Home Mining ଲୁହାପଥର ରପ୍ତାନି ଉପର ମୁହାଁ

ଲୁହାପଥର ରପ୍ତାନି ଉପର ମୁହାଁ

ଭୁବନେଶ୍ୱର : ଏବେ ଓଡିଶାରୁ ଲୁହାପଥର ରପ୍ତାନି ବୃଦ୍ଧି ପାଇବାରେ ଲାଗିଛି । ଗତବର୍ଷ ମଇ ମାସରେ କେନ୍ଦ୍ର ସରକାର ରପ୍ତାନି ଉପରେ ଅତିରିକ୍ତ ଟିକସ ଜାରି କରିବା ଫଳରେ ଏହା ହ୍ରାସ ପାଇଥିଲା । ଏବେ କେନ୍ଦ୍ର ସରକାର ଟିକସ ପ୍ରତ୍ୟାହାର କରିନେବା ଫଳରେ ରପ୍ତାନି ପୁଣି ଉପରମୁହାଁ ହୋଇଛି ।

କେନ୍ଦ୍ର ସରକାର ଅତିରିକ୍ତ ଟିକସ ଲଗାଇବା ସହିତ ଚୀନ୍‍ ଭଳି ଦେଶରେ କରୋନା ବ୍ୟାପିବା ଯୋଗୁଁ ରାଜ୍ୟରୁ ଲୁହାପଥର ରପ୍ତାନି ଉପରେ ମଧ୍ୟ ଏହାର ପ୍ରତିକୂଳ ପ୍ରଭାବ ପଡିଥିଲା । ଉଚ୍ଚମାନର ଲୁହାପଥର ରପ୍ତାନି ହ୍ରାସ ପାଇବା ଫଳରେ ଏଥିରୁ ରାଜ୍ୟକୁ ମିଳୁଥିବା ଟିକସ ପରିମାଣ ମଧ୍ୟ ହ୍ରାସ ପାଇଥିଲା । ଏବେ କେନ୍ଦ୍ରର ଟିକସ ପ୍ରତ୍ୟାହାର ପରେ ରାଜ୍ୟ ରାଜକୋଷରୁ ଲୁହାପଥର ରପ୍ତାନିରୁ ଅଧିକ ପରିମାଣର ରାଜସ୍ୱ ଆସିବ ବୋଲି ବିଶେଷଷମାନେ ଆକଳନ କରୁଛନ୍ତି ।

୨୦୨୧-୨୨ରେ ଓଡିଶାରେ ୧୪୭ ନିୟୁତ ଟନ୍‍ ଲୁହାପଥର ଉତ୍ପାଦିତ ହୋଇଥିଲା । ତେବେ ସେହିବର୍ଷ ଜାନୁୟାରୀ ସୁଦ୍ଧା ୧୨୪ ନିୟୁତ ଲୁହାପଥର ଉତ୍ପାଦିତ ହୋଇଥିଲା ଯାହାକି ପୂର୍ବବଷଁର ଉତ୍ପାଦିତ ଲୁହାପଥର ସହିତ ସମାନ । ସେହିବର୍ଷ ୧୪୦.୬୪ ନିୟୁତ ଟନ୍‍ ଲୁହାପଥର ଉଠାଣ ପାଇଁ ଅନୁମତି ମିଳିଥିଲା ଓ ଏଥିରୁ ୮.୯୫ ନିୟୁତ ଟନ୍‍ ରପ୍ତାନି ଉଦ୍ଦେଶ୍ୟରେ ଥିଲା । ଯାହାକି ମୋଟ୍‍ ଉଠାଣର ୬.୪ ପ୍ରତିଶତ । ଚଳିତବର୍ଷ ଜାନୁୟାରୀ ପର୍ଯ୍ୟନ୍ତ ୧୧୨ ନିୟୁତ ଟନ୍‍ ଉଠାଣ ଅନୁମତି ମିଳିଥିବାବେଳେ ସେଥିରୁ ମାତ୍ର ୪.୧୮ ନିୟୁତ ଟନ୍‍କୁ ରପ୍ତାନି ହେବ ।

୨୦୨୨ରେ କେନ୍ଦ୍ର ସରକାର ସମସ୍ତ ମାନର ଲୁହାପଥର ଉପରେ ୫୦ ପ୍ରତିଶତ ରପ୍ତାନି ଟିକସ ଲଗାଇଥିବାବେଳେ ଲୁହାପଥର ପେଲେଟ ଉପରେ ୪୫ ପ୍ରତିଶତ ଟିକସ ଲଗାଇଥିଲେ । ଏଭଳି କଟକଣା ଫଳରେ ୨୦୨୨ ଜୁନ୍‍ରୁ ନଭେମ୍ବର ମଧ୍ୟରେ ଲୁହାପତର ରପ୍ତାନି ଗୁରୁତର ଭାବେ ହ୍ରାସ ପାଇଥିଲା । ତେବେ ନଭେମ୍ବର ମାସରେ କେନ୍ଦ୍ର ସରକାର କଟକଣା ଉଠାଇ ଦେବାପରେ ଲୁହାପଥର ରପ୍ତାନି ପୁଣି ଉପରମୁହାଁ ହୋଇଛି ।

ଡିସେମ୍ବରରୁ ଜାନୁୟାରୀ ମଧ୍ୟରେ ଲୁହାପତର ରପ୍ତାନି ୨.୫୪ ନିୟୁତ ଟନ୍‍ ହୋଇଥିବାବେଳେ ଯେଉଁ ପରିମାଣରେ ଲୁହାପଥର ରପ୍ତାନି ହେଉଛି ତାହା ଜାରି ରହିଲେ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଲୁହାପଥର ଉଠାଣ ଲକ୍ଷ୍ୟ ୧୪୦ ନିୟୁତ ଟନ୍‍ ଲକ୍ଷ୍ୟ ଛୁଇଁବ ବୋଲି କର୍ତ୍ତୃପକ୍ଷ ଆଶା କରୁଛନ୍ତି । (ତଥ୍ୟ)