ଭୁବନେଶ୍ୱର : ଓଡିଶାର କୁକୁଡା ଚାଷ ଏବେ ରାଜ୍ୟ ବାହାରର ବ୍ୟବସାୟୀଙ୍କ ହାତରେ । ରାଜ୍ୟରେ ବ୍ରଏଲର କୁକୁଡା ଚାଷ କ୍ଷେତ୍ରରେ ଏବେ ପ୍ରାୟ ୩୭ଟି ସଂସ୍ଥା ପୁଞ୍ଜି ଖଟାଉଛନ୍ତି ।
ଗାଁ ଗହଳରେ ଛୋଟ ଠାରୁ ବଡ କୁକୁଡାଚାଷୀଙ୍କ ପର୍ଯ୍ୟନ୍ତ ଏବେ ରାଜ୍ୟ ବାହାରର ବ୍ୟବସାୟୀଙ୍କ କବଳରେ । ଏହି କମ୍ପାନୀମାନେ ସାଧାରତଃ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ଆସି ଓଡିଶାରେ ସେମାନଙ୍କର ବ୍ୟବସାୟ ଚଳାଇଛନ୍ତି । ଏମାନେ ଗାଁକୁ ଗାଁ ବୁଲି କୁକୁଡାଚାଷୀମାନଙ୍କ ଫାର୍ମଗୁଡିକୁ ଏକ ପ୍ରକାର ଭଡାରେ ନେଇ ଯାଉଛନ୍ତି ।
କମ୍ପାନୀମାନେ ଚାଷୀଙ୍କୁ କୁକୁଡା ଚିଆଁ, ଦାନା, ଔଷଧ ଆଦି ଯୋଗାଇ ଦେଉଛନ୍ତି । ଫାର୍ମ ପ୍ରତିଷ୍ଠା କରିଥିବା କୁକୁଡା ଚାଷୀମାନେ ନିଜର ଘର, ବିଜୁଳି ଓ ପାଣି ସହିତ ଏଠାରେ ନିଜେ କାର୍ଯ୍ୟ କରୁଛନ୍ତି । କୁକୁଡା ବିକ୍ରିଯୋଗ୍ୟ ହେବା ପରେ ସମ୍ପୃକ୍ତ କମ୍ପାନୀ ସେଗୁଡିକୁ ନେଇ ଯାଉଛନ୍ତି ଓ ଚାଷୀମାନେ କିଲୋପିଛା ନିଜର ପାରିଶ୍ରମିକ ଓ ଭିତ୍ତିଭୂମି ବାବଦରେ ୪ରୁ ୫ଟଙ୍କା କରି ପାଉଛନ୍ତି । ବିଭିନ୍ନ ସମୟରେ ଏହି ଅର୍ଥ ପରିମାଣରେ ତାରତମ୍ୟ ଦେଖାଦେଉଛି ।
ଓଡିଶାର କୁକୁଡା ଚାଷରେ ବିପୁଳ ପରିମାଣର ପୁଞ୍ଜି ଖଟାଇଥିବା ଏହି କମ୍ପାନୀମାନେ ରାଜ୍ୟର କୁକୁଡାମାଂସ ବଜାରକୁ ଏକ ପ୍ରକାର ନିୟନ୍ତ୍ରଣ କରୁଛନ୍ତି । ସେମାନେ ଚାହିଁଲେ କୁକୁଡାମାଂସ ଦର କମୁଛି ଓ ବଢୁଛି । କାରଣ ସେମାନଙ୍କ ଠାରୁ ମାଗଣାରେ କୁକୁଡା ଚିଆଁ ଓ ଦାନା ନେଇ କୁକୁଡା ଚାଷ କରୁଥିବା ଚାଷୀମାନେ ଚାହିଁଲେ ବି କମ୍ପାନୀର ବିନାନୁମତିରେ ବଜାରରେ କୁକୁଡା ବିକ୍ରି କରିପାରିବେ ନାହିଁ ।
କମ୍ପାନୀମାନେ ଓଡିଶାର କୁକୁଡା ଚାଷ ବ୍ୟବସାୟକୁ ଏକ ପ୍ରକାର ନିୟନ୍ତ୍ରଣକୁ ନେଇଯିବା ଫଳରେ ସରକାରଙ୍କ ପ୍ରୋତ୍ସାହନରେ କୁକୁଡା ଚାଷ ଜରିଆରେ ରାଜ୍ୟରେ ଆତ୍ମନିଯୁକ୍ତି ପାଇଁ ଯେଉଁ ଯୋଜନା ହୋଇଥିଲା ତାହା ଏକ ପ୍ରକାର ବାଧାପ୍ରାପ୍ତ ହୋଇଛି । ଏଥି ସହିତ ରାଜ୍ୟରେ ବ୍ୟାପକ କୁକୁଡା ଚାଷ ଯୋଗୁଁ ଲୋକେ କମ୍ ଦରରେ କୁକୁଡା ମାଂସ ପାଇବାର ଯେଉଁ ସୁଯୋଗ ଥିଲା ତାହା ମଧ୍ୟ ପୂରଣ ହୋଇପାରୁ ନାହିଁ ।
ସରକାରୀ ସବସିଡ୍ ନେଇ ରାଜ୍ୟରେ ବହୁ ସଂଖ୍ୟାରେ ଛୋଟ ଓ ମଧ୍ୟମ ବ୍ରଏଲର କୁକୁଡା ଫାର୍ମ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ବାହାର ରାଜ୍ୟର କମ୍ପାନୀମାନଙ୍କ ପ୍ରବେଶ ଯୋଗୁଁ ଫାର୍ମ ମାଲିକମାନେ ପରବର୍ତ୍ତୀ ସମୟରେ ନିଜ ଫାର୍ମରେ ଶ୍ରମିକ ପାଲଟି ଯାଉଛନ୍ତି । ଫଳରେ ସେମାନେ ସ୍ଥାନୀୟ ଲୋକଙ୍କୁ କର୍ମ ଯୋଗାଣ ପାଇଁ ଯେଉଁ ଲକ୍ଷ୍ୟଥିଲା ତାହା ଏକ ପ୍ରକାର ବାଟବଣା ହୋଇଛି । (ତଥ୍ୟ)