Home General ମାନୁ ନାହାନ୍ତି ତରକାରୀ କଟକଣା

ମାନୁ ନାହାନ୍ତି ତରକାରୀ କଟକଣା

ଭୁବନେଶ୍ୱର : ଆମ ରାଜ୍ୟରେ ଖାଦ୍ୟ ସମ୍ବନ୍ଧୀୟ ଏମିତି ଏକ ବ୍ୟବସ୍ଥା ରହିଛି ଯାହାକୁ ପ୍ରୟୋଗ କରି ପ୍ରାୟ ସମସ୍ତ ସରକାରୀ ଓ ବେସରକାରୀ ହୋଟେଲ, ରେସ୍ତୋରାଁ, କ୍ୟାଣ୍ଟିନ୍‍, ଭୋଜନକେନ୍ଦ୍ର, କ୍ୟାଟରିଂ ସଂସ୍ଥା ଆଦି ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରିବ । ତେବେ ଏହି ଆଇନକୁ ପ୍ରାୟ କେହି ମାନନ୍ତି ନାହିଁ । ଏହି ବ୍ୟବସ୍ଥା ଆଧାରରେ ହୋଟେଲ, ରେସ୍ତୋରାଁ ଆଦିରେ ଭାତ କିମ୍ବା ରୁଟି ସହିତ ଦୁଇଟିରୁ ଅଧିକ ତରକାରୀ ପରଷା ଯାଇପାରିବ ନାହିଁ ।

ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ, ୧୯୫୫ ଆଧାରରେ ଭାରତ ସରକାରଙ୍କ ଖାଦ୍ୟ ମନ୍ତ୍ରାଳୟ ୧୯୭୨ ଜୁନ୍‍ ୨୦ ତାରିଖରେ ଜାରି କରିଥିବା ବିଜ୍ଞପ୍ତି ଆଧାରରେ ଆମ ରାଜ୍ୟ ସରକାର ୧୯୭୪ ମସିହାରେ ‘ଦି ଓଡିଶା ଫୁଡ୍‍ (ରେଷ୍ଟ୍ରିକ୍‍ସନ୍ସ ଅନ୍‍ ସର୍ଭିସ୍‍ ଅଫ୍‍ ମିଲ୍‍ସ ବାଇ କ୍ୟାଟରିଂ ଏଷ୍ଟାବ୍ଲିସ୍‍ମେଣ୍ଟସ୍‍) ଅର୍ଡର ଗେଜେଟ୍‍ ବିଜ୍ଞପ୍ତି ଜରିଆରେ ପ୍ରକାଶ କରିଥିଲେ ।

ଏହି ସରକାରୀ ବ୍ୟବସ୍ଥା ଅନୁଯାୟୀ କୌଣସି ସଂସ୍ଥା ଖାଦ୍ୟ ପରିବେଷଣ କଲାବେଳେ ଦୁଇଟିରୁ ଅଧିକ ତରକାରୀ ପରଷି ପାରିବେ ନାହିଁ । କୌଣସି ବ୍ୟକ୍ତି ବି ଦୁଇରୁ ଅଧିକ ତରକାରୀ ଖାଇପାରିବେ ନାହିଁ । ତେବେ ମୁଖ୍ୟ ଖାଦ୍ୟ ସହିତ ଗୋଟିଏ ବା ଦୁଇଟି ତରକାରୀ ସଙ୍ଗେ ଚା’ ବିସ୍କୁଟ, ସୁପ୍‍, ଜାମ୍‍, ଫଳ, ଜୁସ୍‍, ଭଜା, ପାମ୍ପଡ, ଚଟଣି, ଆଚାର, ରାଇତା, ପିଆଜ, ଘିଅ, ଲହୁଣି, ଦହି, ଛେନା, କଷ୍ଟାର୍ଡ ଆଦି ଖାଇବା କିମ୍ବା ଖୁଆଇବାରେ କିଛି ବାଧାନାହିଁ । ତେବେ କେତେକ କ୍ଷେତ୍ରରେ ସରକାରଙ୍କ ଦ୍ୱାରା ପ୍ରାଧିକୃତ ଅଧିକାରୀ କୋହଳ କରିପାରିବେ ବୋଲି କୁହାଯାଇଛି ।

ହୋଟେଲ, ରେସ୍ତୋରାଁ ଆଦି ଭିତରେ ଥିବା କ୍ୟାଟରିଂ ସଂସ୍ଥା ଖାଦ୍ୟ ପରଷୁଥିବା ସ୍ଥାନରେ ବିଭିନ୍ନ ଭୋଜିଭାତ ବେଳେ ସବ୍‍ଇନ୍ସପେକ୍ଟରରୁ ଊର୍ଦ୍ଧ୍ୱ ପାହ୍ୟାର ପୁଲିସ ଅଧିକାରୀ ଖାଦ୍ୟ କଟକଣା ଉଲ୍ଲଂଘନ ଘଟଣାରେ ଚଢାଉ କରିପାରିବେ ବୋଲି ବି ଏଥିରେ ଉଲ୍ଲେଖ ରହିଛି ।

