Home General ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ

ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ

ଭୁବନେଶ୍ୱର : ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟାର ମୁକାବିଲା ପାଇଁ  ମଇ ମାସ ୧ ତାରିଖରୁ ବିଭାଗ ଓ ଜିଲ୍ଲାମାନଙ୍କରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଚାଲୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଅଛି ।

ଏହି କଣ୍ଟ୍ରୋଲ୍‌ ରୁମ୍‌ ଦାୟିତ୍ୱରେ ଜଣେ ପ୍ରଥମ ଶ୍ରେଣୀ ଅଧିକାରୀ ରହିବେ । ଜୁନ୍‌ ୧୮ ଓ ୧୯ ତାରିଖରେ ପ୍ରତ୍ୟେକ ବର୍ଷ ଭଳି ସମସ୍ତ ଜିଲ୍ଲା ସଦର ମହକୁମା, ବନ୍ୟା/ ବାତ୍ୟା ଆଶ୍ରୟସ୍ଥଳୀ, ବ୍ଲକ ସ୍ତରରେ ମକ୍‍ ଡ୍ରିଲ୍‍ ଅନୁଷ୍ଠିତ ହେବ ।

୩୧୭ଟି ଫାୟାର ଷ୍ଟେସନରେ ଆବଶ୍ୟକୀୟ ସନ୍ଧାନ ଓ ଉଦ୍ଧାର ଉପକରଣ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ତାଲିମପ୍ରାପ୍ତ ଅଧିକାରୀମାନେ ଅବସ୍ଥାନ କରିଛନ୍ତି । ସେମାନେ ବାତ୍ୟା ପୂର୍ବରୁ ସମ୍ବେଦନଶୀଳ ସ୍ଥାନମାନଙ୍କରେ ଆଗୁଆ ନିୟୋଜିତ ହେବେ । ରାଜ୍ୟରେ ୩୪୨ ଆଞ୍ଚଳିକ ଅଗ୍ନିଶମସେବା ବାହିନୀ ଯେକୌଣସି ଆପଦକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ।      

ଏନ୍‌ଡିଆର୍‌ଏଫ୍‌ ତୃତୀୟ ବାଟାଲିୟନରେ ୧୭ଟି ଟିମ୍‌ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ୧୬ଟି ଟିମ ମୁଣ୍ଡଳୀଠାରେ ଏବଂ ଗୋଟିଏ ଟିମ ବାଲେଶ୍ୱର ଠାରେ ଅବସ୍ଥାପିତ ଅଛନ୍ତି । ଏହି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଓସ୍‌ଡ୍‌ମା ଏବଂ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ କରୁଛନ୍ତି । ବାତ୍ୟା ପ୍ରଭାବିତ ଅଞ୍ଚଳରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ନିୟୋଜିତ ପାଇଁ ସେମାନଙ୍କର ବ୍ୟବହୃତ ଗାଡିକୁ ବିଡିଓ ଓ ତହସିଲଦାରମାନେ ଆବଶ୍ୟକୀୟ ତେଲ ଦେବାପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯିବ ।

୮୭୯ଟି ବହୁମୁଖୀ ବାତ୍ୟା / ବନ୍ୟା ଆଶ୍ରୟସ୍ଥଳୀ ସମ୍ଭାବ୍ୟ ବାତ୍ୟା ପୂର୍ବରୁ ସ୍ଥାନାନ୍ତରିତ ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ବ୍ୟବହାର କରାଯାଉଅଛି । ଏହି ଆଶ୍ରୟସ୍ଥଳୀଗୁଡିକରେ ଥିବା ବିଭିନ୍ନ ଆପଦକାଳୀନ ଉପକରଣ ଓ ଯନ୍ତ୍ରପାତି ଏବଂ ଲାଇଟ୍‌ ଓ ଜେନେରେଟରଗୁଡିକୁ ଯାଞ୍ଚ କରିବା ପାଇଁ ଓସ୍‌ଡମାକୁ ନିର୍ଦ୍ଦେଶ ଦିଆଯାଇଅଛି । ଆଶ୍ରୟସ୍ଥଳୀମାନଙ୍କରେ ଥିବା ଟାୱାର ଲାଇଟ୍‌ର କାର୍ଯ୍ୟକ୍ଷମ ଉପରେ ଯାଞ୍ଚ କରି ସଚଳ ଟାୱାର ଲାଇଟ୍‌ଗୁଡିକର ତାଲିକା ପ୍ରସ୍ତୁତ କରିବା ପାଇଁ ଓସ୍‌ଡମାକୁ ନିର୍ଦ୍ଦେଶ ଦିଆଯାଇଅଛି । ସେହିପରି ଆଶ୍ରୟସ୍ଥଳୀମାନଙ୍କରେ ଥିବା ଶକ୍ତିଚାଳିତ କରତ କାର୍ଯ୍ୟକାରିତା ଉପରେ ଯାଞ୍ଚ କରିବା ପାଇଁ ଓସ୍‌ଡମାକୁ ନିର୍ଦ୍ଦେଶ ଦିଆଯାଇଅଛି ।

