ଭୁବନେଶ୍ୱର : ଜାଲ୍ ଶିକ୍ଷାଗତ ସାର୍ଟିଫିକେଟ୍ ଆଧାରରେ ଚାକିରି ପାଉଥିବା ଲୋକମାନଙ୍କ ବିରୁଦ୍ଧରେ ଏବେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେଉଥିବାବେଳେ ଅନୁସୂଚିତ ଜାତି ବର୍ଗର ଜଣେ ବ୍ୟକ୍ତିଙ୍କୁ ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଦର୍ଶାଇ ପ୍ରାୟ ୨୩ବର୍ଷ ପରେ ଚାକିରିରୁ ବିଦା କରାଯାଉଛି । ସମ୍ପୃକ୍ତ ବ୍ୟକ୍ତି ଜଣକ ଅନୁସୂଚିତ ଜାତି ବର୍ଗର ଡମ୍ବ ସମ୍ପ୍ରଦାୟର ବୋଲି ତହସିଲଦାର ବାରମ୍ବାର ସାର୍ଟିଫିକେଟ ଦେଉଥିବା ଏବଂ ସେ ସାର୍ଟିଫିକେଟ ଜାଲିଆତି କରିନାହାଁନ୍ତି ବୋଲି ଆଇନ ଅଦାଲତ ସ୍ପଷ୍ଟ ରାୟ ଦେଇଥିବା ସତ୍ତ୍ୱେ ତାଙ୍କୁ କିଭଳି ଚାକିରିରୁ ବିଦା କରାଗଲା ସେ ସଂକ୍ରାନ୍ତରେ ବିଭିନ୍ନ ମହଲରୁ ପ୍ରଶ୍ନ ଉଠୁଛି ।
ମାମଲାର ବିବରଣୀରୁ ପ୍ରକାଶ ଯେ ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ତହସିଲର ଡିଗି ଗାଁରେ ରୁହନ୍ତି ଆଶାନନ୍ଦ ଗରଡ଼ । ତାଙ୍କ ପୂର୍ବପୁରୁଷ ଓ ସେ ଡମ୍ବ ସମ୍ପ୍ରଦାୟର ଏବଂ ଏହି ସମ୍ପ୍ରଦାୟ ଅନୁସୂଚିତ ଜାତି ବର୍ଗର ବୋଲି ରାଜସ୍ୱ ବିଭାଗର ରେକର୍ଡ କହୁଛି । ୨୦୦୦ ମସିହାରେ ଆଶାନନ୍ଦ ଫରେଷ୍ଟଗାର୍ଡ ଚାକିରି ପାଇଁ ଏସ୍ସି ପ୍ରାର୍ଥୀଭାବେ ଯୋଗ୍ୟ ବିବେଚିତ ହୋଇଥିଲେ ଏବଂ ତାଲିମ ପରେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା । ବିଦ୍ୟାଳୟରେ ସେ ଏସ୍ସି ଛାତ୍ରଭାବେ ପାଠ ପଢିଥିଲେ । କର୍ମଯୋଗାଣ ସଂସ୍ଥାରେ ବି ତାଙ୍କ ନାମ ଏସ୍ସି ଭାବେ ପଞ୍ଜୀକୃତ ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯିବା ସହିତ ସେ ଜାତିଗତ ପ୍ରମାଣପତ୍ର ଜାଲିଆତି କରିଛନ୍ତି ବୋଲି ଏକ ଫୌଜଦାରୀ ମାମଲା ନବରଙ୍ଗପୁରରେ ରୁଜୁ ହୋଇଥିଲା । ଏହି ଅପରାଧୀକ ମାମଲାରେ ଆଇନ ଅଦାଲତ ତାଙ୍କୁ ଦୋଷମୁକ୍ତ କରିଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ତାଙ୍କୁ ତରବରିଆ ଭାବେ ଚାକିରିରୁ ବିଦା କରିଦେଇଥିଲେ ।
