Home General କମୁଛି କେନ୍ଦ୍ରୀୟ ଅନୁଦାନ

କମୁଛି କେନ୍ଦ୍ରୀୟ ଅନୁଦାନ

ଭୁବନେଶ୍ୱର : ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୩୨,୮୦୦ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ପାଇବେ ବୋଲି ଆଶାବାନ୍ଧି ବସିଥିବାବେଳେ ଏହା ମଉଳିବାରେ ଲାଗିଛି । ଏହା ଫଳରେ ଅଧିକ କେନ୍ଦ୍ରୀୟ ଅନୁଦାନ ପାଇ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରୀ କରିବାର ଯେଉଁ ଯୋଜନା ହୋଇଥିଲା ତାହା ନେଇ ଆଶଙ୍କା ଉପୁଜିଛି ।

ଚଳିତ ଆର୍ଥିକ ବର୍ଷର ବଜେଟ୍‍ରେ ରାଜ୍ୟ ସରକାର କେନ୍ଦ୍ରୀୟ ଅନୁଦାନ ବାବଦରେ ୩୧,୭୮୮ କୋଟି ୬୪ଲକ୍ଷ ଟଙ୍କା ପାଇବେ ବୋଲି ଅଟକଳ କରିଛନ୍ତି । ତେବେ ଜାନୁୟାରୀମାସ ଶେଷ ସୁଦ୍ଧା ରାଜ୍ୟ ସରକାର ମାତ୍ର ୧୧,୧୧୦ କୋଟି ୪୫ଲକ୍ଷ ଟଙ୍କା ପାଇଛନ୍ତି । ଏହା ବଜେଟ୍‍ ହିସାବର ପ୍ରାୟ ୩୪ ପ୍ରତିଶତ । ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ମାତ୍ର ଦେଢମାସ ଥିବାବେଳେ କେନ୍ଦ୍ରରୁ ଅନୁଦାନ ଆଶାନୁରୂପ ମିଳିବନାହିଁ ବୋଲି ଆଶଙ୍କା ଉପୁଜିଲାଣି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ରାଜ୍ୟ ସରକାର କେନ୍ଦ୍ରରୁ ଅନୁଦାନ ଓ ଅଂଶଧନ ଟିକସ ପାଇଥାନ୍ତି । ଚଳିତ ଆର୍ଥିକ ବର୍ଷରେ ଅନୁଦାନ ଓ ଅଂଶଧନ ଟିକସ ବାବଦରେ ରାଜ୍ୟ ସରକାର ୬୯,୭୬୬ କୋଟି ଟଙ୍କା ପାଇବେ ବୋଲି ବଜେଟ୍‍ର ପ୍ରାବଧାନ କରିଛନ୍ତି । ଅନୁଦାନ କମିଥିବାବେଳେ ଅଂଶଧନ ବଢିଥିବା ଜଣାଯାଇଛି । ଅଂଶଧନ ବାବଦରେ ରାଜ୍ୟ ସରକାର ୩୬,୯୮୭ କୋଟି ପାଇବେ ବୋଲି ଆକଳନ କରିଥିବାବେଳେ ଜାନୁୟାରୀମାସ ଶେଷ ସୁଦ୍ଧା ୩୦,୨୩୬ କୋଟି ଟଙ୍କା ପାଇସାରିଲେଣି । ଏହା ପ୍ରାୟ ୮୧ ପ୍ରତିଶତରୁ ଉର୍ଦ୍ଧ୍ୱ ।

ଅଂଶଧନ ୮୧ ପ୍ରତିଶତରୁ ଅଧିକ ପାଇଥିବାବେଳେ ଅନୁଦାନ ମାତ୍ର ୩୪ ପ୍ରତିଶତ ପାଇଥିବା ଯୋଗୁଁ ରାଜ୍ୟ ସରକାର କର୍ତ୍ତୃପକ୍ଷ ଚିନ୍ତିତ । କାରଣ କେନ୍ଦ୍ରୀୟ ଯୋଜନାଗୁଡିକୁ କାର୍ଯ୍ୟକାରୀ କରିବାପାଇଁ ରାଜ୍ୟ ସରକାର କେନ୍ଦ୍ରରୁ ଅନୁଦାନ ପାଇଥାନ୍ତି । ଏହା କମିଯିବା ଫଳରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ଅର୍ଥାଭାବ ପରିଲକ୍ଷିତ ହୋଇଥାଏ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କୁ ଘୋଷିତ ପରିମାଣ ଅନୁଦାନ ଦେବାପାଇଁ ଦାବି ଉପସ୍ଥାପନ କରିଥିବା ସତ୍ୱେ ବର୍ଷ ବର୍ଷ ଧରି ଏହା କମିବାରେ ଲାଗିଛି ।

ଗତ ଆର୍ଥିକ ବର୍ଷରେ ରାଜ୍ୟ ସରକାର କେନ୍ଦ୍ରରୁ ଯେତିକି ଅନୁଦାନ ଏହି ସମୟ ମଧ୍ୟରେ ପାଇଥିଲେ ତାହା ଅପେକ୍ଷା ଅଧିକ ଅନୁଦାନ ମିଳିବା କଥା । କିନ୍ତୁ ତାହା କମିଯାଇଛି । ଗତବର୍ଷ ଜାନୁୟାରୀମାସ ଶେଷ ସୁଦ୍ଧା ରାଜ୍ୟ ସରକାର ୧୩,୨୭୭ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ପାଇଥିବାବେଳେ ଚଳିତ ଜାନୁୟାରୀମାସ ଶେଷ ସୁଦ୍ଧା ଏହା ୧୧,୧୧୦ କୋଟି ଟଙ୍କାରେ ସୀମିତ ରହିଛି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ୨୦୨୧ ଜାନୁୟାରୀମାସ ଶେଷ ସୁଦ୍ଧା ରାଜ୍ୟ ସରକାର ୧୭,୬୩୨ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ପାଇଥିଲେ । ତେଣୁ ୨୦୨୧ ରେ ଯେତିକି ଅନୁଦାନ ପାଇଥିଲେ ଚଳିତ ବର୍ଷ ତାହା ଅପେକ୍ଷା ସାଢେ ୬ହଜାର କୋଟି ଟଙ୍କା କମ୍‍ ପାଇଛନ୍ତି । ଅଭିବୃଦ୍ଧି ପରିବର୍ତ୍ତେ ଏ କ୍ଷେତ୍ରରେ ଅଧୋଗତି ପରିଲକ୍ଷିତ ହୋଇଛି । (ତଥ୍ୟ)