Home Infrastructure ପିଏମଜିଏସ୍‍ୱାଇରେ ୧୫ହଜାର ଜନପଦ

ପିଏମଜିଏସ୍‍ୱାଇରେ ୧୫ହଜାର ଜନପଦ

ଭୁବନେଶ୍ୱର : ରାଜ୍ୟର ୧୫ହଜାରରୁ ଅଧିକ ଜନପଦକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା (ପିଏମ୍‍ଜିଏସ୍‍ୱାଇ) ପହଞ୍ଚିଥିବାବେଳେ ଆଉ ୨୩ ଜନପଦକୁ ଏହି ଯୋଜନାରେ ସଂଯୋଗ କରାଯିବ । ସମଗ୍ର ଦେଶରେ ଦେଢ ଲକ୍ଷରୁ ଅଧିକ ଜନପଦକୁ ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନାରେ ସଂଯୋଗ କରାଯାଇ ପାରିଛି ।

ବିଭିନ୍ନ ଜନପଦକୁ ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନାର ପ୍ରଥମ ପର୍ଯ୍ୟାୟ ପହଞ୍ଚିଥିବା ନେଇ ସୂଚନା ମିଳିଥିରୁ ସେଥିରୁ ଜଣାଯାଇଛି ଯେ ସମଗ୍ର ଦେଶରେ ମୋଟ୍‍ ୧,୫୬,୪୨୧ ଜନପଦକୁ ଏହି ସଡକ ଯୋଜନାରେ ସଂଯୋଗ ହୋଇଥିବାବଳେ ଆହୁରି ୮୬୧ ଟି ଜନପଦରେ ଏହା ପହଞ୍ଚିବାକୁ ଅଛି । ସେହିଭଳି ଓଡିଶାରେ ୧୫,୩୦୪ ଜନପଦରେ ଏହା ପହଞ୍ଚିଥିବାବେଳେ ୨୩ଟିରେ ଏହା ପହଞ୍ଚିବା ଅପେକ୍ଷାରେ ରହିଛି ।

ତେବେ ଆମର ପଡୋଶୀ ଆନ୍ଧ୍ରପ୍ରଦେଶର ୧୨୨୨ଟି ଜନପଦରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ପହଞ୍ଚି ପାରିଥିବାବେଳେ ଛତିଶଗଡରେ ୯୫୮୭, ଝାଡଖଣ୍ଡରେ ୯୫୪୧ ଓ ପଶ୍ଚିମବଙ୍ଗରେ ଏହା ୧୩,୧୧୦ ରହିଛି । ସବୁଠାରୁ ଅଧିକ ବିହାରର ୨୯, ୭୮୫ ଜନପଦରେ ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନା ପହଞ୍ଚିଛି ।

ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନା ରେ ସଂଯୋଗ କରାଯାଉଥିବା ଜନପଦଗୁଡିକ ମଧ୍ୟରେ ୨୦୦୧ ଜନଗଣନା ଅନୁଯାୟୀ ୨୫୦ ଏବଂ ୫୦୦ ରୁ ଅଧିକ ଜନସଂଖ୍ୟା ଥିବା ପଡାଗୁଡିକୁ ଚଳିତ ବର୍ଷ ମାର୍ଚ୍ଚ ୩୦ତାରିଖ ସୁଦ୍ଧା ସାରିବାର ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା ।

ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଗାଁ ଗହଳରେ ଯାତାୟତକୁ ସୁଗମ କରିଥିବାବେଳେ ଏହି ଯୋଜନାରେ ନିର୍ମାଣଧନ ସଡକଗୁଡିକ ମଧ୍ୟ ଉଚ୍ଚମାନର ରହୁଛି । କାରଣ ଏଥିପାଇଁ ଏ କ୍ଲାସ ଠିକାଦାରଙ୍କୁ ଚୟନ କରାଯାଉଥିବାବେଳେ ସଡକ ନିର୍ମାଣ ହେବାର ପାଞ୍ଚ ବର୍ଷ ପର୍ଯ୍ୟନ୍ତ ତାହାର ମରାମତି ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ଠିକାଦାର ଉପରେ ରହୁଛି । ଫଳରେ ସଡକ ନିର୍ମାଣର ମାନ ଭଲ ରହୁଥିବା ବିଶେଷଜ୍ଞମାନେ ମତ ଦେଉଛନ୍ତି ।

ତେବେ ଓଡିଶା ଭଳି ଆଦିବାସୀ ଅଧ୍ୟୁଷିତ ଓ ପାହାଡ ପର୍ବତ ଘେରା ରାଜ୍ୟରେ ସମସ୍ତ ଜନପଦକୁ ଏହି କେନ୍ଦ୍ରୀୟ ସଡକ ଯୋଜନାରେ ଯୋଡିବା ସେତେଟା ସହଜ ହେଉନାହିଁ । ଗୋଟିଏ ପଟେ ଦୁର୍ଗମ ଅଞ୍ଚଳ ଥିବାବେଳେ ଅନ୍ୟ ପଟେ ଜଙ୍ଗଲ ଜମି ଅଧିଗ୍ରହଣ ଏଥିରେ ବାଧକ ସାଜୁଛି । ତଥାପି ଅନ୍ୟ ପଡୋଶୀ ରାଜ୍ୟ ତୁଳନାରେ ଓଡିଶାର ଅଧିକ ସଂଖ୍ୟକ ଜନପଦକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ସାମିଲ କରାଯାଇ ପାରିଛି । (ତଥ୍ୟ)