ଏ ସଂକ୍ରାନ୍ତରେ ଆଶାନନ୍ଦ ଗରଡ଼ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ କର୍ତ୍ତୃପକ୍ଷ ବହିଷ୍କାର ଆଦେଶକୁ ବାତିଲ କରିଦେଇ ସମ୍ପୃକ୍ତ କର୍ମଚାରୀ ଅନୁସୂଚିତ ଜାତି ବର୍ଗର କି ନୁହଁନ୍ତି ସେ ସଂକ୍ରାନ୍ତରେ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏ କ୍ଷେତ୍ରରେ ଜାତିଗତ ପ୍ରମାଣପତ୍ର ଦେଇଥିବା ତହସିଲଦାରଙ୍କ ମତାମତ ନେବାକୁ କୁହାଯାଇଥିଲା ଏବଂ ତଦନ୍ତ ଆଧାରରେ ଆଇନ ଅନୁଯାୟୀ ଚୂଡାନ୍ତ ନିଷ୍ପତ୍ତି ନିଆଯିବା ପର୍ଯ୍ୟନ୍ତ ତାଙ୍କୁ ନିଲମ୍ବିତ କରି ରଖିବାକୁ ନିର୍ଦ୍ଦେଶ ଥିଲା ।
ଇତିମଧ୍ୟରେ ଜଙ୍ଗଲ ବିଭାଗ କର୍ତ୍ତୃପକ୍ଷ ଗତ ଫେବୃୟାରୀ ୨୭ ତାରିଖରେ ଏକ ନୋଟିସ ପଠାଇ ପରଦିନ ଅର୍ଥାତ୍ ୨୮ ତାରିଖରେ ନୂଆ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ ଆଶାନନ୍ଦ ମଧ୍ୟ ତଦନ୍ତକାରୀ ଅଧିକାରୀଙ୍କ ଦପ୍ତରକୁ ଯାଇଥିଲେ । ତେବେ ତାଙ୍କର କିମ୍ବା କୌଣସି ସାକ୍ଷୀ ଅଥବା ତହସିଲଦାରଙ୍କ ବୟାନ ରେକର୍ଡ ନକରି କର୍ତ୍ତୃପକ୍ଷ ଗତ ଫେବୃୟାରୀ ୨୮ ତାରିଖରେ ଏକତରଫା ଭାବେ ତାଙ୍କୁ ପୁଣି ଚାକିରିରୁ ବହିଷ୍କାର କରିଛନ୍ତି । ସମ୍ପୃକ୍ତ କର୍ମଚାରୀଙ୍କୁ ତଦନ୍ତ ରିପୋର୍ଟ ଦିଆଯାଇନାହିଁ କିମ୍ବା ତାଙ୍କ ବିରୁଦ୍ଧରେ କାହିଁକି ଓ କି ପ୍ରକାର ଦଣ୍ଡବିଧାନ ହେବ ସେଥିଘେନି ମଧ୍ୟ ନୋଟିସ୍ ଦିଆଯାଇନାହିଁ ।
ଆଶାନନ୍ଦ କହିଛନ୍ତି ଯେ ତାଙ୍କ ପରିବାର ଓ ଗରଡ଼ ସାଙ୍ଗିଆ ଥିବା ଡମ୍ବ ସମ୍ପ୍ରଦାୟର ଅନ୍ୟମାନଙ୍କୁ ତହସିଲଦାର ବାରମ୍ବାର ଅନୁସୂଚିତ ଜାତି ସାର୍ଟିଫିକେଟ ଦେଇଆସୁଛନ୍ତି । ଏହି ସାର୍ଟିଫିକେଟ ଆଧାରରେ ଅନେକଙ୍କ ପାଠପଢା ସହ ଚାକିରି ହୋଇଛି । ତେବେ ସେ ଅନୁସୂଚିତ ଜାତି ବର୍ଗର ହୋଇଥିବାରୁ ଭିନ୍ନ କୌଣସି କାରଣ ପାଇଁ ତାଙ୍କ ପ୍ରତି ଦ୍ୱେଷଭାବ ରଖି ବିନା ବିଚାରରେ ଚାକିରିରୁ ବିଦା କରାଯାଇଛି । ଏ ସଂକ୍ରାନ୍ତରେ କର୍ତ୍ତୃପକ୍ଷ ଆଇନ ଅଦାଲତକୁ ବିଶ୍ୱାସକୁ ନନେବା ଦୁର୍ଭାଗ୍ୟର କଥା । ଚାକିରି ହିଁ ତାଙ୍କ ପରିବାରର ଆୟର ଏକମାତ୍ର ଉତ୍ସ ହୋଇଥିବାବେଳେ ଏବେ ବେଆଇନ ଭାବେ ତାଙ୍କୁ ଚାକିରିରୁ ବିଦା କରିଦିଆଯିବା ପରେ ତାଙ୍କ ପରିବାର ପାଇଁ ଦାନାପାଣି ସମସ୍ୟା ଉପୁଜିଛି । ଏ ପ୍ରସଙ୍ଗରେ ସରକାର ଓ ଆଇନ ଅଦାଲତଠାରୁ ସେ ତ୍ୱରିତ ନ୍ୟାୟ ପାଇବେ ବୋଲି ଆଶା ରଖିଛନ୍ତି । (ତଥ୍ୟ)