ଭୁବନେଶ୍ୱର : ବରଗଡରୁ ପଦ୍ମପୁର ଦେଇ ନୂଆପଡା ପର୍ଯ୍ୟନ୍ତ ହେବାକୁ ଥିବା ରେଳ ପ୍ରକଳ୍ପ ପ୍ରସଙ୍ଗ ପଦ୍ମପୁର ବିଧାନସଭା ଉପନିର୍ବାଚନ ସମୟରେ ଏକ ପ୍ରମୁଖ ପ୍ରସଙ୍ଗ ଥିବାବେଳେ ଏଥର ରେଳ ବଜେଟରେ ଏହି ପ୍ରକଳ୍ପ ପାଇଁ ଟଙ୍କାଟିଏ ମଧ୍ୟ ବରାଦ କରାଯାଇନାହିଁ ।
ଏଠାରେ ଉଲ୍ଲେଖନୀୟ ଯେ, ପଦ୍ମପୁର ଉପନିର୍ବାଚନରେ ଏହି ରେଳ ପ୍ରକଳ୍ପ ଘେନି ବିଜେଡି ଓ କଂଗ୍ରେସ ବିଜେପିକୁ କଟୁ ସମାଲୋଚନା କରିବା ସହ ଏହା ଓଡିଶା ପ୍ରତି କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବର ନିଦର୍ଶନ ବୋଲି ପୃଥକ ପୃଥକ ଅଭିଯୋଗ କରିଥିଲେ । ବିଜେପି ପାଇଁ ନିର୍ବାଚନ ପ୍ରଚାର କରିବା ଲାଗି ସେତେବେଳେ ପଦ୍ମପୁର ଯାଇଥିବା କେନ୍ଦ୍ର ରେଳମନ୍ତ୍ରୀ ତଥା ଓଡିଶାର ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ଆଜି ଜମି ମିଳିଲେ କାଲିଠାରୁ କାମ ଆରମ୍ଭ ହେବ ବୋଲି କହିଥିଲେ ।
ଏ ପ୍ରସଙ୍ଗରେ ବିଜେପି, ବିଜେଡି ଓ କଂଗ୍ରେସ ସମେତ ବିଭିନ୍ନ ଦଳ ପ୍ରତିକ୍ରିୟା ରଖିଥିବାବେଳେ ରେଳମନ୍ତ୍ରୀଙ୍କ ବକ୍ତବ୍ୟ ଦୃଷ୍ଟିରୁ ୨୦୨୩-୨୪ରେ ରେଳ ବଜେଟ୍ରେ ବରଗଡ-ନୂଆପଡା ରେଳ ପ୍ରକଳ୍ପ ଲାଗି ପର୍ଯ୍ୟାପ୍ତ ଅର୍ଥ ବନ୍ଦୋବସ୍ତ ହେବ ବୋଲି ଆଶା କରାଯାଉଥିଲା । ତେବେ ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ବଜେଟ୍ରେ କିନ୍ତୁ ଏହି ରେଳ ପ୍ରକଳ୍ପ ପାଇଁ ଟଙ୍କାଟିଏ ହେଲେ ବନ୍ଦୋବସ୍ତ ହୋଇନାହିଁ ।
୨୦୨୧ରେ କେନ୍ଦ୍ରର ରେଳମନ୍ତ୍ରୀ ତାଙ୍କ ଦଳର ସାଂସଦ ସୁରେଶ ପୂଜାରୀଙ୍କୁ ଏହି ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରାୟ ୧୪୫ କିଲୋମିଟର ଦୈର୍ଘ୍ୟର ଏହି ରେଳପଥ କାର୍ଯ୍ୟକ୍ଷମ ହେଲେ କଳାହାଣ୍ଡି ନୂଆପଡା ଓ ବରଗଡ ଜିଲ୍ଲାବାସୀ ବିଶେଷ ଭାବେ ଉପକୃତ ହେବେ ଏବଂ ଭୁବନେଶ୍ୱର ସମେତ ଅନ୍ୟ ଅଞ୍ଚଳରୁ ନୂଆପଡାକୁ ରେଳ ଯୋଗାଯୋଗର ସୁବିଧା ମିଳିପାରିବ ବୋଲି ଆଶା କରାଯାଉଛି ।
ପୂର୍ବରୁ ରାଜ୍ୟ ସରକାର କହି ସାରିଛନ୍ତି ଯେ ବରଗଡ – ନୂଆପଡା ରେଳ ପ୍ରକଳ୍ପ ଲାଗି ଯେତେ ଜମି ଆବଶ୍ୟକ ହେବ ତାହା ରାଜ୍ୟ ସରକାର ଯୋଗାଇ ଦେବା ସହ ୩ଶହ କୋଟି ଟଙ୍କା ମଧ୍ୟ ସହଯୋଗ ରାଶି ଆକାରରେ ଦେବେ । ତେବେ ଏହି ରେଳ ପ୍ରକଳ୍ପକୁ ନୀତିଗତ ଭାବେ କେନ୍ଦ୍ରୀୟ ସ୍ୱୀକୃତି ମିଳିଥିବାବେଳେ ଏହି ପ୍ରକଳ୍ପ ସଂକ୍ରାନ୍ତରେ ବିସ୍ତୃତ ସର୍ଭେ ହୋଇନାହିଁ ।
ଆଜି ଜମି ମିଳିଲେ କାଲି ବରଗଡ – ନୂଆପଡା ରେଳ ପଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କେନ୍ଦ୍ରମନ୍ତ୍ରୀଙ୍କ ବକ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବରଗଡରୁ ପଦ୍ମପୁର ଦେଇ ନୂଆପଡାକୁ ଏହି ରେରଳପଥ କେଉଁ ବାଟଦେଇ ଯିବ ଓ କେଉଁଠି ଷ୍ଟେସନ ସବୁ ହେବ ସେ ସଂକ୍ରାନ୍ତରେ ରେଳ ବିଭାଗ ରାଜ୍ୟ ସରକାରଙ୍କୁ କିଛି ସୂଚନା ଦେଇନାହିଁ କିମ୍ବା ଜମି ଅଧିଗ୍ରହଣ ପାଇଁ ଯାହାସବୁ ବ୍ୟବସ୍ଥା କରିବା କଥା ତାହା ବି କରିନାହିଁ ।
ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ପ୍ରକଳ୍ପର ସର୍ଭେ ପରେ ଜମି ଅଧିଗ୍ରହଣ ଏବଂ ଯେଉଁଠି ଜଙ୍ଗଲ ଜମି ରହିଛି ସେ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ପରିବେଶ ମଞ୍ଜୁରୀ ଆବଶ୍ୟକ । ଏହାଛଡା ଜମି ଅଧିଗ୍ରହଣ ଲାଗି କେନ୍ଦ୍ର ସରକାର ମଧ୍ୟ ଆବଶ୍ୟକୀୟ ଅର୍ଥ ପ୍ରଥମେ ମଞ୍ଜୁର କରିବା କଥା ଓ ଏଥିସହିତ ଏହି ରେଳ ପ୍ରକଳ୍ପ ଲାଗି ଯେତେ ଅର୍ଥ ବ୍ୟୟ ହେବାର ଅଟକଳ ହେବ ତାହାକୁ ପର୍ଯ୍ୟାୟକ୍ରମେ ଯୋଗାଇ ଦେଇ କାମ ଆରମ୍ଭ କରିବା କଥା ।
ବସ୍ତୁତଃ ବରଗଡ-ପଦ୍ମପୁର-ନୂଆପଡା ରେଳ ପ୍ରକଳ୍ପ ଲାଗି ପଇସାଟିଏ ହେଲେ ବଜେଟରେ ବ୍ୟବସ୍ତା ନକରି କେବଳ ରାଜନୈତିକ ବୟାନବାଜି ଭିତରେ ଏହି ପ୍ରକଳ୍ପକୁ ସୀମିତ ରଖାଯାଇଛି । ଏସଂକ୍ରାନ୍ତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମ୍ମିଳିତ ଉଦ୍ୟମ କଲେକ ଏହି ରେଳପ୍ରକଳ୍ପ କାର୍ଯ୍ୟକ୍ରମ ହୋଇପାରିବ । ଏହାଛଡା ତାଳରେର-ବିମଳାଗଡ ଏବଂ ଖୋର୍ଦ୍ଧାରେଡ-ବଲାଙ୍ଗୀର ରେଳପଥରନର ନିର୍ମାଣ କାର୍ଯ୍ୟକୁ ଚଳିତ ଆର୍ଥିକ ବର୍ଷ ମଧ୍ୟରେ ସମାପ୍ତ କରିବା ସହ ହରିଦାସପୁର -ପାରାଦୀପ ରେଳପଥରେ ଯାତ୍ରିବାହୀ ରେଳ ଚଳାଚଳ କରାଇବା ସହିତ ରେଳ ବଜେଟ୍ରେ ଉପେକ୍ଷିତ ଥିବା ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଦାବି ହେଉଛି । ଏଠାରେ ଉଲ୍ଲେଖନୀୟ ଯେ, ଏଥର ରେଳ ବଜେଟ୍ରେ ରେଳ ପ୍ରକଳ୍ପ ପାଇଁ ୧୦୦୦ଟଙ୍କାର ବ୍ୟବସ୍ଥା ହୋଇଛି । ଯାହାକି ଜଣେ ବ୍ୟକ୍ତିଙ୍କର ବର୍ଷକର ମୁଢି ଖିଆ ଖର୍ଚ୍ଚଠାରୁ ମଧ୍ୟ କମ୍ ବୋଲି ମୟୂରଭଞ୍ଜରେ ଆଲୋଚନା ହେଉଛି । (ତଥ୍ୟ)