Home Energy ୪୮ଘଣ୍ଟାରେ ଦିଅ ଟ୍ରାନ୍ସଫର୍ମର

୪୮ଘଣ୍ଟାରେ ଦିଅ ଟ୍ରାନ୍ସଫର୍ମର

ଭୁବନେଶ୍ୱର : ଗାଁ ଗହଳରେ ଠିକଣା ସମୟରେ ବିଦ୍ୟୁତ୍‍ ଟ୍ରାନ୍ସଫର୍ମର, ଖୁଣ୍ଟ ଓ ତାର ବଦଳାଯାଉ ନଥିବାରୁ ବିଧାନସଭାର ଶକ୍ତି ବିଭାଗର ଷ୍ଟାଣ୍ଡିଂ କମିଟି ଉଦ୍‍ବେଗ ପ୍ରକାଶ କରିବା ସହିତ ଗ୍ରାମାଞ୍ଚଳରେ ଗୋଦାମ ଖୋଲିବା ଲାଗି ବିଜୁଳି ବଣ୍ଟନକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବିଜେଡି ବିଧାୟକ ସୁବ୍ରତ ତରାଇଙ୍କ ଅଧ୍ୟକ୍ଷତାରେ ଗଠିତ ଶକ୍ତି ବିଭାଗର ଷ୍ଟାଣ୍ଡିଂ କମିଟି ରାଜ୍ୟରେ ବିଦ୍ୟୁତ୍‍ ଯୋଗାଣ ବ୍ୟବସ୍ଥାକୁ ନେଇ ସନ୍ତୋଷ ପ୍ରକଟ କରିଥିବାବେଳେ ଗାଁ ଗହଳରେ ବିଳମ୍ବିତ ପଦକ୍ଷେପ ସେମାନଙ୍କ ନଜରକୁ ଆସିଛି । ଗ୍ରାମାଞ୍ଚଳରେ ୪୫୦ଟି ୩୩ ଓ ୧୧ କେଭି ସବ୍‍ଷ୍ଟେସନ୍‍ ପ୍ରତିଷ୍ଠାକୁ ନେଇ କମିଟି ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏଥିସହିତ ଆଉ ଶହେଟି ୩୩ ଓ ୧୧ କେଭି ଟ୍ରାନ୍ସଫର୍ମର ଆସନ୍ତାବର୍ଷ ମାର୍ଚ୍ଚ ସୁଦ୍ଧା ବସାଇବାକୁ ଓପିଟିସିଏଲ୍‍ର ସିଏମ୍‍ଡି ଓ ବିଦ୍ୟୁତ୍‍ ବଣ୍ଟନକାରୀ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କୁ କହିଛନ୍ତି ।

ତେବେ ଗାଁ ଗହଳରେ ଯେଉଁମାନେ ନୂଆ ବିଦ୍ୟୁତ୍‍ ସଂଯୋଗ ନେଉଛନ୍ତି ସେମାନଙ୍କୁ ଖୁଣ୍ଟ ଓ ଟ୍ରାନ୍ସଫର୍ମର ଆଦି ଯୋଗାଯାଉ ନଥିବାରୁ କମିଟିର ସଦସ୍ୟମାନେ ଉଦ୍‍ବେଗ୍‍ ପ୍ରକାଶ କରିଛନ୍ତି । ବଣ୍ଟନକାରୀ କମ୍ପାନୀମାନେ ଦୂରଦୂରାନ୍ତରେ ସେମାନଙ୍କର ଗୋଦାମ ପ୍ରତିଷ୍ଠା କରିଥିବାରୁ ଖୁଣ୍ଟ ଓ ଟ୍ରାନ୍ସଫର୍ମର ଆଦି ତୁରନ୍ତ ଯୋଗାଇ ପାରୁନାହାଁନ୍ତି । ଏହାକୁ ଦୃଷ୍ଟିରେ ରଖି କେନ୍ଦୁଝର ଓ ରାଉରକେଲାରେ ସ୍ୱତନ୍ତ୍ର ଭାବେ ଗୋଦାମ ଗୃହ ଖୋଲିବାକୁ କୁହାଯାଇଛି । ସେହିଭଳି ଓଡିଶା ବିଦ୍ୟୁତ୍‍ ନିୟାମକ ଆୟୋଗ (ଓଇଆର୍‍ସି)ର କୋଡ୍‍ ଅନୁଯାୟୀ ହିତାଧିକାରୀମାନଙ୍କର ବିଦ୍ୟୁତ୍‍ ଖୁଣ୍ଟ ଓ ଟ୍ରାନ୍ସଫର୍ମରକୁ ୪୮ ଘଣ୍ଟା ମଧ୍ୟରେ ଯେଭଳି ବଦଳାଯାଇପାରିବ ସେ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି ।

ସେହିଭଳି ରାଜ୍ୟର ପ୍ରତ୍ୟେକ ପଡା ଓ ଜନବସତିରେ ଯେଭଳି ଯଥାଶୀଘ୍ର ବିଜୁଳି ସଂଯୋଗ ଯୋଗାଇ ଦିଆଯିବ ସେଥିପାଇଁ ଅଗ୍ରାଧିକାର ଭିତ୍ତିରେ ପଦକ୍ଷେପ ଗ୍ରହଣ କରିବାକୁ କମିଟି ପରାମର୍ଶ ଦେଇଛନ୍ତି । ଗୋଟିଏ ଗ୍ରୀଡ୍‍ ଷ୍ଟେସନ୍‍ ଯେଭଳି ୩୦ରୁ ୪୦ କିଲୋମିଟର ଦୂରତା ମଧ୍ୟରେ ରହିବ ସେଥିପାଇଁ ପଦକ୍ଷେପ ନେବାକୁ କମିଟି ପରାମର୍ଶ ଦେଇଛି ।

ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ କାର୍ଯ୍ୟକ୍ରମ ଓ ମୁଖ୍ୟମନ୍ତ୍ରୀ ସଂରକ୍ଷଣ କାର୍ଯ୍ୟକ୍ରମ ଏବଂ ଏହା ଅଧିନରେ ଚଳାଯାଉଥିବା ବିଭିନ୍ନ ନୂତନ କାର୍ଯ୍ୟକ୍ରମକୁ କମିଟି ପ୍ରଶଂସା କରିବା ସହିତ ଏହାକୁ ତ୍ୱରାନ୍ୱିତ କରିବା ଉପରେ ମତ ଦେଇଛନ୍ତି ।

ବିଧାୟକ ଶ୍ରୀ ତରାଇଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଷ୍ଟାଣ୍ଡିଂ କମିଟିରେ ବିଧାୟକ ସର୍ବଶ୍ରୀ ସୁରେଶ କୁମାର ରାଉତରାୟ, ଚନ୍ଦ୍ରସାରଥୀ ବେହେରା, ରୁଦ୍ର ପ୍ରତାପ ମହାରଥୀ, ରଘୁରାମ ପଡାଲ, ପର୍ଶୁରାମ ଧଡା, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗଣେଶ ରାମ ସିଂ ଖୁଣ୍ଟିଆ, ଜଗନ୍ନାଥ ନାୟକ, ମୌଷଧି ବାଗ୍‍, ସମ୍ବିତ ରାଉତରାୟ ଓ ପ୍ରଭୁ ଜାନି ପ୍ରମୁଖ ସଦସ୍ୟ ରହିଛନ୍ତି । (ତଥ୍ୟ)