ଭୁବନେଶ୍ୱର : ଚଳିତ ବଜେଟ୍ ଅଧିବେଶନର ଆଜି ପ୍ରଥମ କାର୍ଯ୍ୟଦିବସରୁ ବିଧାନସଭାରେ ବିରୋଧି ସଦସ୍ୟଙ୍କ ଗୃହ ମଧ୍ୟଭାଗରେ ହଟଗୋଳ, ଧାରଣା ଓ କକ୍ଷତ୍ୟାଗ ଦେଖିବାକୁ ମିଳିଥିଲା । ଉଭୟ ବିଜେପି ଓ କଂଗ୍ରେସ ଏଭଳି ପ୍ରଦର୍ଶନ କରିଥିବାବେଳେ ଶାସକ ବିଜେଡି ସଦସ୍ୟମାନେ କିନ୍ତୁ ନିଜ ନିଜ ଆସନରେ ଶାନ୍ତ ଭାବେ ବସି ରହିଥିଲେ ।
ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣରୁ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ବାଚସ୍ପତି ବିକ୍ରମ କେଶରୀ ଆରୁଖ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜ ନିଜ ଆସନ ଗ୍ରହଣ କରିବା ସଂଗେ ସଂଗେ କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର ନିଜ ଆସନରେ ଛିଡାହୋଇ କିଛି କହିବାକୁ ଚାହିଁଥିଲେ । ହେଲେ ବାଚସ୍ପତି ତାଙ୍କୁ ଏଥିପାଇଁ ଅନୁମତି ଦେଇନଥିଲେ ।
ଏହାପରେ ରାଜ୍ୟପାଳ ନିଜର ବଜେଟ୍ ଅଭିଭାଷଣ ପଢିବା ଆରମ୍ଭ କରିଥିଲେ । ଏହି ସମୟରେ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଓ ଆଇନ୍ଶୃଙ୍ଖଳା ପ୍ରସଙ୍ଗ ଉଠାଇ ଗୃହ ମଧ୍ୟଭାଗରେ ହଟଗୋଳ କରିଥିଲେ । କଂଗ୍ରେସ ସଦସ୍ୟ ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂହ ସାଲୁଜା, ରାଜନ ଏକ୍କା, ଅଧିରାଜ ପାଣିଗ୍ରାହୀ, ରମେଶ ଜେନା ଓ ମହମ୍ମଦ ମୋକିମ ପ୍ରମୁଖ ଗୃହ ମଧ୍ୟଭାଗରେ ହଟଗୋଳ କରିଥିଲେ ।
ଏହି ସମୟରେ ବିଜେପି ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝି ନିଜ ଆସନରେ ଛିଡାହୋଇ ରାଜ୍ୟପାଳଙ୍କ ଅଭିଭାଷଣର ପୁସ୍ତିକା ଦେଖାଇ କିଛି କହୁଥିବା ଲକ୍ଷ୍ୟ କରାଯାଇଥିଲା । ବିଜେପି ସଦସ୍ୟମାନେ ମଧ୍ୟ ନିଜ ନିଜ ଆସନରେ ଛିଡାହୋଇ ହଟଗୋଳ କରିଥିଲେ ।
ଏହାପରେ ବିଜେପି ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହଟଗୋଳ କରିଥିଲେ । ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟଭାଗରେ ଧ୍ୱନିମାନ ଦେଉଥିବାବେଳେ ରାଜ୍ୟପାଳ ତାଙ୍କର ଅଭିଭାଷଣ ଜାଣି ରଖିଥିଲେ । ଏହାପରେ ବିରୋଧିଦଳର ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ତଳେ ବସି ରହିଥିଲେ ।
କିଛି ସମୟ ଧାରଣା ଦେବାପରେ ପ୍ରଥମେ ବିଜେପି ଓ ପରେ ପରେ କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ । ବିରେଧି ସଦସ୍ୟମାନେ କକ୍ଷତ୍ୟାଗ କରିଥିବାବେଳେ ରାଜ୍ୟପାଳଙ୍କ ଅଭିଭାଷଣ ଜାରି ରହିଥିଲା । ରାଜ୍ୟପାଳଙ୍କ ଅଭିଭାଷଣ ସରିବା ପରେ ବିରୋଧି ସଦସ୍ୟମାନେ ଗୃହକୁ ଫେରିଥିଲେ ।
ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଆଜି ଦିବଙ୍ଗ ସଦସ୍ୟ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ କିଶୋର ଦାସ, ପୂର୍ବତନ ସଦସ୍ୟ ଗଙ୍ଗାଧର ଦାସ ଓ ଅର୍ଜୁନ ଚରଣ ଦାସଙ୍କ ବିୟୋଗରେ ଶୋଷ ପ୍ରସ୍ତାବ ଆଗତ କରିଥିଲେ । ଶୋକ ପ୍ରସ୍ତାବ ଉପରେ ବିରୋଧିଦଳ ନେତା ଜୟନାରାୟଣ ମିଶ୍ର, କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର, ସିଆଇଏମ ସଦସ୍ୟ ଲକ୍ଷ୍ମଣ ମୁଣ୍ଡା ନିଜ ନିଜ ବକ୍ତବ୍ୟ ରଖିଥିଲେ । ବିରୋଧିଦଳ ନେତା ପୂର୍ବତନ ମନ୍ତ୍ରୀ ଶ୍ରୀ ଦାସଙ୍କ ମୃତ୍ୟୁକୁ ଏକ ଷଡଯନ୍ତ୍ର ବୋଲି କହିଥିଲେ ।
ଏହାପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହରେ ଶୋକ ପ୍ରସ୍ତାବ ପାଠ କରିଥିଲେ । ପରେ ଦିବଙ୍ଗତ ସଦସ୍ୟମାନଙ୍କ ଉଦ୍ଦେଶ୍ୟରେ ଗୃହରେ ଏକ ମିନିଟ୍ ନିରବ ପ୍ରାର୍ଥନା ହୋଇଥିଲା । ଏହାପରେ ସଦସ୍ୟମାନଙ୍କ ସମ୍ମାନାର୍ଥେ ଆଜିର ଅବଶିଷ୍ଟ ସମୟ ପାଇଁ ଗୃହ କାର୍ଯ୍ୟ ମୁଲତବି ରହିଲା ବୋଲି ବାଚସ୍ପତି ଶ୍ରୀ ଆରୁଖ ଘୋଷଣା କରିଥିଲେ ।