Home Education ମହିଳା ବିଶ୍ୱବିଦ୍ୟାଳୟରେ ନାହାନ୍ତି ଅଧା ଶିକ୍ଷକ

ମହିଳା ବିଶ୍ୱବିଦ୍ୟାଳୟରେ ନାହାନ୍ତି ଅଧା ଶିକ୍ଷକ

ଭୁବନେଶ୍ୱର : ରାଜ୍ୟର ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟ ରମାଦେବୀରେ ଅଧାରୁ ଅଧିକ ଶିକ୍ଷକ ପଦବୀ ଖାଲି ପଡିଛି । ଅନେକ ବିଭାଗରେ ପ୍ରଫେସର ନାହାନ୍ତି । ଏ ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟର ଅଧ୍ୟାପନା, ଗବେଷଣା ଓ ପ୍ରଶାସନିକ କାର୍ଯ୍ୟ ଗୁରୁତର ଭାବେ ବ୍ୟାହତ ହେଉଛି ବୋଲି ଅନେକ ଛାତ୍ରୀ ଅଭିଯୋଗ କରୁଛନ୍ତି ।

ରମାଦେବୀ ବିଶ୍ୱବିଦ୍ୟାଳୟ ପାଇଁ ୨୪ଟି ପ୍ରଫେସର ପଦବୀର ଆବଶ୍ୟକ ଥିବାବେଳେ ମାତ୍ର ୧୩ଟି ମଞ୍ଜୁରୀପ୍ରାପ୍ତ ପ୍ରଫେସର ପଦବୀ ରହିଛି । ଏଥିରେ ଏବେ ମାତ୍ର ୫ଜଣ ପ୍ରଫେସର କାର୍ଯ୍ୟରତ ଥିବାବେଳେ ୮ଟି ପଦବୀ ଖାଲି ପଡିଛି । ସେହିଭଳି ଏହି ବିଶ୍ୱବିଦ୍ୟାଳୟ ଲାଗି ୩୮ଟି ସହଯୋଗୀ ପ୍ରଫେସର ପଦବୀ ସୃଷ୍ଟି କରାଯାଇଥିବାବେଳେ ସେଥିରୁ ବି ୨୨ଟି ଖାଲି । ମାତ୍ର ୧୬ଜଣ ସହଯୋଗୀ ପ୍ରଫେସର ରମାଦେବୀରେ ଏବେ କାର୍ଯ୍ୟରତ ଅଛନ୍ତି । ଏହି ମହିଳା ବିଶ୍ୱବିଦ୍ୟାଳୟ ପାଇଁ ୮୭ଟି ସହକାରୀ ପ୍ରଫେସର ପଦବୀ ସରକାର ମଞ୍ଜୁର କରିଥିବାବେଳେ ଏଥିରୁ ୪୭ଟି ଖାଲିପଡିଛି । ମାତ୍ର ୪୦ଜଣ ସହକାରୀ ପ୍ରଫେସର ବିଭିନ୍ନ ବିଷୟରେ ପାଠ ପଢାଇବାକୁ ଅଛନ୍ତି ।

ଏହି ମହିଳା ଶିକ୍ଷାନୁଷ୍ଠାନ ୬୦ବର୍ଷ ପୂର୍ତ୍ତି କରିବାକୁ ଯାଉଛି । ୧୯୬୯ରେ ରାଜଧାନୀର ପ୍ରଥମ ମହିଳା କଲେଜର ନାମ ମା’ ରମାଦେବୀଙ୍କ ନାମରେ ନାମିତ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏଠାରେ ସ୍ନତକୋତ୍ତର ପାଠ୍ୟକ୍ରମ ମଧ୍ୟ ଖୋଲିଥିଲା । ରମାଦେବୀ ମହିଳା ମହାବିଦ୍ୟାଳୟକୁ ସ୍ୱୟଂଶାସିତ ମର୍ଯ୍ୟାଦା ସହିତ ନାକ୍‍ର ଭଲ ଗ୍ରେଡ୍‍ ମଧ୍ୟ ମିଳୁଥିଲା । ୨୦୧୫ ମସିହାରେ ଏହି କଲେଜକୁ ରାଜ୍ୟର ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟର ମାନ୍ୟତା ଦିଆଯାଇ ଏଥି ସହିତ ୪୮ଟି କଲେଜକୁ ଅନୁବନ୍ଧିତ କରି ରଖାଯାଇଛି ।

