ଭୁବନେଶ୍ୱର : ରାଜ୍ୟରେ ଯେତିକ ଲୁଣ ଆବଶ୍ୟକ ତାହାର ୨ ପ୍ରତିଶତ ବି ରାଜ୍ୟ ଭିତରେ ଉତ୍ପାଦିତ ହେଉନାହିଁ । ଫଳରେ ରାଜ୍ୟ ବାହାରର ଲୁଣ ଉତ୍ପାଦନକାରୀ ଓ ବ୍ୟବସାୟୀମାନେ ଓଡିଶାରୁ କୋଟି କୋଟି ଟଙ୍କାର ମୁନାଫା ନେଇ ଯାଉଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ଓଡିଶାରେ ବର୍ଷକୁ ୩ଲକ୍ଷ ମେଟ୍ରିକ ଟନ୍ ଲୁଣ ଆବଶ୍ୟକ । ହେଲେ ଏବେ ରାଜ୍ୟ ଭିତରେ ମାତ୍ର ୩୪୦୦ ଟନ୍ରୁ କମ୍ ଲୁଣ ଉତ୍ପାଦନ ହେଉଛି । ଏହି ସ୍ୱଳ୍ପ ପରିମାଣର ଲୁଣ ଗଞ୍ଜାମ ଜିଲ୍ଲାର ହୁମ୍ମା, ସୁମାଣ୍ଡି, ସୁରୁଲା ଓ ବାଲେଶ୍ୱର ଜିଲ୍ଲାରେ ବଳଙ୍ଗ ଅଞ୍ଚଳରେ ଉତ୍ପାଦନ ହେଉଥିବା ଜଣାଯାଇଛି । ତେବେ ଏଠାରେ ଯେଉଁ ଲୁଣ ମିଳୁଛି ତାହା ସମୁଦ୍ରକୁ ଶଙ୍ଖେ ଭଳି ହୋଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଆବଶ୍ୟକତା ବି ପୂରଣ କରିପାରୁ ନାହିଁ ।
ରାଜ୍ୟରେ ୪୮୦ କିଲୋମିଟରର ସୁଦୀର୍ଘ ବେଳାଭୂମି ରହିଥିବାବେଳେ ଏଠାରେ ଲୁଣ ଉତ୍ପାଦନ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି । ହେଲେ ଏହାର ସଦବ୍ୟବହାର କରାଯାଉ ନଥିବାରୁ ବର୍ଷସାରା ଲୁଣ ପାଇଁ ଓଡିଶା ଏବେ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ । ଏପରିକି ବିଦ୍ୟୁତ୍ ଆର୍ଥିଂ କାର୍ଯ୍ୟ ପାଇଁ ଓଡିଶା ଆନ୍ଧ୍ର ଲୁଣ ଉପରେ ନିର୍ଭରଶୀଳ ହୋଇଛି । ଆନ୍ଧ୍ରରୁ ଲୁଣ ନଆସିଲେ ଓଡିଶାରେ ବିଦ୍ୟୁତ୍ କାର୍ଯ୍ୟ ସହିତ ଅନେକ କଳ କାରଖାନା ଚାଲି ପାରୁନାହିଁ ।
ତେବେ ଓଡିଶାରେ ଖାଦ୍ୟ ପାଇଁ ଆବଶ୍ୟକ ସମସ୍ତ ଲୁଣ ରାଜ୍ୟ ବାହାରୁ ଆସୁଛି । ଲୁଣ ପାଇଁ ଓଡିଶା ମୁଖ୍ୟତଃ ଗୁଜୁରାଟ ଓ ତାମିଲନାଡୁ ଉପରେ ନିର୍ଭର କରୁଛି । ଫଳରେ ଓଡିଶା ବଜାରରେ ଏବେ ପ୍ୟାକେଟ ଲୁଣ କିଲୋ ପ୍ରତି ୨୫ ସର୍ବନିମ୍ନ ୨୫ ଟଙ୍କା ଛୁଇଁଲାଣି । ମାଗଣାରେ ଚାଉଳ ପାଉଥିବା ଲୋକେ ଏବେ କିଲୋ ୨୫ ଟଙ୍କା ଦେଇ ବଜାରରୁ ଲୁଣ କିଣିବାକୁ ବାଧ୍ୟ ହେଉଛନ୍ତି ।
ଏକଦା ଓଡିଶା ଉପକୂଳର ଅଧିକାଂଶ ସ୍ଥାନରୁ ଲୁଣ ମରାଯାଉଥିବାବେଳେ ଏବେ ତାହା ପ୍ରାୟତଃ ନାହିଁ । ସମୁଦ୍ରରୁ ମିଳୁଥିବା ମାଟିଆ ଲୁଣ ଆଉ ଗାଁ ଗହଳରେ ଦେଖିବାକୁ ମିଳୁନାହିଁ । ଗୋଟିଏ ପଟେ ଆୟୋଡିନ୍ଯୁକ୍ତ ଲୁଣ ଖାଇବାକୁ ଗୁରୁତ୍ୱ ଓ ଅନ୍ୟ ପଟେ ଧଳା ରଙ୍ଗର ଚକଚକିଆ ଲୁଣର ଚାହିଦା ବୃଦ୍ଧି ଯୋଗୁଁ ରାଜ୍ୟ ବାହାରର ବ୍ୟବସାୟୀମାନେ ଓଡିଶାକୁ ଦୈନିକ ଟ୍ରକ ଟ୍ରକ ଲୁଣ ପଠାଉଛନ୍ତି । ଉଲ୍ଲେଖନୀୟ ଯେ ସମଗ୍ର ଦେଶରେ ଯେତିକି ଲୁଣ ଉତ୍ପାଦନ ହେଉଛି ତାହାର ପ୍ରାୟ ୭୧ ପ୍ରତିଶତ ଗୁଜୁରାଟରୁ ମିଳୁଥିବାବେଳେ ରାଜସ୍ଥାନରୁ ୧୭ ପ୍ରତିଶତ ଓ ତାମିଲନାଡୁରୁ ୧୧ ପ୍ରତିଶତ ଉତ୍ପାଦିତ ହେଉଛି ।
ଲୁଣ ଉତ୍ପାଦନ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ଥିବା ଓଡିଶାରେ ଯଦି ଲୁଣ ମରାଯିବ ତେବେ ଏହା କେବଳ ସ୍ଥାନୀୟ ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇବ ନାହିଁ ରାଜ୍ୟର ଆର୍ଥିକ ସ୍ଥିତିକୁ ମଜବୁତ କରିବା ସହିତ ଶିଳ୍ପକୁ ମଧ୍ୟ ପ୍ରୋତ୍ସାହନ ଦେବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । (ତଥ୍ୟ)