ଜଳସମ୍ପଦ ବିଭାଗ ଠିକ୍‌ ସମୟରେ ବନ୍ୟାର ପୂର୍ବାନୁମାନ, ବିଭିନ୍ନ ନଦୀ ପ୍ରଣାଳୀର ଜଳସ୍ତର ଏବଂ ଜଳ ପ୍ରବାହ ଏବଂ ଜଳଭଣ୍ଡାରର ସୁପରିଚାଳନାକୁ ନିଶ୍ଚିତ କରିବେ । ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ସ୍ୱଚ୍ଛତା ଏବଂ ପରିମଳ ଉପରେ ଆବଶ୍ୟକୀୟ ପଦେକ୍ଷପ ନେବା ପାଇଁ ଜରୁରୀକାଳୀନ ଯୋଜନା ପ୍ରସ୍ତୁତ କରିବେ ।

ରାଜ୍ୟ ଓ ଜିଲ୍ଲା ସ୍ତରରେ ପର୍ଯ୍ୟାପ୍ତ ପରିମାଣର ବ୍ଲିଚିଂ ପାଉଡର, କ୍ଲୋରିନ୍‌ ଟାବଲେଟ୍‌, ଚୂନ ପାଉଡର ଇତ୍ୟାଦି ମହଜୁଦ୍‌ ରଖିବେ । ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପାଖରେ ୧୦ ଟି ଭ୍ରାମ୍ୟମାଣ ଜଳ ବିଶୋଧନାଗାର ମହଜୁଦ୍‌ ଅଛି । ଏହି ପ୍ଲାଣ୍ଟଗୁଡିକୁ ସମ୍ବେଦନଶୀଳ ସ୍ଥାନମାନଙ୍କରେ ଆଗୁଆ ନିୟୋଜିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଅଛି । ପାଣି ଟ୍ୟାଙ୍କର ମାଧ୍ୟମରେ ମଧ୍ୟ ପାନୀୟ ଜଳ ପ୍ରଭାବିତ ଅଞ୍ଚଳକୁ ଯୋଗାଇ ଦିଆଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଅଛି । ବାତ୍ୟା ପରବର୍ତ୍ତୀ ସମୟରେ କ୍ଷତିଗ୍ରସ୍ତ ହୋଇଥିବା ଜଳଯୋଗାଣ ପ୍ରକଳ୍ପକୁ ତୁରନ୍ତ ପୁନରୁଦ୍ଧାର କରି କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଅଛି ।

ଏହି ଅବସରରେ ଉପସ୍ଥିତ ରହି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍‌ କମିଶନର ଶ୍ରୀ ସତ୍ୟବ୍ରତ ସାହୁ କହିଲେ ଯେ ଗ୍ରାମ୍ୟ ଉନ୍ନୟନ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସେମାନଙ୍କର ବିପର୍ଯ୍ୟୟ ପରିଚାଳନା ଯୋଜନାକୁ ନିଶ୍ଚିତ କରିବେ । ଏହି ବିଭାଗମାନେ ବାତ୍ୟା ପୂର୍ବରୁ ଆବଶ୍ୟକୀୟ ମାନବସମ୍ବଳ, ଯନ୍ତ୍ରପାତି ଆଗୁଆ ନିୟୋଜିତ କରିବା ପାଇଁ ବ୍ୟବସ୍ଥା କରିବେ । ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳରେ ବାତ୍ୟା ପରବର୍ତ୍ତୀ ସମୟରେ ଖୁବ୍‌ କମ୍‌ ସମୟ ମଧ୍ୟରେ ରିଲିଫ୍‌ ଲାଇନ କ୍ଲିୟରାନ୍ସ ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା / କ୍ଷତିଗ୍ରସ୍ତ ରାସ୍ତାର ତୁରନ୍ତ ପୁନରୁଦ୍ଧାର ପାଇଁ ବ୍ୟବସ୍ଥା କରିବେ । ଏତଦ୍‌ବ୍ୟତୀତ ଏହି ବିଭାଗମାନେ ଜରୁରୀକାଳୀନ ଯନ୍ତ୍ରପାତିର ତାଲିକା ଆଗୁଆ ପ୍ରସ୍ତୁତ କରି ଜିଲ୍ଲା ମୁଖ୍ୟାଳୟରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଅଛି ।