କେବଳ ସେତିକି ନୁର୍ହେଁ, ଖାଦ୍ୟ କଟକଣା ଉଲ୍ଲଘଂନ ଅଭିଯୋଗରେ ଅଭିଯୁକ୍ତ ବ୍ୟକ୍ତିମାନଙ୍କୁ ପଚରା ଉଚରା ସହ ଖାଦ୍ୟ ରନ୍ଧା ଯାଇଥିବା ଓ ରଖାଯାଇଥିବା ପାତ୍ରକୁ ମଧ୍ୟ ସମ୍ପୃକ୍ତ ଅଧିକାରୀ ଜବତ କରିପାରିବେ ବୋଲି ଏଥିରେ କ୍ଷମତା ପ୍ରଦାନ କରାଯାଉଛି । ଏଭଳି ଯାଞ୍ଚ ଓ ସାମଗ୍ରୀ ଜବତ ବେଳେ ସିଆର୍‍ପିସିର ଧାରା-୧୦୦ର ସମ୍ପୃକ୍ତ ଅଧିକାରୀ ଉପଯୋଗ କରିପାରିବେ ।

ସରକାରୀ ବ୍ୟବସ୍ଥା ମୁତାବକ ପରଷା ଯାଉଥିବା ସାଲାଡ୍‍ରେ ଦୁଇରୁ ଅଧିକ ଫଳ କିମ୍ବା ପନିପରିବା ରହିପାରିବ ନାହିଁ । ତେବେ ଡାଲି, ଭାତ, ରୁଟି, ପରଟା ଆଦି ସହିତ ଦୁଇଟିରୁ ଅଧିକ ତରକାରୀ ପରଷିବା ଓ ସେବନ କରିବା ସରକାରୀ ବ୍ୟବସ୍ଥାର ବିରୁଦ୍ଧାଚରଣ କରୁଥିଲେ ମଧ୍ୟ ଏଥିସହିତ ଖିରି ଭଳି ଗୋଟିଏ ପ୍ରକାରର ମିଠା ଖାଦ୍ୟ ମଧ୍ୟ ଦିଆଯାଇପାରିବ ।

ଏଭଳି କଡା ବ୍ୟବସ୍ଥା ଥିବାବେଳେ ଆଇନର ରକ୍ଷାକର୍ତ୍ତାମାନେ ହୋଟେଲ ଓ ଅତିଥି ଭବନ ଏମିତିକି ନିଜ ଘରେ ବି ଏହାର କଡା ପ୍ରତିପାଳନ କରୁନଥିବାରୁ ସାଧାରଣ ଲୋକେ ଏଭଳି ଏକ ଆଇନଗତ ପ୍ରତିବନ୍ଧକ ରହିଛି ବୋଲି ଅନୁଭବ କରିପାରୁନାହାନ୍ତି । ସେହିପରି ସହରାଞ୍ଚଳରେ ବିବାହ ଭୋଜି ଓ ବରଯାତ୍ରୀଙ୍କ ଶୋଭାଯାତ୍ରା ପାଇଁ କର୍ତ୍ତୃପକ୍ଷଙ୍କ ଅନୁମତି ନେବା ବାଧ୍ୟତାମୂଳକ ।

ତେବେ ଅନୁମତି ନେବାବେଳେ ସମ୍ପୃକ୍ତ ପକ୍ଷ ଯେତେସବୁ କଟକଣା ମାନିବେ ବୋଲି ଲିଖିତ ସର୍ତ୍ତ ରଖିଥାନ୍ତି ସେଥିରୁ ଅଧିକାଂଶ ଉଲ୍ଲଘଂନ କରାଯିବା ଏକ ଖରାପ ପରମ୍ପରାରେ ପରିଣତ ହୋଇଛି । ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଖାଦ୍ୟ ପରିବେଷଣ ଓ ସେବନ ଉପରେ କଟକଣା ରଖିଛନ୍ତି ତାହାର ଖୋଲା ଉଲ୍ଲଘଂନ ହେଉଥିବାବେଳେ କେହି କିନ୍ତୁ କିଛି କାର୍ଯ୍ୟାଷ୍ଠାନ ଗ୍ରହଣ କରୁନଥିôବାବେଳେ ଆଇନ ବହିରେ ଛପା ହୋଇ ରହିଥିବା ଏହି କଟକଣା ବ୍ୟବସ୍ଥା କିନ୍ତୁ ବାସ୍ତବରେ ରୂପାନ୍ତରିତ ହୋଇପାରୁନାହିଁ । (ତଥ୍ୟ)