ଭୁବନେଶ୍ୱର : ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟର ୧୧୪ଟି ବ୍ଲକକୁ ଚିହ୍ନଟ କରାଯାଇଥିବାବେଳେ ଏଠାରେ ୧୦୪ଟି ବିଦ୍ୟାଳୟ ପ୍ରତିଷ୍ଠାକୁ ମଞ୍ଜୁରୀ ମିଳିଛି । ଏଥି ମଧ୍ୟରେ କନ୍ଧମାଳ ଜିଲ୍ଲାରେ ୮ଟି ବିଦ୍ୟାଳୟ ରହିଛି ।
ନିକଟରେ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରେଣୁକା ସିଂହ ସରୁତା । କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୧୧ ଜନଗଣନାର ପରିସଂଖ୍ୟାନ ଅନୁଯାୟୀ କୌଣସି ବ୍ଲକରେ ଅତି କମ୍ରେ ୫୦ ପ୍ରତିଶତ ଆଦିବାସୀ କିମ୍ବା ଅତି କମ୍ରେ ୨୦ହଜାର ଆଦିବାସୀ ଲୋକେ ବସବାସ କରୁଥିଲେ ସେଠାରେ କେନ୍ଦ୍ର ସରକାର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠାକୁ ମଞ୍ଜୁରୀ ପ୍ରଦାନ କରୁଛନ୍ତି ।
ସେହି ଆଧାରରେ ଓଡିଶାର ୧୧୪ଟି ବ୍ଲକକୁ ଏଥିପାଇଁ ଚିହ୍ନଟ କରାଯାଇଥିବାବେଳେ ୧୦୪ଟିକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଏଥିରୁ ମାତ୍ର ୩୨ଟି ବିଦ୍ୟାଳୟରେ ପାଠପଢା ଚାଲିଛି ।
ସମଗ୍ର ଦେଶରେ ୨୦୨୫-୨୬ ସୁଦ୍ଧା ୭୪୦ଟି ବ୍ଲକକୁ ଏଥିପାଇଁ ଚିହ୍ନଟ କରାଯାଇଛି । ପ୍ରତ୍ୟେକ ବିଦ୍ୟାଳୟ ପାଇଁ ବ୍ଲକକୁ ୟୁନିଟ୍ ଭାବେ ଚିହ୍ନଟ କରାଯାଉଥିବାବେଳେ ଯଦି କୌଣସି କୌଣସି ଜିଲ୍ଲାରେ ଏକରୁ ଅଧିକ ବ୍ଲକ ଏହି ମାନଦଣ୍ଡ ମଧ୍ୟରେ ଆସୁଥିବ ତେବେ ସେଠାରେ ଏକଲବ୍ୟ ଆବସିକ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଉପଯୁକ୍ତ ଜମି ଯୋଗାଇଦେବା ଆବଶ୍ୟକ ।
ତେବେ ଓଡିଶାକୁ ମଞ୍ଜୁର ହୋଇଥିବା ୧୦୪ଟି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ୧୭ଟି ଜିଲ୍ଲାପାଇଁ ରହିଛି । ଏଥି ମଧ୍ୟରେ ମୟୁରଭଞ୍ଜ ଜିଲ୍ଲାପାଇଁ ସର୍ବାଧିକ ୨୩ଟି ବିଦ୍ୟାଳୟ ମଞ୍ଜୁର ହୋଇଥିବାବେଳେ ସୁନ୍ଦରଗଡ ପାଇଁ ୧୬ଟି, ରାୟଗଡା ଓ କୋରାପୁଟ ପାଇଁ ୯ଟି କରି, କନ୍ଧମାଳ, କେନ୍ଦୁଝର ଓ ନବରଙ୍ଗପୁର ପାଇଁ ୮ଟି କରି, ମାଲକାନଗିରି ପାଇଁ ୫ଟି, ଗଜପତି ଓ ସମ୍ବଲପୁର ପାଇଁ ୪ଟି କରି, କଳାହାଣ୍ଡି ପାଇଁ ୨ଟି ଏବଂ ନୂଆପଡା, ବଲାଙ୍ଗିର, ବାଲେଶ୍ୱର, ଯାଜପୁର, ଦେବଗଡ ଓ ଢେଙ୍କାନାଳ ପାଇଁ ଗୋଟିଏ କରି ବିଦ୍ୟାଳୟ ମଞ୍ଜୁର ହୋଇଥିବା କେନ୍ଦ୍ର ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।
ତେବେ ମଞ୍ଜୁର ହୋଇଥିବା ବିଦ୍ୟାଳୟ ମଧ୍ୟରୁ ବଲାଙ୍ଗିର, ବାଲେଶ୍ୱର, ଯାଜପୁର, ଦେବଗଡ ଓ ଗଜପତି ପାଇଁ ମଞ୍ଜୁର ସମସ୍ତ ବିଦ୍ୟାଳୟରେ ପାଠପଢା ଚାଲିଛି । ସେହିଭଳି କନ୍ଧମାଳ ପାଇଁ ମଞ୍ଜୁର ୮ଟି ବିଦ୍ୟାଳୟ ମଧ୍ୟରୁ ଦୁଇଟି କାର୍ଯ୍ୟକାରୀ ହୋଇଛି । ସେହିଭଳି କେନ୍ଦୁଝରରେ ଦୁଇଟି ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଥିବାବେଳେ କୋରାପୁଟରେ ୩ଟି ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଥିବା ଜଣାଯାଇଛି । (ତଥ୍ୟ)