Home News in Odia ବରଗଡ ଲୋକସଭା କ୍ଷେତ୍ରରେ ବିରଳ ରେକର୍ଡ

ବରଗଡ ଲୋକସଭା କ୍ଷେତ୍ରରେ ବିରଳ ରେକର୍ଡ

ଭୁବନେଶ୍ୱର : ବରଗଡ ଲୋକସଭା ନିର୍ବାଚନମଣ୍ଡଳୀ ଏକ ବିରଳ ରେକର୍ଡ ସୃଷ୍ଟି କରିବାକୁ ଯାଉଛି । ଏହି ନିର୍ବାଚନ ମଣ୍ଡଳୀରେ ଥିବା ୭ଟି ବିଧାନସଭା କ୍ଷେତ୍ରରୁ ୪ଟିରେ ମହିଳାଙ୍କ ପ୍ରତିନିଧିତ୍ୱ ଥିବାବେଳେ ଏବେ ଆଉ ଗୋଟିଏ ଆସନରେ ବି ବିଧାୟିକା ଭାବେ ଅନ୍ୟଜଣେ ମହିଳା ନିର୍ବାଚିତ ହେବାର ସମ୍ଭାବନା ରହିଛି ।

ବରଗଡ ଲୋକସଭା କ୍ଷେତ୍ର ପରିସୀମା ମଧ୍ୟରେ ରହିଛି ବିଜେପୁର, ବ୍ରଜରାଜନଗର, ପଦ୍ମପୁର, ଝାରସୁଗୁଡା, ଅତାବିରା, ବରଗଡ ଓ ଭଟଲି ବିଧାନସଭା କ୍ଷେତ୍ର । ଏହି ୭ଟି ଯାକ ଆସନରୁ ୨୦୧୯ର ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀମାନେ ଜୟଯୁକ୍ତ ହୋଇଥିବାବେଳେ ବିଜେପି କିନ୍ତୁ ଆକସ୍ମିକ ଭାବେ ଲୋକସଭା ଆସନଟି ଦଖଲ କରିଥିଲା । ବରଗଡ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ସୁରେଶ ପୂଜାରୀ ଜିଣିଥିବାବେଳେ ବିଜେପୁରରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଦ୍ମପୁରରେ ବିଜୟ ରଞ୍ଜନ ସିଂ ବରିହା, ଅତାବିରାରୁ ସ୍ନେହାଙ୍ଗିନୀ ଛୁରିଆ, ଭଟଲିରୁ ସୁଶାନ୍ତ ସିଂ, ବରଗଡରୁ ଦେବେଶ ଆଚାର୍ଯ୍ୟ, ବ୍ରଜରାଜନଗରରୁ କିଶୋର କୁମାର ମହାନ୍ତି ଓ ଝାରସୁଗୁଡାରୁ ନବକିଶୋର ଦାସ ବିଜେଡି ପ୍ରାର୍ଥୀଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

ଏହି ୭ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ଇତିମଧ୍ୟରେ ୩ଟିରେ ଉପନିର୍ବାଚନ ହୋଇଥିବାବେଳେ ପୁଣି ଆଉ ଗୋଟିଏ ଆସନ ପାଇଁ ମଇ ମାସରେ ଉପନିର୍ବାଚନ ହେବାକୁ ଯାଉଛି । ଗୋଟିଏ ଅଞ୍ଚଳରେ ୭ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ୪ଟିରେ ଉପନିର୍ବାଚନ ହେବା ଏକ ବିରଳ ଘଟଣା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ଓ ବିଜେପୁରରୁ ବିଧାନସଭାକୁ ୨୦୧୯ରେ ନିର୍ବାଚିତ ହୋଇଥିବାବେଳେ ପରେ ହିଞ୍ଜିଳି ଆସନଟିକୁ ରଖି ବିଜେପୁରରୁ ଇସ୍ତଫା ଦେଇଥିଲେ । ଏହି କାରଣରୁ ବିଜେପୁର ବିଧାନସଭା କ୍ଷେତ୍ର ପାଇଁ ହୋଇଥିବା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜୟୀ ହୋଇଥିଲେ । ରୀତା ସାହୁ ଏବେ ମନ୍ତ୍ରୀ ଅଛନ୍ତି ।
ପରେ ପରେ ବ୍ରଜରାଜନଗରର ବିଜେଡି ବିଧାୟକ କିଶୋର ମହାନ୍ତିଙ୍କର ଦେହାନ୍ତ ହେବାରୁ ସେଠାରେ ହୋଇଥିବା ଉପନିର୍ବାଚନରେ ତାଙ୍କ ପତ୍ନୀ ଅଳକା ମହାନ୍ତି ବିଜେଡି ଟିକେଟରେ ଜିଣିଥିଲେ । ପଦ୍ମପୁରର ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂବରିହାଙ୍କ ମୃତ୍ୟୁ ଘଟିବାରୁ ସେଠାରେ ବି ଉପନିର୍ବାଚନ ହୋଇଥିଲା । ଏହି ଉପନିର୍ବାଚନରେ ସ୍ୱର୍ଗତ ବରିହାଙ୍କ ଝିଅ ବର୍ଷାରାଣୀ ସିଂବରିହାଙ୍କୁ ବିଜେଡି ପ୍ରାର୍ଥୀ କରି ରେକର୍ଡ ବ୍ୟବଧାନ ଭୋଟରେ ଜିଣାଇଥିଲା ।

