Home General ଆନ୍ଦୋଳନ ନେଇ ବିଏମ୍‍ସି ନିରବ

ଆନ୍ଦୋଳନ ନେଇ ବିଏମ୍‍ସି ନିରବ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ଇଲାକାରେ ଥିବା କର୍ମଚାରୀମାନେ ସେମାନଙ୍କ ଦାବି ନେଇ ବାରମ୍ବାର ଆନ୍ଦୋଳନ କରୁଥିବାବେଳେ ସେମାନଙ୍କୁ ମୁତୟନ କରିଥିବା ଘରୋଇ ସଂସ୍ଥା କିମ୍ବା ବିଏମ୍‍ସି କେହି ଏହାର ସମାଧାନର ବାଟ ବାହାର କରୁନାହାନ୍ତି । ଫଳରେ ଅନେକ ୟୁନିଟ୍‍ରେ ଏବେ ଦିନ ଦିନ ଧରି ଝାଡୁ ମରାହେଉ ନାହିଁ ।

ନିଜର ପାଉଣା ବୃଦ୍ଧି ଲାଗି ସଫେଇ କର୍ମଚାରୀମାନେ ଗତ କିଛିଦିନ ଧରି ଆନ୍ଦୋଳନ ଚଳାଇଛନ୍ତି । ସେମାନଙ୍କ ଆନ୍ଦୋଳନ ସମୟରେ ରାସ୍ତାରେ ଝାଡୁ ପଡୁନାହିଁ । ଖୋଦ ଲୋକସେବାଭବନ ଓ ରାଜଭବନ ନିକଟରେ ଏଭଳି ଅବସ୍ଥା । ୪୬ ନମ୍ବର ୱାର୍ଡ ସମେତ ଅଧିକାଂଶ ୱାର୍ଡ ଯେଉଁଠାରେ କି ସଫେଇ କାର୍ଯ୍ୟ ଠିକାସଂସ୍ଥା ହାତରେ ରହିଛି ସେଠାରେ ଏଭଳି ସ୍ଥିତି । ସ୍ଥିତି ସମ୍ଭାଳିବା ପାଇଁ ଠିକା ସଂସ୍ଥା କିଛି ସଫେଇ କର୍ମଚାରୀଙ୍କୁ ହାତ କରି ଲୁଚା ଛପାରେ ଝାଡୁ ମାରୁଥିବାବେଳେ ଆନ୍ଦୋଳନରତ କର୍ମଚାରୀମାନଙ୍କ ଭୟରେ ସେମାନେ ବି ପୋଷାକ ବଦଳାଇ ଝାଡୁ ମାରୁଛନ୍ତି ।

ତେବେ ମିଳିଥିବା ସୂଚନା ଅନୁଯାୟୀ ସଫେଇ କର୍ମଚାରୀମାନେ ଏବେ ଦିନକୁ ମାତ୍ର ୩୦୦ ଟଙ୍କାର ପାଉଣା ପାଉଥିବାବେଳେ ଠିକାସଂସ୍ଥା ଉପରେ ସେମାନଙ୍କର ୧୫ ଦିନର ବାକିଆ ଗଡୁଛି । ଛୁଟି ନାହିଁ କି ଇଏସ୍‍ଆଇ, ଇପିଏଫ୍‍ ଭଳି ସୁବିଧା ବି ନାହିଁ । ସଫେଇ କର୍ମଚାରୀଙ୍କ କହିବାକଥା ଯେ ରାଜଧାନୀରେ ଏବେ ସର୍ବନିମ୍ନ ମଜୁରୀ ୫୦୦ ଟଙ୍କା ଛୁଇଁଲାଣି । ଦରଦାମ ହୁ ହୁ ହୋଇ ବଢୁଥିବାବେଳେ ସେମାନଙ୍କୁ ଦିନକୁ ମିଳୁଛି ୩୦୦ ଟଙ୍କା ।

କମ୍‍ ପାରିଶ୍ରମିକ ସାଙ୍ଗକୁ ଠିକା ସଂସ୍ଥା ନିଜର ଲାଭ ପାଇଁ ସଫେଇ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରୁଛନ୍ତି । ଫଳରେ ଯେଉଁ ଗଳିରେ ପୂର୍ବରୁ ୨ ରୁ ୩ ଜଣ ଝାଡୁ ମାରୁଥିଲେ ସେଠାରେ ଜଣଙ୍କୁ ମୁତୟନ କରାଯାଉଛି । କାମର ଚାପ ବଢୁଥିବାବେଳେ ପାରିଶ୍ରମିକ କିନ୍ତୁ ବଢୁନାହିଁ । ସେହିଭଳି ସଫେଇ କର୍ମଚାରୀଙ୍କୁ କେବଳ କମ୍ପାନୀର ଗୋଟିଏ ଜ୍ୟାକେଟ ବ୍ୟତିତ ଅନ୍ୟାନ୍ୟ ସୁରକ୍ଷା ଉପରକଣ କିଛି ନାହିଁ । ଅସ୍ୱାସ୍ଥ୍ୟକର ପରିବେଶରେ ସେମାନେ ପ୍ରତିଦିନ ଝାଡୁ ମାରୁଥିଲେ ମଧ୍ୟ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷାର କୌଣସି ବ୍ୟବସ୍ଥା ନାହିଁ ।

ନାମ ଗୋପନ ସର୍ତ୍ତରେ କିଛି ସଫେଇ କର୍ମଚାରୀ କହିଛନ୍ତି ଯେ ବର୍ତ୍ତମାନ ଠିକା ସଂସ୍ଥାର ସୁପରଭାଇଜରଙ୍କ ବ୍ୟବହାର ଅତ୍ୟନ୍ତ କଦର୍ଯ୍ୟ । ସାମନ୍ୟ ତ୍ରୁଟି ଦେଖିଲେ କାମରୁ ବିଦା କରିଦେବାର ଧମକ ଦେଉଛନ୍ତି । ଯେହେତୁ ସଫେଇ କର୍ମଚାରୀଙ୍କର କିଛି ଖାତା ଖତିଆନା ନାହିଁ ତେଣୁ ବାଧ୍ୟହୋଇ ସବୁକିଛି ମୁଣ୍ଡପାତି ସହି ନେଉଛନ୍ତି ।

ତେବେ ଆଶ୍ଚର୍ଯ୍ୟର କଥା ହେଉଛି ବିଏମ୍‍ସିର ତଳୁ ଉପର ପର୍ଯ୍ୟନ୍ତ ସମସ୍ତେ ଏହା ଜାଣିଥିଲେ ବି ସମାଧାନର ରାସ୍ତା ବାହାର କରୁନାହାନ୍ତି । ୱାର୍ଡ ଅଫିସରଙ୍କ ଠାରୁ ସାନିଟାରୀ ଇନ୍ସପେକ୍ଟରଙ୍କ ପର୍ଯ୍ୟନ୍ତ ସମସ୍ତେ ଏକ ପ୍ରକାର ନାଚାର । ତେଣୁ ଯଦି ବିଏମ୍‍ସି କର୍ତ୍ତୃପକ୍ଷ ଏ ଦିଗରେ ପଦକ୍ଷେପ ଗ୍ରହଣ ନକରନ୍ତି ଆଗାମୀ ଦିନରେ ରାଜଧାନୀର ବହୁ ୱାର୍ଡରେ ପୂତ୍ତିଗନ୍ଧମୟ ଅବସ୍ଥା ସୃଷ୍ଟି ହେବ ବୋଲି ମତପ୍ରକାଶ ପାଉଛି । (ତଥ୍ୟ)