁଲାଉଥିଲେ । ତେବେ ଇତି ମଧ୍ୟରେ ରାଜ୍ୟ ସରକାର ମୁଖ୍ୟ ପ୍ରଶାସକ ନିଯୁକ୍ତି ପାଇଁ ଆଉକିଛି ସମୟ ଦେବାକୁ ଅଦାଲତଙ୍କୁ ସତ୍ୟପାଠ ଆକାରରେ ଜଣାଇବା ପରେ ଅଦାଲତ ଏହାକୁ ନେଇ ଆପତି ଉଠାଇବା ସହିତ ସରକାରଙ୍କ ଠାରୁ ଏନେଇ ସ୍ପଷ୍ଟିକରଣ ମାଗିଥିଲେ ।
ତେବେ ରାଜ୍ୟ ସରକାର ଅଦାଲତଙ୍କ ନିର୍ଦ୍ଦେଶ ପାଳନ ପୂର୍ବକ ଶ୍ରୀ ଦାସଙ୍କ ନାମକୁ ଆଜି ବିଜ୍ଞପ୍ତି ଆକାରରେ ପ୍ରକାଶ କରିଛନ୍ତି । ଫଳରେ ରାଜ୍ୟ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ଦାସ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ଥିବା ବରିଷ୍ଠ ଆଇଏଏସ ଅଧିକାରୀ ବୀର ବିକ୍ରମ ଯାଦବଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ ।
ଶ୍ରୀ ଯାଦବ ପୂର୍ତ ବିଭାଗ ଓ ଖାଦ୍ୟ ଯୋଗାଣ ଖାଉଟି ବିଭାଗ ସହିତ ଅତିରିକ୍ତ ଭାବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ତୁଲାଉଥିଲେ ।
ସେହିଭଳି ବରିଷ୍ଠ ଆଇଏଏସ୍ ଅଫିସର ଶ୍ରୀକାନ୍ତ ପୃଷ୍ଟିଙ୍କୁ ରାଜ୍ୟ ସରକାର ରାଜ୍ୟ ପଂଚାୟତିରାଜ ଓ ପାନୀୟଜଳ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରିଛନ୍ତି । ଶ୍ରୀ ପୃଷ୍ଟି ହସ୍ତଶିଳ୍ପ, ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଥିଲେ ।
ସେହିଭଳି ମୁଖ୍ୟ ଶାସନ ସଚିବଙ୍କ ଓଏସଡି ଭାବେ କାର୍ଯ୍ୟ କରୁଥିବା ବରିଷ୍ଠ ଆଇଏଏସ୍ ଅଫିସର ଦିଲ୍ଲୀପ ରାଉତରାୟଙ୍କୁ ଓଡିଆ ଭାଷା,ସାହିତ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛନ୍ତି ।