୨ମାସ ତଳେ ଝାରସୁଗୁଡାର ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ବ୍ରଜରାଜନଗରର ଗାନ୍ଧୀଛକଠାରେ ହତ୍ୟା କରାଯାଇଥିଲା । ଖାଲି ପଡିଥିବା ଝାରସୁଗୁଡା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା ହେବା ପରେ ପରେ ବିଜେଡି ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଛି । ଦୀପାଳିଙ୍କ ବିପକ୍ଷରେ ବିଜେପି, କଂଗ୍ରେସ ଓ ଅନ୍ୟ ଦଳମାନେ କାହାକୁ ପ୍ରାର୍ଥୀ କରିବେ ସେ ସଂକ୍ରାନ୍ତରେ ଘୋଷଣା ହୋଇନଥିଲେ ମଧ୍ୟ ଦୀପାଳିଙ୍କୁ ମୁକାବିଲା କରିବା ପାଇଁ ବିଭିନ୍ନ ଦଳ ଟାଣୁଆ ମହିଳା ପ୍ରାର୍ଥୀ ସନ୍ଧାନରେ ଥିବା ଘେନି ଆଲୋଚନା ହେଉଛି ।

ଯଦି ଝାରସୁଗୁଡା ବିଧାନସଭା ଉପନିର୍ବାଚନରେ ମହିଳା ପ୍ରାର୍ଥୀଙ୍କ ବିଜୟ ହୁଏ ତେବେ ବରଗଡ ଲୋକସଭା କ୍ଷେତ୍ର ପରିସୀମା ମଧ୍ୟରେ ଥିବା ୭ଟି ବିଧାନସଭା ଆସନରୁ ମହିଳାଙ୍କ ପ୍ରତିନିଧିତ୍ୱ ୫କୁ ବୃଦ୍ଧି ପାଇବ । ଦେଶରେ ମହିଳାଙ୍କ ପାଇଁ ବିଧାନସଭା ଓ ଲୋକସଭାରେ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ଲାଗି ସରକାରୀ ବିଲ୍‍ ୨୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଝୁଲି ରହିଥିବାବେଳେ ଓଡ଼ିଶାର ଗୋଟିଏ ଲୋକସଭା କ୍ଷେତ୍ରରେ ୭୧ପ୍ରତିଶତ ବିଧାନସଭା ଆସନ ମହିଳାଙ୍କ ହାତକୁ ଯିବା ଦେଶରେ ଏକ ବିରଳ ରେକର୍ଡ ହେବ ବୋଲି କୁହାଯାଉଛି ।

୨୦୨୪ରେ ଲୋକସଭା ସହ ଓଡ଼ିଶା ବିଧାନସଭା ପାଇଁ ନିର୍ବାଚନ ହେବାକୁ ଥିବାବେଳେ ବରଗଡ ସଂସଦୀୟ କ୍ଷେତ୍ର ସମେତ ଏଠାକାର ୭ଟି ଯାକ ଆସନରେ ବିଭିନ୍ନ ଦଳ କେବଳ ମହିଳା ପ୍ରାର୍ଥୀ ଛିଡା କରାଇ ଦେଶକୁ ଏକ ନୂଆ ସନ୍ଦେଶ ଦିଅନ୍ତୁ ବୋଲି ମହିଳା ସଂରକ୍ଷଣ ସପକ୍ଷବାଦୀମାନେ ମତବ୍ୟକ୍ତ କରୁଛନ୍ତି । (ତଥ୍ୟ)