ଭୁବନେଶ୍ୱର : ଉପକୂଳ ରାଜପଥ ପ୍ରକଳ୍ପ ରାସ୍ତାରେ ଏବେ କାକଟପୁର-ଏରସମା କଣ୍ଟା । ଏହି ଦୁଇ ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ କାର୍ଯ୍ୟ ଆଗେଇ ପାରୁ ନାହିଁ । କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଆଜି ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି ।
ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ଯେ ଏହି ରାଜପଥ ପ୍ରକଳ୍ପ ଦୁଇ ଭାଗରେ ବିଭକ୍ତ । ଗୋଟିଏ ଟାଙ୍ଗି ନିକଟସ୍ଥ ରାମେଶ୍ୱର ଠାରୁ ରତନପୁର ପର୍ଯ୍ୟନ୍ତ ୧୭୬ କିଲୋମିଟର ଦୀର୍ଘ ଥିବାବେଳେ ଦ୍ୱିତୀୟଟି ରତନପୁର ଠାରୁ ଦୀଘା ପର୍ଯ୍ୟନ୍ତ ୧୭୦ କିଲୋମିଟର ବ୍ୟାପି ରହିଛି । ରାମେଶ୍ୱର ଠାରୁ ରତନପୁର ପର୍ଯ୍ୟନ୍ତ କାର୍ଯ୍ୟକୁ ୪ଟି ପ୍ୟାକେଜରେ ବିଭକ୍ତ କରାଯାଇଛି । ସେଗୁଡିକହେଲା ରାମେଶ୍ୱର ଠାରୁ ପୁରୀ ୪୭ କିଲୋମିଟର, ପୁରୀ ଠାରୁ କାକଟପୁର ୪୪ କି.ମି, କାକଟପୁର ଠାରୁ ଏରସମା ୪୩ କି.ମି ଏବଂ ଏରସମା ଠାରୁ ରତନପୁର ୪୩ କି.ମି ।
ଚାରିଟି ପ୍ୟକେଜ ମଧ୍ୟରୁ ତିନିଟି ପ୍ୟାକେଜ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି । ତେବେ ତିନି ନମ୍ବର ପ୍ୟାକେଜ ଯାହାକି କି କାକଟପୁର ଠାରୁ ଏରସମା ପର୍ଯ୍ୟନ୍ତ ରହିଛି ସେଠାରେ ଜମି ଅଧିଗ୍ରହଣରେ ସମସ୍ୟା ଯୋଗୁଁ ଟେଣ୍ଡର ହୋଇପାରି ନଥିବା କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି । ସେ କହିଛନ୍ତି ଯେ ଟେଣ୍ଡର ହୋଇଥିବା ତିନିଟି ପ୍ୟାକେଜର କାର୍ଯ୍ୟ ଆସନ୍ତା ଆର୍ଥିକବର୍ଷ ଅର୍ଥାତ୍ ୨୦୨୩-୨୪ରୁ ଆରମ୍ଭ ହେବ ଏବଂ କାର୍ଯ୍ୟ ଆରମ୍ଭର ୩୦ମାସ ମଧ୍ୟରେ ଏହା ସରିବ । ସ୍ଥାନୀୟ ସମସ୍ୟାର ସମାଧାନ ପରେ ତୃତୀୟ ପ୍ୟାକେଜ ପାଇଁ ଟେଣ୍ଡର ଜାରି ହେବ ।
ରାମେଶ୍ୱର ଠାରୁ ରତନପୁର ପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟର ଡିପିଆର ପ୍ରସ୍ତୁତ ସହିତ ଚଳିତବର୍ଷ ଜାନୁୟାରୀ ୨୩ ତାରିଖରେ ତାହା ଦାଖଲ ହୋଇଥିବା କେନ୍ଦ୍ରମନ୍ତ୍ରୀ କହିବା ସହିତ ଜମି ଅଧିଗ୍ରହଣ ସହ ଏହାର ବ୍ୟୟଭାର ପ୍ରାୟ ୮୦୦୦ କୋଟି ଟଙ୍କା ଥିବା ଉଲ୍ଲେଖ କରିଛନ୍ତି । ଅନୁରୂପ ଭାବେ ରତନପୁର ଠାରୁ ଦୀଘା ପର୍ଯ୍ୟନ୍ତ ଥିବା ଅଞ୍ଚଳ ଚୂଡାନ୍ତ ସହିତ ୨୦୨୩-୨୪ ବର୍ଷରେ ଏହା ଆରମ୍ଭ ପାଇଁ ପ୍ରସ୍ତୁତ ରହିଛି । କାର୍ଯ୍ୟ ଆରମ୍ଭର ୩୦ମାସ ମଧ୍ୟରେ ଏହାକୁ ସାରିବାର ଲକ୍ଷ୍ୟ ରହିଛି । ଏହାର ଡିପିଆର ମିଳିଥିବାବେଳେ ତଦନୁଯାୟୀ ବ୍ୟୟ ଆକଳନ କରାଯାଉଛି ।
ଉଲ୍ଲେଖନୀୟ ଯେ ୨୦୧୫ ମସିହାରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଡକରୀ ନିଜେ ଉପକୂଳ ରାଜପଥ ପ୍ରକଳ୍ପ ସଂକ୍ରାନ୍ତରେ ଘୋଷଣା କରିବା ସହିତ ଏହା ପର୍ଯ୍ୟଟନ ଓ ବନ୍ଦର ଯୋଗାଯୋଗ କ୍ଷେତ୍ରରେ ଓଡିଶାପାଇଁ ବେଶ୍ ଲାଭପ୍ରଦ ହେବ ବୋଲି କହିଥିଲେ । ଏହାପରେ ବିଜେଡି ଓ ବିଜେପି ମଧ୍ୟରେ ଚାଲିଥିବା ରାଜନୀତି ଯୋଗୁଁ ଏହା ବିଳମ୍ବ ହୋଇଥିଲା ।
ପରବର୍ତ୍ତୀ ସମୟରେ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପ୍ରାରମ୍ଭିକ ନକ୍ସାକୁ ପରିବେଶଗତ କାରଣରୁ ଅନୁମୋଦନ ଦେବାକୁ ମନାକରି ଦେଇଥିଲା । ତେବେ ବର୍ତ୍ତମାନ ଜଗତ୍ସିଂହପୁର ଜିଲ୍ଲା ବାଲିକୁଦା ବ୍ଲକର ଲୋକେ ରାଜପଥର ଦିଗକୁ ନେଇ ପ୍ରକଳ୍ପକୁ ବିରୋଧ କରୁଛନ୍ତି । ପୂର୍ବ ନକ୍ସା ଅନୁଯାୟୀ ଏହି ରାଜପଥ ସେମାନଙ୍କ ଅଞ୍ଚଳ ଦେଇ ଯିବାକୁ ଚାହୁଁଛନ୍ତି । (ତଥ୍ୟ)