Home General ଶ୍ରମଶକ୍ତିରେ ୩୨.୨ ପ୍ରତିଶତ ମହିଳା

ଶ୍ରମଶକ୍ତିରେ ୩୨.୨ ପ୍ରତିଶତ ମହିଳା

ଭୁବନେଶ୍ୱର : ରାଜ୍ୟରେ ଯେତିକି ଶ୍ରମ ଶକ୍ତି ରହିଛନ୍ତି ସେଥିରୁ ୩୨.୨ ପ୍ରତିଶତ ହେଉଛନ୍ତି ମହିଳା । ୨୦୨୦-୨୧ ରେ ହୋଇଥିବା ଏକ ସର୍ଭେରୁ ଏହା ଜଣାପଡିଛି । ତେବେ ଏହି ସମୟରେ ପଡୋଶୀ ରାଜ୍ୟଗୁଡିକରେ ମହିଳା ଶ୍ରମଶକ୍ତିର ହାର ଓଡିଶା ଠାରୁ ଅଧିକ ରହିଛି ।

ରାଜ୍ୟ ଶ୍ରମ ଶକ୍ତିରେ ମହିଳାଙ୍କ ହାର ବର୍ଷକୁ ବର୍ଷ ବଢିବାରେ ଲାଗିଛି । ୨୦୧୮-୧୯ ରେ ମୋଟ୍‍ ଶ୍ରମଶକ୍ତିର ୨୨.୮ ପ୍ରତିଶତ ମହିଳା ଥିବାବେଳେ ୨୦୧୯-୨୦ ରେ ୩୧.୮ ପ୍ରତିଶତକୁ ବୃଦ୍ଧି ପାଇଥିଲା । ସେହିଭଳି ୨୦୨୦-୨୧ ରେ ଏହା ୩୨.୨ ପ୍ରତିଶତରେ ପହଞ୍ଚିଥିଲା । ଓଡିଶାର ଏହି ମହିଳା ଶ୍ରମଶକ୍ତିଙ୍କ ହାର ଜାତୀୟ ହାର ଠାରୁ ଅଧିକ । ୨୦୨୦-୨୧ ଜାତୀୟ ସ୍ତରରେ ମୋଟ୍‍ ଶ୍ରମଶକ୍ତିର ୩୧.୪ ପ୍ରତିଶତ ରହିଥିଲା ।

ତେବେ ଓଡିଶାର ଶ୍ରମଶକ୍ତିରେ ମହିଳାଙ୍କ ହାର ପଡୋଶୀ ରାଜ୍ୟଗୁଡିକ ତୁଳନାରେ କମ୍‍ ରହିଛି । ୨୦୨୦-୨୧ ବର୍ଷରେ ଆନ୍ଧ୍ରପ୍ରଦେଶରେ ୪୩.୯ ପ୍ରତିଶତ ମହିଳା ସେହି ରାଜ୍ୟର ଶ୍ରମଶକ୍ତିର ଅଂଶ ଥିବାବେଳେ ଛତିଶଗଡରେ ଏହା ୫୩.୨ ଏବଂ ଝାଡଖଣ୍ଡରେ ଏହା ୪୩.୬ ପ୍ରତିଶତ ରହିଛି । ଏହି ତିନି ପଡୋଶୀ ରାଜ୍ୟରେ ମହିଳା ଶ୍ରମଶକ୍ତି ଓଡିଶା ଅପେକ୍ଷା ଅଧିକ ରହିଥିବାବେଳେ ପଶ୍ଚିମବଙ୍ଗରେ କିନ୍ତୁ ଏହି ହାର ୨୮.୧ ପ୍ରତିଶତ ରହିଥିବା ଜଣାଯାଇଛି ।

ତେବେ ଲକ୍ଷାଦ୍ୱୀପରେ ସବୁଠାରୁ ଅଧିକ ୬୬.୩ ପ୍ରତିଶତ ମହିଳା ଶ୍ରମଶକ୍ତିରେ ଅଂଶୀଦାର ଥିବାବେଳେ ହିମାଚଳପ୍ରଦେଶରେ ୬୧.୧, ସିକିମ୍‍ରେ ଏହା ୬୦.୬ ରହିଛି । ଏହା ପଛକୁ ଛତିଶଗଡ ୫୩.୨ ପ୍ରତିଶତ ସହିତ ଚତୁର୍ଥ ସ୍ଥାନରେ ରହିଥିବା ଜଣାଯାଇଛି ।

ଶ୍ରମଶକ୍ତିରେ ମହିଳାମାନେ ଯେଭଳି ଅଧିକରୁ ଅଧିକ ଭାବେ ସାମିଲ ହେବେ ସେଥିପାଇଁ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି । ସମାନ କାମକୁ ସମାନ ପାରିଶ୍ରମିକ କାର୍ଯ୍ୟକାରୀ କରିବା ସହିତ ମାତୃତ୍ୱ ଛୁଟି ସମୟସୀମାକୁ ୧୨ସପ୍ତାହରୁ ୨୬ ସପ୍ତାହକୁ ବୃଦ୍ଧି କରାଯାଇଛି । ସେହିଭଳି ୫୦ରୁ ଅଧିକ ମହିଳା କର୍ମଚାରୀ ଥିବା ସଂସ୍ଥାରେ କ୍ରେଚ୍‍ ସୁବିଧାକୁ ବାଧ୍ୟତାମୂଳକ କରାଯାଇଛି । ସେହିଭଳି ଯେଉଁ ମହିଳାକର୍ମଚାରୀମାନେ ରାତିରେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇବାପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ମହିଳାମାନଙ୍କୁ ଅଧିକରୁ ଅଧିକ ଭାବେ ନିଯୁକ୍ତି ସୁଯୋଗ ଦେବାପାଇଁ କେନ୍ଦ୍ର ସରକାର ମହିଳା ଶିଳ୍ପ ତାଲିମ ପ୍ରତିଷ୍ଠାନ, ଜାତୀୟ ଧନ୍ଦାମୂଳକ ତାଲିମ ପ୍ରତିଷ୍ଠାନ ଓ ଆଞ୍ଚଳିକ ଧନ୍ଦାମୂଳକ ତାଲିମ ପ୍ରତିଷ୍ଠାନ ସ୍ଥାପନ କରାଯାଇଛି । (ତଥ୍ୟ)