Home News in Odia କ୍ରୀଡା ବିଶ୍ୱବିଦ୍ୟାଳୟ ପ୍ରସ୍ତାବ ନାହିଁ

କ୍ରୀଡା ବିଶ୍ୱବିଦ୍ୟାଳୟ ପ୍ରସ୍ତାବ ନାହିଁ

ଭୁବନେଶ୍ୱର : ଓଡିଶାରେ କ୍ରୀଡା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ କେନ୍ଦ୍ର ସରକାରଙ୍କ ନିକଟରେ କୌଣସି ପ୍ରସ୍ତାବ ନାହିଁ । କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଏହା ସ୍ପଷ୍ଟ କରିଦେଇଛନ୍ତି ।

ନିକଟରେ ସମାପ୍ତ ହୋଇଥିବା ବଜେଟ୍‍ ଅଧିବେଶନ କାଳରେ ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଠାକୁର ଏହି ସୂଚନା ପ୍ରଦାନ କରିଛନ୍ତି । ବିଜେଡି ସାଂସଦ ମମତା ମୋହାନ୍ତ ଓଡିଶାରେ କ୍ରୀଡା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ଯେଉଁ ପ୍ରଶ୍ନ ପଚାରିଥିଲେ ତାହାର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୧୮ମସିହାରେ ମଣିପୁରର ଇମ୍ଫାଲ ଠାରେ ଜାତୀୟ କ୍ରୀଡା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି ।

ଏହି ବିଶ୍ୱବିଦ୍ୟାଳୟରେ ଓଡିଶା ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଛାତ୍ରଛାତ୍ରୀ ଓ ଆଥଲେଟ୍‍ମାନେ ଶିକ୍ଷାଗ୍ରହଣ କରୁଛନ୍ତି । ଏହି ବିଶ୍ୱବିଦ୍ୟାଳୟଟି ଜାତୀୟ କ୍ରୀଡା ବିଶ୍ୱବିଦ୍ୟାଳୟ ଅଧିନିୟମ ୨୦୧୮ ଅନୁଯାୟୀ ପ୍ରତିଷ୍ଠା କରାଯାଇଛି । ତେବେ ଓଡିଶାରେ ଅନୁରୂପ କ୍ରୀଡା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ କୌଣସି ପ୍ରସ୍ତାବ ପଡି ରହିନାହିଁ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ କ୍ରୀଡା ହେଉଛି ରାଜ୍ୟ ପ୍ରସଙ୍ଗ । ନିଜ ନିଜ ରାଜ୍ୟରେ କ୍ରୀଡାର ବିକାଶ ଏବଂ ପ୍ରୋତ୍ସାହନ ସହିତ କ୍ରୀଡା ପାଠ୍ୟକ୍ରମ ଆଦିକୁ ଆଗକୁ ନେବା ହେଉଛି ସମ୍ପୃକ୍ତି ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳର । ତେବେ ଏଥିପାଇଁ କୌଣସି ବିଶେଷ ଆବଶ୍ୟକତା ଦେଖାଦେଲେ କେନ୍ଦ୍ର ସରକାର ସେ କ୍ଷେତ୍ରରେ ସହାୟତାର ହାତ ବଢାଇଥାନ୍ତି ।

ସେହିଭଳି ସାଂସଦ ଶ୍ରୀମତୀ ମୋହାନ୍ତ ପଚାରିଥିଲେ ଯେ ଓଡିଶାର କ୍ରୀଡାବିତ୍‍ମାନେ ଯେଭଳି ଅଲମ୍ପିକ୍‍ରେ ଅଂଶଗ୍ରହଣ କରି ପଦକ ଜିଣିବେ ସେଥିପାଇଁ ସେମାନଙ୍କୁ ଆର୍ନ୍ତଜାତୀୟ ସ୍ତରର ତାଲିମ ପ୍ରଦାନ ପାଇଁ ଓଡିଶାରେ ଅଲମ୍ପିକ ପାର୍କ ନିର୍ମାଣର କୌଣସି ପ୍ରସ୍ତାବ ଅଛି କି ? ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ କେନ୍ଦ୍ରର ଏଭଳି କୌଣସି ଯୋଜନା ନାହିଁ । ତେବେ ଟାର୍ଗେଟ ଅଲମ୍ପିକ ପୋଡିୟମ ସ୍କିମ୍‍ ଜରିଆରେ ମନ୍ତ୍ରାଳୟର ପକ୍ଷରୁ ଓଡିଶା ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଦକ୍ଷ କ୍ରୀଡାବିତ୍‍ମାନଙ୍କୁ ଅଲମ୍ପିକ୍‍ ଓ ପାରାଅଲମ୍ପିକରେ ଅଂଶଗ୍ରହଣରେ ପ୍ରସ୍ତୁତି ପାଇଁ ସମସ୍ତ ସହାୟତା ପ୍ରଦାନ କରାଯାଇଥାଏ । (ତଥ୍ୟ)