ଭୁବନେଶ୍ୱର : ମନ୍ତ୍ରୀ ନବକିଶୋର ଦାସଙ୍କୁ ହତ୍ୟା ପାଇଁ ବିଜେଡି, ବିଜେପି ଓ କଂଗ୍ରେସର କେତେକ ନେତା ପରସ୍ପରକୁ ଦାୟୀ କରୁଥିବା ପରିପ୍ରେକ୍ଷୀରେ ଏ ସମସ୍ତ ନେତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ଉକ୍ତ ହତ୍ୟାକାଣ୍ଡ ପଛରେ ରାଜନୈତିକ ଚକ୍ରାନ୍ତ ଥିଲା କି ନାହିଁ ସେ ସମ୍ପର୍କରେ ପୁଲିସ ସ୍ପଷ୍ଟ କରିବାକୁ ଏବେ ବିଭିନ୍ନ ମହଲରୁ ଦାବି ହେଉଛି ।
ଜାନୁୟାରୀ ୨୯ ତାରିଖ ପୂର୍ବାହ୍ନରେ ବ୍ରଜରାଜନଗରର ଗାନ୍ଧୀଛକ ନିକଟରେ ଜଣେ କର୍ତ୍ତବ୍ୟରତ ପୁଲିସ ଏଏସ୍ଆଇ ସର୍ବସମ୍ମୁଖରେ ଖୁବ୍ ନିକଟରୁ ନବ ଦାସଙ୍କୁ ଗୁଳିମାରି ହତ୍ୟା କରିଥିଲା । ସମ୍ପୃକ୍ତ ପୁଲିସ କର୍ମଚାରୀ ଜଣକ ମାନସିକ ରୋଗରେ ପୀଡିତ ଥିଲା ଓ ସେ ବ୍ରହ୍ମପୁରରେ ଚିକିତ୍ସିତ ହେଉଥିବା ଘେନି ତାଙ୍କ ପରିବାର ଓ ସମ୍ପୃକ୍ତ ଡାକ୍ତର କହିଆସୁଛନ୍ତି । ଏସଂକ୍ରାନ୍ତରେ ବି, ପୁଲିସ ସମ୍ପୃକ୍ତ ଡାକ୍ତର ଓ ପରିବାରର ସଦସ୍ୟମାନଙ୍କୁ ପଚରାଉଚରା କରିବା ସହିତ ଅଭିଯୁକ୍ତ ଗୋପାଳ ଦାସଙ୍କ ଉପରେ କଡା ନଜର ରଖିଛି ।
ନବ ଦାସଙ୍କ ହତ୍ୟା ପଛରେ ବିଜେଡିର କିଛି ଉପକୂଳିଆ ନେତାଙ୍କ ସମ୍ପୃକ୍ତି ରହିଛି ବୋଲି ପୂର୍ବରୁ ପଶ୍ଚିମ ଓଡିଶାର ଜଣେ ବିଜେପି ବିଧାୟକ ଅଭିଯୋଗ ଆଣିଥିଲେ । ଏବେ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ଦାବି କରିଛନ୍ତି ଯେ ହତ୍ୟାକାଣ୍ଡ ପୂର୍ବରୁ ଜଣେ ଆଇଏଏସ୍ ଅଧିକାରୀ ଓ ବିଜେଡି ସାଙ୍ଗଠନିକ ସମ୍ପାଦକଙ୍କ ମଧ୍ୟରେ କ’ଣ ସବୁ କଥାବାର୍ତ୍ତା ହୋଇଛି ତାର କଲ୍ ରେକର୍ଡ ଯାଞ୍ଚ କରିବାକୁ ।
ଅନ୍ୟପକ୍ଷରେ ବିଜେଡି ବିଧାୟକ ରୁଦ୍ର ମହାରଥୀ ଗଣମାଧ୍ୟମକୁ କହିଛନ୍ତି ଯେ ପଦ୍ମପୁର ଉପନିର୍ବାଚନ ପ୍ରଚାରରେ ଦୂରେଇ ରହିବା ପାଇଁ ମନ୍ତ୍ରୀ ନବକିଶୋର ଦାସଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କୁଆଡେ ଧମକ ଦେଉଥିଲେ । ଅନ୍ୟପକ୍ଷରେ ରୁଦ୍ର ମହାରଥୀଙ୍କୁ ଜବାବ ଦେଇ ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ଯେ ଯଦି ସେତେବେଳେ ଏପରି ଧମକ ମିଳିଥିଲା ଓ ଏହା ରୁଦ୍ର ମହାରଥୀ ଜାଣିଥିଲେ ତେବେ ସେ କିମ୍ବା ନବ ଦାସ ଏ ସଂକ୍ରାନ୍ତରେ କାହିଁକି ନିର୍ବାଚନ କମିଶନ ଓ ପୁଲିସ ନିକଟରେ ଅଭିଯୋଗ କଲେନାହିଁ । ଏଥିରୁ ରୁଦ୍ରଙ୍କ ଆରୋପ ମନଗଢା ଓ କପୋଳକଳ୍ପିତ ବୋଲି ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ।
କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଗଣମାଧ୍ୟମକୁ କହିଛନ୍ତି ଯେ, ନବ ଦାସଙ୍କ ହତ୍ୟା ପଛରେ ପଶ୍ଚିମ ଓଡିଶାର ଜଣେ ବାହୁବଳି ବିଜେଡି ବିଧାୟକଙ୍କ ହାତ ରହିଛି । ଏଭଳି ଆରୋପ ପ୍ରତ୍ୟାରୋପ ମଧ୍ୟରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଆଉ ପାଦେ ଆଗେଇ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଷଡଯନ୍ତ୍ର ପଛରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇବା ସହ ଷଡଯନ୍ତ୍ର ଘଟଣାରେ ସେମାନଙ୍କ ନାମ ପଦାକୁ ଆସିବା ଆଶଙ୍କାରେ ବ୍ୟତିବ୍ୟସ୍ତ ହୋଇ ଜୟନାରାୟଣ ଅସତ୍ୟ ଆରୋପ ଉଠାଇଛନ୍ତି ବୋଲି କହିଥିବାବେଳେ ସରକାରୀ ଦଳର ମୁଖ୍ୟ ସଚେତକଙ୍କ ସମେତ ଆଉ କେତେକ ନେତା ଜୟନାରାୟଣଙ୍କ ମାନସିକ ସ୍ଥିତି ସଂକ୍ରାନ୍ତରେ ପ୍ରଶ୍ନ ଉଠାଇ ତାଙ୍କର ବି ଡାକ୍ତରୀ ଚିକିତ୍ସା ହେବା ଆବଶ୍ୟକ ବୋଲି କହିଛନ୍ତି ।
ତେବେ ସ୍ୱର୍ଗତ ନବ ଦାସଙ୍କ କନ୍ୟା ଦୀପାଳି ମୁଖ୍ୟମନ୍ତ୍ରୀଙ୍କ ଉପରେ ଆସ୍ଥା ପ୍ରକଟ ସହ ତଦନ୍ତ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବା ଓ ତାଙ୍କ ପିତାଙ୍କ ମୃତ୍ୟୁକୁ ନେଇ ରାଜନୀତି ନକରିବାକୁ ନିବେଦନ କରିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନବ ଦାସଙ୍କ ହତ୍ୟା ପଛରେ ବ୍ୟକ୍ତିଗତ ଶତ୍ରୁତା, ବ୍ୟବସାୟିକ ଶତ୍ରୁତା ଓ ରାଜନୈତିକ ଶତ୍ରୁତା ଥାଇପାରେ ବୋଲି ଉଲ୍ଲେଖ କରିଛନ୍ତି ।
ଯେଉଁ ରାଜନେତାମାନେ ଏହି ହତ୍ୟାକାଣ୍ଡ ପଛରେ ରାଜନୈତିକ ଷଡ଼ଯନ୍ତ୍ର ଥିବା କଥା ଉଲ୍ଲେଖ କରି ବିଭିନ୍ନ ଲୋକଙ୍କ ନାଁ ଗଣମାଧ୍ୟମରେ ଛାଡୁଛନ୍ତି ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ତଥ୍ୟ ପ୍ରମାଣ ସଂଗ୍ରହର ଆବଶ୍ୟକତା ରହିଛି ବୋଲି ବରିଷ୍ଠ ଆଇନଜୀବୀମାନେ ମତ ଦେଉଛନ୍ତି । ବାକ୍ ସ୍ୱାଧୀନତା ଆଳରେ ତଦନ୍ତକୁ ବାଟବଣା କରିବା ପାଇଁ ଓ କାହାର କୁତ୍ସାରଟନା ଲାଗି ଯଦି ମିଥ୍ୟା ଆରୋପ ଅଣାଯାଇଥାଏ ତେବେ ସମ୍ପୃକ୍ତ ରାଜନେତାମାନଙ୍କ ବିରୋଧରେ ବି ଆଇନଗତ ପଦକ୍ଷେପ ଗ୍ରହଣ କରାଯାଇପାରିବ ବୋଲି ଆଇନ ବିଶେଷଜ୍ଞମାନେ ମତ ଦେଉଛନ୍ତି । (ତଥ୍ୟ)