ଆଠ ବର୍ଷ ଧରି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ପାଇଁ ରାଜଧାନୀ ଓ ତାହାର ଆଖପାଖ ଅଞ୍ଚଳରେ ଜମି ଖୋଜା ଚାଲିଛି । ନୂଆ କ୍ୟାମ୍ପସରେ ଅଧ୍ୟାପକ ଅଧ୍ୟାପିକାଙ୍କ ଠାରୁ ଆରମ୍ଭକରି କୁଳପତି, କୁଳସଚିବ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ପାଇଁ କ୍ୱାଟର୍ସ, ପ୍ରଶାସନିକ ଭବନ, ଶ୍ରେଣୀଗୃହ, ଗବେଷଣାଗାର, ଛାତ୍ରୀନିବାସ ଆଦି ସହିତ ଖେଳପଡିଆ ରହିବ ବୋଲି କୁହାଯାଉଛି । ତେବେ ଏହି ମହିଳା ବିଶ୍ୱବିଦ୍ୟାଳୟ ଲାଗି ୩୦ରୁ ୫୦ଏକର ପର୍ଯ୍ୟନ୍ତ ଜମି ଚୂଡାନ୍ତ ହୋଇପାରୁ ନାହିଁ ।

୧୯୬୯ ମସିହାରେ ରମାଦେବୀ ମହିଳା ମହାବିଦ୍ୟାଳୟ ରୂପାଲି ଛକ ନିକଟବର୍ତ୍ତୀ ପ୍ରାୟ ୨୬ଏକର ପରିମିତ କ୍ୟାମ୍ପସକୁ ଆସିଥିଲା । ପରବର୍ତ୍ତୀ ସମୟରେ ଏଠାରେ ଛାତ୍ରୀନିବାସ ସହିତ ଅନ୍ୟାନ୍ୟ କୋଠାବାଡି ମଧ୍ୟ ନିର୍ମିତ ହେଲା । ବିଶ୍ୱବିଦ୍ୟାଳୟ ପାଇଁ ସୌଧ ନିର୍ମାଣ ଓ ନୂଆ ଅଡିଟୋରିୟମ ଆଦି ନିର୍ମାଣ କରାଯିବାପରେ ଏବେ ଏଠାରେ ପିଲାମାନଙ୍କ ଖେଳକୁଦ ଲାଗି ଜାଗା ନିଅଣ୍ଟ ପଡୁଛି । ଏହି ପରିସର ମଧ୍ୟରେ ଯୁକ୍ତ ଦୁଇ, ଯୁକ୍ତ ତିନି, ସ୍ନାତକୋତ୍ତର ଓ ପିଏଚ୍‍ଡି ଆଦି ବିଭିନ୍ନ ପାଠ୍ୟକ୍ରମ ଚାଲୁଛି ।

ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ ଏହି ବିଶ୍ୱବିଦ୍ୟାଳୟ ସମ୍ମୁଖରେ ପ୍ରାୟ ପ୍ରତିଦିନ ରାସ୍ତା ପାର ବେଳେ ଛାତ୍ରୀମାନେ ଛୋଟ ବଡ ଦୁର୍ଘଟଣାର ସମ୍ମୁଖୀନ ହେଉଥିବାବେଳେ ଏଠାରେ ଫୁଟ୍‍ ଓଭରବ୍ରିଜ୍‍ ନିର୍ମାଣ ଲାଗି ୫ଜଣ ମନ୍ତ୍ରୀଙ୍କ ସମେତ ୧୧ଜଣ ନେତା ଓ ନେତ୍ରୀ ୧୨ବର୍ଷ ତଳେ ଶୁଭ ଦେଇଥିଲେ ମଧ୍ୟ କେବଳ ଫଳକ ପୋତା ହେବା ବ୍ୟତିତ ଆଉ କିଛି କାମ ଆଗେଇ ପାରିନାହିଁ ବୋଲି ଛାତ୍ରୀମାନେ କ୍ଷୋଭର ସହ କହୁଛନ୍ତି । (ତଥ୍ୟ)