Home Education ମନୋବଳ ଦୃଢ ହେଲେ ସବୁକିଛି ସମ୍ଭବ

ମନୋବଳ ଦୃଢ ହେଲେ ସବୁକିଛି ସମ୍ଭବ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଫ୍ୟାକ୍ଟଲି ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସସେ (ଆଇଏଏସ୍‌)ର ସଭା ଗୃହରେ ଏକ ପ୍ରେରଣାଦାୟୀ ଆଲୋଚନା “ଉଇ କ୍ୟାନ୍ ..ଉଇ କ୍ୟାନ୍‌” ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଉଦ୍‌ଘାଟକ ତଥା ମୁଖ୍ୟ ଅତିଥି ଭାବରେ ଆର୍ନ୍ତଜାତୀୟ ଖ୍ୟାତି ସମ୍ପନ୍ନ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଜିଏସ୍ ମୂର୍ତି ଯୋଗ ଦେଇ ସାମାଜିକ ମୂଲ୍ୟବୋଧ ହିଁ ଯେ କୌଣସି ପ୍ରେରଣାର ମୂଳ ଉତ୍ସ ବୋଲି କହିଥିଲେ ।

ପ୍ରତି ଗ୍ରାମରେ ଦେବତା ବା ଦେବୀ ଓ ଆମେ ପାଳନ କରୁଥିବା ପ୍ରତି ପ୍ରଥା, ପରମ୍ପରା ହିଁ ଜଣେ ମଣିଷର ପ୍ରେରଣା ର ଆରମ୍ଭ ବୋଲି ସେ କହିଥିଲେ । ମୁଖ୍ୟବକ୍ତା ଭାବରେ ଜାତୀୟ ସ୍ତରର ଜଣେ ସ୍ୱନାମଧନ୍ୟ ଶିକ୍ଷାବିତ୍ ତଥା ବାଗ୍ମୀ କମାଣ୍ଡର ଭିକେ ଜେଟଲି ଯୋଗ ଦେଇ ଦୀର୍ଘ ସମୟ ଧରି ପ୍ରେରଣାଦାୟୀ ବକ୍ତବ୍ୟ ରଖି ଶ୍ରୋତା ମାନଙ୍କୁ ବାନ୍ଧି ରଖିଥିଲେ ।

ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରି ସେ କହିଥିଲେ ଯେ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଦେଶ ଯେତେ ଆଗେଇଲେ ବି ଆମେ ମୂଳକୁ ଭୁଲି ଯିବା ଉଚିତ୍ ନୁହେଁ । ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ଭାରତୀୟ ଯୁବ ସମାଜ ପାଇଁ ସର୍ବଶ୍ରେଷ୍ଠ ପ୍ରେରଣା ବୋଲି ଅତିଥି ମାନେ ମଧ୍ୟ ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବରେ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଦାମୋଦର ଆଚାର୍ଯ୍ୟ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ପରିବାର ହିଁ ସେମାନଙ୍କ ପ୍ରେରଣା ବୋଲି ସେ କହିଥିଲେ ।

ସୋଆ କୁଳପତି ପ୍ରଫେସର ବିଜୟ କୁମାର ସାହୁ ଏହି ସଭାରେ ସ୍ୱାଗତ ଭାଷଣ ଦେଇ ସୋଆ ବିଶ୍ୱବିଦ୍ୟାଳୟ ର ଉନ୍ନତି ଓ ଅଭିବୃଦ୍ଧି ସମ୍ପର୍କରେ ସୂଚନା ଦେଇ ଏହି କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।

ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ( ଡକ୍ଟର) ଜ୍ୟୋତି ରଂଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିଥିଲେ । ଶ୍ରୀ ଅରବିନ୍ଦ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଉତ୍ସବ ଯୋଗାଦେଇଥିବା ଅତିଥିମାନଙ୍କୁ ପ୍ରଫେସର ଦାମୋଦର ଆଚାର୍ଯ୍ୟ ସମ୍ବର୍ଦ୍ଧିତ କରିଥିଲେ । ଉତ୍ସବରେ ସୋଆର ବରିଷ୍ଠ ପ୍ରାଧ୍ୟାପକ, ବିଭାଗୀୟ ମୁଖ୍ୟ ତଥା ଶତାଧିକ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।