୨୦୨୩ ବର୍ଷ ପାଇଁ ଏହି ବିଭାଗ ଆପଦକାଳୀନ ଫସଲ ଯୋଜନା ପ୍ରସ୍ତୁତ କରିବା ପାଇଁ ପଦକ୍ଷେପ ନେବେ । ବିଭିନ୍ନ ବିଭାଗମାନେ ସେମାନଙ୍କର ନୋଡାଲ ଅଫିସରମାନଙ୍କର ମୋବାଇଲ୍‌ ନମ୍ବର, ହ୍ୱାଟ୍ସଆପ୍‌ ନମ୍ବର ଓ ଟେଲିଫୋନ୍‌ ନମ୍ବର ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟଳୟକୁ ଏପ୍ରିଲ୍‌ ମାସ ୩୦ ତାରିଖ ସୁଦ୍ଧା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଅଛି ।

ଏହି ଅବସରରେ ଅତିରିକ୍ତ ରିଲିଫ୍‌ କମିଶନର ଡ. ଜ୍ଞାନ ଦାସ କହିଲେ ଯେ ପାରାଦ୍ୱୀପ ଏବଂ ଗୋପାଳପୁରରେ ଡୋପଲର ରାଡାର କାର୍ଯ୍ୟ କରୁଛି ଯାହା ସାଇକ୍ଲୋନନ୍‌ ଟ୍ରାକିଂ ଏବଂ ପାଣିପାଗ ପୂର୍ବାନୁମାନ କରିବାରେ ସାହାଯ୍ୟ କରିବ । ଏହି ରାଡାରଗୁଡିକ ଟର୍ନାଡୋ / ବଜ୍ରପାତ / କୁଆପଥର ପୂର୍ବାନୁମାନ କରିବାରେ ମଧ୍ୟ ସାହାଯ୍ୟ କରେ ।

ବାତ୍ୟା ପରିସ୍ଥିତିରେ ଟେଲିକମ୍‌ ସିଷ୍ଟମକୁ କାର୍ଯ୍ୟକ୍ଷମ ରଖିବା ପାଇଁ ବିଏସ୍‌ଏନ୍‌ଏଲ୍‌ ଏବଂ ଟେଲିକମ୍‌ ସେବା ପ୍ରଦାନକାରୀଙ୍କ ଦ୍ୱାରା ଆପଦକାଳୀନ ବ୍ୟବସ୍ଥା କରାଯାଇଛି । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସମ୍ବେଦନଶୀଳ ସ୍ଥାନମାନଙ୍କରେ ଆଗୁଆ ମୋବାଇଲ୍‌ ଟାୱାରଗୁଡିକୁ ନିୟୋଜିତ କରିବା ପାଇଁ ଯୋଜନା କରାଯାଇଅଛି । ସମ୍ଭାବ୍ୟ ବାତ୍ୟାପ୍ରବଣ ଅଞ୍ଚଳର ସମସ୍ତ ସେଲ ଫୋନ୍‌ ଗ୍ରାହକଙ୍କୁ ଭଏସ୍‌ ମେସେଜ୍‌ ସହିତ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ସାଇକ୍ଲୋନ୍‌ ଚେତାବନୀ ଏବଂ ଆଇଏମ୍‌ଡର ଆଲର୍ଟ ମେସେଜ୍‌ ପଠାଇବାକୁ ବିଏସ୍‌ଏନ୍‌ଏଲ୍‌କୁ ନିର୍ଦ୍ଦେଶ ଦିଆଯାଇଛି ।

ବାତ୍ୟା ସୂଚନା / ପାଣିପାଗ ପୂର୍ବାନୁମାନ ଏବଂ ଆନୁସଙ୍ଗିକ ସ୍ୱତନ୍ତ୍ର ବୁଲେଟିନ୍‌ ଅଲ ଇଣ୍ଡିଆ ରେଡିଓ, ଏଫଏମ ଚ୍ୟାନେଲ, ଦୂରଦର୍ଶନ, ସମସ୍ତ ଟିଭି ଚ୍ୟାନେଲ ଏବଂ ଲୋକାଲ କେବୁଲ ଚ୍ୟାନେଲ ଦ୍ୱାରା ପ୍ରସାରିତ କରିବା ପାଇଁ ଭାରତୀୟ ପାଣିପାଗ ବିଭାଗ ପଦକ୍ଷେପ ନେଇଛନ୍ତି ।