Home Environment ଚିଲିକା ସଂରକ୍ଷଣ ପାଇଁ ଅର୍ଥ ଅଭାବ

ଚିଲିକା ସଂରକ୍ଷଣ ପାଇଁ ଅର୍ଥ ଅଭାବ

ଭୁବନେଶ୍ୱର : ଏସିଆର ବୃହତମ ପ୍ରାକୃତିକ ଲବଣାକ୍ତ ହ୍ରଦ ଚିଲିକା ଆନ୍ତର୍ଜାତିକ ରାମ୍‍ସାର ଘୋଷଣାନାମାରେ ସ୍ଥାନ ପାଇଥିଲେ ମଧ୍ୟ ପ୍ରକୃତିର ଏହି ଚାରୁ ଗନ୍ତାଘର ଯେଭଳି ପୋତି ହୋଇଚାଲିଛି ତାହାର ତୁରନ୍ତ ପ୍ରତିକାର କରାନଗଲେ ଅଳ୍ପ କେଇବର୍ଷ ମଧ୍ୟରେ ଚିଲକା ତାହାର ଅସ୍ତିତ୍ୱ ହରାଇପାରେ ବୋଲି ସ୍ଥାନୀୟ ମତ୍ସ୍ୟଜୀବୀ, ପରିବେଶବିତ୍‍ ଓ ସାଧାରଣ ଲୋକେ ଆଶଙ୍କା ବ୍ୟକ୍ତ କରୁଛନ୍ତି । ଚିଲିକାର ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ଆନ୍ତର୍ଜାତିକ ସଂସ୍ଥାମାନେ ଆଗେଇ ଆସିବା ପାଇଁ ସେମାନେ ନିବେଦନ କରୁଛନ୍ତି ।

ମହାନଦୀରେ ଛତିଶଗଡ଼ର ବ୍ୟାରେଜ୍‍ କାରଣ ଯୋଗୁ ଜଳପ୍ରବାହ କମିବାର କୁପ୍ରଭାବ ସିଧାସଳଖ ଚିଲିକା ଉପରେ ପଡୁଛି । ଏହାଛଡା ରାଜଧାନୀ ଭୁବନେଶ୍ୱର ସମେତ ଅନ୍ୟକେତକ ଅଞ୍ଚଳର ନର୍ଦ୍ଦମାପାଣି ନଦୀ ନାଳ ଜଳରେ ମିଶି ଚିଲିକାରେ ପଶିବା ଯୋଗୁ ଭୟଙ୍କର ପରିସ୍ଥିତି ଉପୁଜିଛି । ଅନ୍ୟପକ୍ଷରେ ଚିଲିକାର ପ୍ରାକୃତିକ ଓ କୃତ୍ରିମ ମୁହାଣ ବାଟଦେଇ ସାମୁଦ୍ରିକ ଢେଉ ସହିତ ଆସୁଥିବା ବାଲି ନିଷ୍କାସନ ଲାଗି ଦୀର୍ଘବର୍ଷ ଧରି ଆଉ ବ୍ୟବସ୍ଥା ହେଉନାହିଁ ।

ଏଣେ ଚିଲିକା ଶୁଖି ଯାଉଥିବାବେଳେ ତେଣେ ଏହାର ଅନ୍ୟତମ ଆକର୍ଷଣ ନଳବଣରେ ନଳଘାସ ସବୁ ମରି ଶୁଖି ପଡିଛି ଏବଂ ସେଥିରେ ନିଆଁ ଲାଗି ମଧ୍ୟ ହ୍ରଦର ବ୍ୟାପକ କ୍ଷତି ଘଟୁଛି । ହ୍ରଦ ଭିତରେ ବି ବିଭିନ୍ନ କିସମର ଗୁଳ୍ମ ଦଳ ଆଦି ବଢିବାରେ ଲାଗିଛି ବୋଲି ମତ୍ସ୍ୟଜୀବୀମାନେ କହୁଛନ୍ତି । ସାତପଡ଼ା, ଆଳୁପାଟଣା, ବାଲୁଗାଁ, ରମ୍ଭା, ପାରିକୁଦ ଆଦିର ଯେଉଁସ୍ଥାନରେ ଏବେ ୨/୩ ଫୁଟ ଉଚ୍ଚର ପାଣି ରହିବା କଥା ସେଠି ଚିଲିକା ଚଟାଣ ଫାଟି ଆଁ କରିଛି ।

