ଭୁବନେଶ୍ୱର : ଗୋଟିଏ ସ୍ଥାନରେ ଏକାଧିକ ବର୍ଷ ଧରି ଦାୟିତ୍ୱ ତୁଲାଉଥିବା ବାବୁଙ୍କ ଉପରେ ଖପ୍ପା ହୋଇଛନ୍ତି ବିରୋଧିଦଳ ନେତା ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର । ଆଜି ବିଧାନସଭାରେ ଦୁଇ ନେତା ବାବୁମାନେ ଗୋଟିଏ ସ୍ଥାନରେ ଏକାଧିକ ବର୍ଷ ଦରି କାର୍ଯ୍ୟ କରିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।
ଆଜି ଶୂନ୍ୟକାଳରେ ବିରୋଧିଦଳ ନେତା ଜୟ ନାରାୟଣ ମିଶ୍ର ପ୍ରଥମ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଜଣେ ଜଣେ ଅଧିକାରୀ ଦୀର୍ଘଦିନ ଧରି ରହୁଛନ୍ତି । ଏହାଦ୍ୱାରା ସେମାନେ ସମ୍ପର୍କ ସୃଷ୍ଟି କରିବା ସହିତ ବ୍ୟକ୍ତିଗତ ସ୍ୱାର୍ଥ ହାସଲ କରୁଛନ୍ତି ।
ଶ୍ରୀ ମିଶ୍ର କହିଥିଲେ ଯେ କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାପାଳ ଗୋଟିଏ ସ୍ଥାନରେ ୬ବର୍ଷ ଧରି କାର୍ଯ୍ୟ କରୁଛନ୍ତି । କେନ୍ଦୁଝର ଜିଲ୍ଲାପାଳ ପ୍ରଶାସନିକ କାର୍ଯ୍ୟ ଛାଡି ବେପାରରେ ବ୍ୟସ୍ତ ଅଛନ୍ତି ।
ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ସରକାର ଦର୍ଶାଇଛନ୍ତି ଯେ ନଗର ଉନ୍ନୟନ ବିଭାଗ ସଚିବ ୨୦୧୪ରୁ ଗୋଟିଏ ସ୍ଥାନରେ କାର୍ଯ୍ୟ କରୁଛନ୍ତି । ସେହିଭଳି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବ ବୀର ବିକ୍ରମ ଯାଦବ ୨୦୧୭ରୁ ସେହି ପଦବୀରେ କାର୍ଯ୍ୟ କରୁଛନ୍ତି ।
ସେହିଭଳି ଆଉ ଜଣେ ଅଧିକାରୀ ଅରୁଣ ବୋଥ୍ରା କ୍ରାଇମ ବ୍ରାଞ୍ଚ ସହିତ ପରିବହନ ବିଭାଗର କମିଶନର ଦାୟିତ୍ୱ ତୁଲାଉଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀ ଥିବା ଲୋହାନି ମଧ୍ୟ ପଞ୍ଚାୟତିରାଜ ବିଭାଗ ଦାୟିତ୍ୱରେ ଅଛନ୍ତି । ବହୁତ ଲୋକ ଥିବାବେଳେ ଜଣେ ଜଣେ ଅଧିକାରୀଙ୍କୁ ଏକାଧିକ ଦାୟିତ୍ୱ ଦିଆଯାଉଛି । ଖାଦ୍ୟ ଯୋଗାଣ ସଚିବଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ଦିଆଯାଇଛି ।
ଜଣେ ଜଣେ ଅଧିକାରୀ ଗୋଟିଏ ସ୍ଥାନରେ ଏକାଧିକ ବର୍ଷ ଧରି ବ୍ୟକ୍ତିଗତ ସ୍ୱାର୍ଥ ଚରିତାର୍ଥ କରୁଥିବାବଳେ ମନ୍ତ୍ରୀ ଏହା ଉପରେ ବିବୃତ୍ତି ଦେବାପାଇ ଶ୍ରୀ ମିଶ୍ର ଦାବି କରିଥିଲେ ।
ଶୂନ୍ୟକାଳରେ କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର ବିରୋଧିଦଳ ନେତାଙ୍କ ମନ୍ତବ୍ୟ ସହ ସହମତ ବୋଲି କହିବା ସହିତ ନଗର ଉନ୍ନୟନ ବିଭାଗର ସଚିବ ଗୋଟିଏ ସ୍ଥାନରେ କିଭଳି ୯ବର୍ଷ ରହିଛନ୍ତି ବୋଲି ଦର୍ଶାଇଥିଲେ । ଶ୍ରୀ ମିଶ୍ର କହିଥିଲେ ଯେ ଏହି ସଚିବ ବିଧାୟକମାନଙ୍କ ଫୋନ୍ ଧରନ୍ତି ନାହିଁ । ବୁକ୍ ସର୍କୁଲାର ୪୭ ଚୂଲିକୁ ଗଲାଣି । ସିଏ ଜଣେ ଅତ୍ୟନ୍ତ ଅହଙ୍କାରୀ ଅଧିକାରୀ । ଏହା ବହୁତ୍ ଉଦବେଗର କାରଣ ।
ସେହିଭଳି ସୁପ୍ରିମ୍କୋର୍ଟ କହିଛନ୍ତି ଯେ ଯେଉଁ ଅଧିକାରୀ ଶ୍ରୀମନ୍ଦିର ପ୍ରଶାସନ ଦାୟିତ୍ୱରେ ରହିବେ ସିଏ ଅନ୍ୟ ଦାୟିତ୍ୱରେ ରହିବେ ନାହିଁ । ହେଲେ ସେଠାରେ ପୂର୍ତ୍ତ ସଚିବ କିଭଳି ଅଛନ୍ତି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ ।
ଶ୍ରୀ ମିଶ୍ର କହିଥିଲେ ଯେ କେନ୍ଦୁଝର ଜିଲ୍ଲାପାଳଙ୍କ କଥା ନକହିବା ଭଲ । ସେଠାରେ ଖଣି ଅଛି, ମାଲ୍ ଅଛି । ତେଣୁ ତାଙ୍କୁ ସେଠାରୁ ବଦଳି କରାଯାଉନି ।
ସେହିଭଳି କୋଇଡା ବିଡିଓ ଲୋକ ପ୍ରତିନିଧିଙ୍କୁ ର୍ଦୁବ୍ୟବହାର କରିବା ସହିତ ନିଜ ଘରେ ଅଫିସ ଚଳାଉଛନ୍ତି । ଏଭଳି ବିଡିଓଙ୍କୁ କିଏ ସୁରକ୍ଷା ଦେଉଛି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିବା ସହିତ ଓଡିଶାର ସବୁ ବ୍ଲକରେ ୨୦ରୁ ୨୨ ପ୍ରତିଶତ ପିସି କାରବାର ହେଉଥିବା କହିଥିଲେ ।