Home Finance ଟ୍ରେଜେରୀରେ ଏଣିକି ଇ-ଭାଉଚର

ଟ୍ରେଜେରୀରେ ଏଣିକି ଇ-ଭାଉଚର

ଭୁବନେଶ୍ୱର : ସରକାରୀ ଟ୍ରେଜେରୀରେ ଆଉ କାଗଜରେ କୌଣସି ନେଣ ଦେଣ ହେବନାହିଁ । ଏହାକୁ ସମ୍ପୂର୍ଣ୍ଣ ଭାବେ ପେପରଲେସ୍‍ ବା କାଗଜ ରହିତ ପାଇଁ ସରକାର ସ୍ଥିର କରିଛନ୍ତି ।

ଚଳିତ ବର୍ଷ ଏପ୍ରିଲ୍‍ ପହିଲାରୁ ରାଜ୍ୟର ସମସ୍ତ ଟ୍ରେଜେରୀରେ ଇ-ଭାଉଚର କାର୍ଯ୍ୟକାରୀ ହେବାକୁ ଯାଉଛି । ତେଣୁ ଟ୍ରେଜେରୀରେ ଆଉ କାଗଜ ଭାଉଚର ଗ୍ରହଣ ହେବ ନାହିଁ । ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବ ନିକଟରେ ଏହି ମର୍ମରେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଅର୍ଥ ବିଭାଗ ପକ୍ଷରୁ ଚଳିତ ମାସ ୨ ତାରିଖରେ ଏ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି ହେବା ସହିତ ଇ-ଭାଉଚର କାର୍ଯ୍ୟକାରୀ ନେଇ ରାଜ୍ୟର ସମସ୍ତ ଟ୍ରେଜେରୀକୁ ଜଣାଇ ଦିଆଯାଇଛି । ୨୦୦୫ ମସିହାରୁ ଟ୍ରେଜେରୀରେ କମ୍ପ୍ୟୁଟରୀକରଣ ଆରମ୍ଭ ହୋଇଥିବାବେଳେ ସରକାରୀ ଦେଣ ନେଣ ବ୍ୟବସ୍ଥାର ସମ୍ପୂର୍ଣ୍ଣ ଡିଜିଟାଇଜେନ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

ଏପ୍ରିଲ୍‍ ପହିଲାରୁ ଟ୍ରେଜେରୀକୁ ପଠାଯିବାକୁ ଥିବା ସମସ୍ତ ବିଲ୍‍ ଏବଂ ତତ୍‍ସଂଲଗ୍ନ କାଗଜପତ୍ର ଇଲେକଟ୍ରୋନିକ ବ୍ୟବସ୍ଥାରେ ପଠାଯିବ । ତଦନୁଯାୟୀ ଏପ୍ରିଲ୍‍ ପହିଲାରୁ ଇ-ଭାଉଚର ବାଧ୍ୟତାମୂଳକ ହେବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ତେବେ କାଗଜ ଭାଉଚରଗୁଡିକ ସରକାରୀ ଦପ୍ତରର ଡିଡିଓମାନେ ସଂରକ୍ଷିତ କରି ରଖିବା ସହିତ ଭବିଷ୍ୟତରେ ଯେଭଳି ଏହାର ଅପବ୍ୟବହାର ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି ।

ଏପରିକି ଚଳିତ ମାସ ଅର୍ଥାତ୍‍ ୨୦୨୩ ମାର୍ଚ୍ଚ ମାସର ବିଲ୍‍ ପଇଠ ସମୟରେ ସମସ୍ତ ଡିଡିଓମାନେ ଏଥିରେ ଇ-ଦସ୍ତଖତ କରିବା ସହିତ ଇ-ଫର୍ମାଟରେ ସେମାନଙ୍କର ପାଇବାକୁ ଥିବା ଅର୍ଥରାଶି ଦାଖଲ କରିବାକୁ କୁହାଯାଇଛି । (ତଥ୍ୟ)