ସ୍ଥାନୀୟ ମତ୍ସ୍ୟଜୀବୀମାନେ କହୁଛନ୍ତି ଯେ ଚିଲିକାର ନୂଆ ମୁହାଣ ଖୋଲାଯିବା ପରେ ମାଛ, ଚିଙ୍ଗୁଡି ଓ କଙ୍କଡା ଉତ୍ପାଦନ ବଢିବା ସହ ଚିଲିକାର ଜଳସ୍ତର ମଧ୍ୟ ବୃଦ୍ଧି ପାଇଥିଲା । କିନ୍ତୁ ଦୀର୍ଘବର୍ଷ ଧରି ଏହି ମୁହାଣର ରକ୍ଷଣାବେକ୍ଷଣ ସହ ଚିଲିକାରେ ମିଶିଥିବା ନଦୀ ନାଳର ମୁହାଣ ଏବଂ ଆଭ୍ୟନ୍ତରୀଣ ଅଞ୍ଚଳରୁ ବାଲି, ପଙ୍କ, ପଟୁ ଆଦି କଢା ନଯିବା ଓ ଦଳ, ଗୁଳ୍ମ ଆଦି ସଫା କରାନଯିବା ଫଳରେ ଚିଲିକା ପୋତି ହୋଇ ଚାଲିଛି ।

ଚିଲିକାର ସୁରକ୍ଷା ସହିତ ଏହାର ଉପକୂଳର ଅଧିବାସୀମାନଙ୍କ ବିକାଶ ଲାଗି ରାଜ୍ୟ ସରକାର ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ଗଠନ କରିଥିଲେ । ଜଣେ ବରିଷ୍ଠ ଆଇଏଫ୍‍ଏସ୍‍ ଅଫିସର ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱରେ ରହୁଥିଲେ ଏବଂ ସେ ପୂର୍ଣ୍ଣ ସମୟ ଦେଇ ଏହି ହ୍ରଦ କଥା ବୁଝିବା ସଙ୍ଗେ ସଙ୍ଗେ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ଆନ୍ତର୍ଜାତିକ ସଂସ୍ଥାମାନଙ୍କ ସହ ଯୋଗସୂତ୍ର ରକ୍ଷା କରି ଚିଲିକା ପାଇଁ ପାଣ୍ଠି ସଂଗ୍ରହ କରିବା ଫଳରେ ଏହି ହ୍ରଦର ସଂରକ୍ଷଣ ଓ ବିକାଶ କାର୍ଯ୍ୟ ଚାଲୁଥିଲା ।

ଏବେ ସିଡିଏର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜଣେ ବରିଷ୍ଠ ଆଇଏଫ୍‍ଏସ୍‍ ଅଫିସର ରହିଥିଲେ ମଧ୍ୟ ତାଙ୍କୁ ଆଉ ଅନେକ ଦାୟିତ୍ୱ ଦିଆଯାଇଥିବାରୁ ସେ ସିଡିଏ ପାଇଁ ପୁରା ସମୟ ଦେବା ସମ୍ଭୟ ହେଉନାହିଁ । ସେହିଭଳି ଏଠାରେ ନିୟମିତ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ନଥିବାରୁ ଚିଲିକା ଡିଏଫ୍‍ଓଙ୍କୁ ଏହାର ଅତିରିକ୍ତ ଦାୟିତ୍ୱରେ ରଖାଯାଇଛି ।

ତେଣେ ସିଡିଏ ପାଇଁ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କାମ କରୁଥିବା କର୍ମଚାରୀମାନଙ୍କୁ ନିୟମିତ କରାନଯିବା ଫଳରେ ସେମାନଙ୍କ ପରିବାର ପ୍ରତିପୋଷଣ ଦୁର୍ବିସହ ହୋଇ ପଡିଥିବା ଘେନି ଅଭିଯୋଗ ହେଉଛି । ଚିଲିକାର ପୁନରୁଦ୍ଧାର ଓ ବିକାଶ ପାଇଁ ଦୀର୍ଘ ମିଆଦି ଯୋଜନା ସହିତ ଅର୍ଥ ବ୍ୟବସ୍ଥା କରିବା ଏବଂ ଏହି ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ଦାୟିତ୍ୱରେ ପୂର୍ଣ୍ଣ ସମୟ ଦେଇ ପାରୁଥିବା ଅଧିକାରୀଙ୍କୁ ନିଯୁକ୍ତି ଦେବାଲାଗି ସାତପଡ଼ା ଅଞ୍ଚଳର ଅନେକ ସିଡିଏ କର୍ମଚାରୀ, ମତ୍ସ୍ୟଜୀବୀ ଓ ସାଧାରଣ ଲୋକ ଦାବି କରିଛନ୍ତି । (ତଥ୍ୟ)