ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଏକାଧିକ ଅବସରପ୍ରାପ୍ତ ଅଧିକାରୀଙ୍କ ନିଯୁକ୍ତି ପ୍ରସଙ୍ଗକୁ ଆଜି ଶୂନ୍ୟକାଳରେ ବିରୋଧିଦଳ ନେତା ଜୟନାରାୟଣ ମିଶ୍ର ଉଠାଇଥିବାବେଳେ ଏହାକୁ ନେଇ ଗୃହରେ ହଟଗୋଳ ହୋଇଥିଲା । ଶ୍ରୀ ମିଶ୍ରଙ୍କ ମନ୍ତବ୍ୟକୁ ବିଜେଡି ସଦସ୍ୟ ଅରୁଣ କୁମାର ସାହୁ ବିରୋଧ କରିବା ସହିତ କେତେକ ମନ୍ତବ୍ୟ ଦେବାରୁ ବିଜେପି ସଦସ୍ୟମାନେ ଗୃହ ମଧ୍ୟରେ ଆସି ଏହାର ପ୍ରତିବାଦରେ ହଟଗୋଳ କରିଥିଲେ ।
ଆଜି ଶୂନ୍ୟକାଳରେ ଶ୍ରୀ ମିଶ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଏବେ ଅନେକ ଅବସରପ୍ରାପ୍ତ ଅଧିକାର ନିଯୁକ୍ତି ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଅସିତ ତ୍ରିପାଠୀ, ଆର.ବାଲକ୍ରିଷ୍ଣନ, ଉପେନ୍ଦ୍ର ତ୍ରିପାଠୀ, ପି.କେ.ମହାପାତ୍ର, ଗୋପବନ୍ଧୁ ଦାସଙ୍କ ଭଳି ଏକାଧିକ ଅଫିସର ନିଯୁକ୍ତ ହୋଇଛନ୍ତି । ଚାକିରିରୁ ଇସ୍ତଫା ଦେଇଥିବା ଜଣେ ସାଧାରଣ ଲୋକ ମନୋଜ ମିଶ୍ରଙ୍କୁ ସରକାର ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ।
ଏଭଳି ଅଫିସରଙ୍କ ନିଯୁକ୍ତି ଫଳରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଏବେ ଅବସରପ୍ରାପ୍ତ ଅଧିକାରୀଙ୍କ କ୍ଲବ ପାଲଟିଲାଣି । ଏଇଟା କଣ ମୋ ସରାକର ଓ ୫-ଟି କି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ । ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ବିଭାଗ ଦାୟିତ୍ୱରେ ଥିବା ମନ୍ତ୍ରୀ ଉତ୍ତର ରଖିବାକୁ ଶ୍ରୀ ମିଶ୍ର ଦାବି କରିଥିଲେ ।
ବିଜେଡି ସଦସ୍ୟ ଅରୁଣ କୁମାର ସାହୁ ବିରୋଧିଦଳ ନେତାଙ୍କ ଏଭଳି ବକ୍ତବ୍ୟକୁ ବିରୋଧ କରିବା ସହିତ ପ୍ରଧାନମନ୍ତ୍ରୀଙ୍କ ଦପ୍ତରରେ ମଧ୍ୟ ଅବସରପ୍ରାପ୍ତ ଅଧିକାରୀମାନେ ନିଯୁକ୍ତ ପାଇଥିବା ଦର୍ଶାଇଥିଲେ । କେବଳ ପିଏମ୍ଓ ନୁହେଁ ଗୁଜୁରାଟ, ଉତ୍ତରପ୍ରଦେଶ, ହରିଆନା ଓ କର୍ଣ୍ଣାଟକରେ ମଧ୍ୟ ଅବସରପ୍ରାପ୍ତ ଅଧିକାରୀମାନେ ନିଯୁକ୍ତି ପାଇଛନ୍ତି ।
ଶ୍ରୀ ସାହୁ କହିଥିଲେ ଯେ ବୋଧହୁଏ ମୋର ବନ୍ଧୁ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅକଳରେ ପକାଇବାପାଇଁ ଶ୍ରୀ ମିଶ୍ର ଏଭଳି ମନ୍ତବ୍ୟ ଦେଉଛନ୍ତି । କାରଣ ଶ୍ରୀ ପ୍ରଧାନଙ୍କ ନିକଟରେ ମଧ୍ୟ ଅନେକ ଅବସରପ୍ରାପ୍ତ ଅଧିକାରୀ ରହିଛନ୍ତି ।
ଆରଏସଏସ କର୍ମୀଙ୍କୁ କେନ୍ଦ୍ର ସରକାର ଖୋଲା ବାଜରରୁ ଆଣି ନିଯୁକ୍ତି ଦେଉଥିବା ଶ୍ରୀ ସାହୁ କହିବା ସହିତ ଗୃହରେ ଯେଉଁମାନେ ସଦସ୍ୟ ନାହାନ୍ତି ସେମାନଙ୍କ ନାଁ ନିଆଯିବା ଯଥାର୍ଥ ନୁହେଁ ବୋଲି କହିଥିଲେ । ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦେବା ସମ୍ବିଧାନ ବିରୋଧି ନୁହେଁ ।
ଏହା ସମ୍ବିଧାନ ବିଷୟରେ ଜ୍ଞାନ ରହିତ ବାଚାଳାମି ଏବଂ ମାନସିକ ରୋଗ ବିଶେଷଜ୍ଞଙ୍କୁ ଦେଖାଇବା ଆବଶ୍ୟକ ବୋଲି କହିଥିଲେ । ଶ୍ରୀ ସହୁଙ୍କ ଏଭଳି ମନ୍ତବ୍ୟକୁ ବିଜେପି ସଦସ୍ୟମାନେ ବିରୋଧ କରି ଗୃହ ମଧ୍ୟରେ ଆସି ହଟଗୋଳ କରିଥିଲେ । ବାଚସ୍ପତି ବିକ୍ରମ କେଶରୀ ଆରୁଖ ବିଜେପି ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିବାପାଇଁ ବାରମ୍ବାର କହିଥିଲେ ବି ସେମାନେ ଶୁଣିନଥିଲେ । ଏଥିଯୋଗୁଁ ଗୃହ ବାରମ୍ବାର ମୁଲତବି ହୋଇଥିଲା । ପରେ ଅବଶ୍ୟ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇଥିଲା ।